ସାହାରା ଇଣ୍ଡିଆ ମିଳିତ ମଞ୍ଚର ବିକ୍ଷୋଭ ସମାବେଶ ଆଜି

ବାଲେଶ୍ୱର, (ସରୋଜ ପଣ୍ଡା):ସାହାରା ଇଣ୍ଡିଆ ଜମାକାରୀ ଓ କାର୍ଯ୍ୟକର୍ତ୍ତା ମିଳିତ ମଞ୍ଚ ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ୨୦ ତାରିଖ ବୁଧବାର ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗତ ସପ୍ତାହରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ରେମୁଣା, ଗୋପାଳପୁର, ସୋର, ନୀଳଗିରି ଓ ଖଇରା ଅଞ୍ଚଳରେ ମଞ୍ଚ ପକ୍ଷରୁ ବୈଠକ ଓ ସାଧାରଣ ସଭାମାନ ଅନୁଷ୍ଠିତ ହୋଇ ପ୍ରସ୍ତାବିତ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଆଜି ମଙ୍ଗଳବାର ଦିନ ତମାମ ବାଲେଶ୍ୱର ସହର ଓ ସହର ସଂଲଗ୍ନ ଅଞ୍ଚଳମାନଙ୍କରେ ବ୍ୟାପକଭାବେ ମାଇକ ପ୍ରଚାର କରାଯାଇ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି । ଆସନ୍ତାକାଲି ଦିନ ୧୦ଟାରେ ବାଲେଶ୍ୱର ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବାପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ପହଞ୍ôଚବ । ବାଲେଶ୍ୱର ସିଭିଲ୍ ସୋସାଇଟି ଏହି ଦାବି ଓ ଆନ୍ଦୋଳନକୁ ସମର୍ଥନ ଜଣାଇଥିବାରୁ ସୋସାଇଟିର କର୍ମକର୍ତ୍ତାମାନେ ଆସନ୍ତାକାଲିର ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ପରିଚାଳିତ ସଂସ୍ଥା ‘ସେବି’ ଓ ସାହାରା ଇଣ୍ଡିଆ କମ୍ପାନୀର ବିବାଦ ପାଇଁ ନିରୀହ ଜମାକାରୀ ଓ ଏଜେଣ୍ଟମାନେ ପ୍ରାୟ ଗତ ୫ ବର୍ଷ ଧରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜମା ଅର୍ଥ ମହଜୁଦ ଥିଲେ ମଧ୍ୟ ଜମାକାରୀମାନେ ଏହି ବିବାଦ କାରଣରୁ ଅର୍ଥ ଫେରିପାଉନାହାନ୍ତି । ଇତିମଧ୍ୟରେ ସାହାରା ଇଣ୍ଡିଆର ବହୁ ଅଫିସ୍ ବନ୍ଦ ହୋଇଗଲାଣି ଓ ଅନ୍ୟ କେତେକ ଅଫିସ୍‌ରେ କର୍ମଚାରୀ ସଂଖ୍ୟା ହ୍ରାସ ପାଇଛି । ତେଣୁ ଏହି ଆନ୍ଦୋଳନରେ ସାହାରା ଇଣ୍ଡିଆ ସହ ସଂପୃକ୍ତ ସମସ୍ତ ଜମାକାରୀ ଓ ଏଜେଣ୍ଟମାନେ ଯୋଗଦେବାକୁ ମିଳିତ ମଞ୍ଚର ସଭାପତି ମନୋରଞ୍ଜନ ମଲ୍ଲିକ ଓ ସଂପାଦକ କାର୍ତ୍ତିକ ଚାନ୍ଦ ପ୍ରମୁଖ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ