ସିଆଇଟିୟୁର ୧୫ଶ ରାଜ୍ୟ ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ସମ୍ପତ୍ତିକୁ ଆଦାନୀ ଓ ଆମ୍ବାନୀ ଭଳି ନିଜର କର୍ପୋରେଟ ମିତ୍ରମାନଙ୍କୁ ବିକ୍ରି କିରବା ଓ ମାଲିକମାନଙ୍କ ସପକ୍ଷରେ ଶ୍ରମ ଆଇନର ପରିବର୍ତ୍ତନ ବିରୁଦ୍ଧରେ ବ୍ୟାପକ ଐକ୍ୟବଦ୍ଧ ଆନ୍ଦୋଳନ ଗଢିତୋଳିବା ପାଇଁ ସିଆଇଟିୟୁର ସର୍ବଭାରତୀୟ ସଭାନେତ୍ରୀ ଡଃ କେ ହେମଲତା ଆହ୍ୱାନ ଦେଇଛନ୍ତି । କସ୍ତୁରବା ନାରୀମହଲଠାରେ ଅନୁଷ୍ଠିତ ସାଥୀ ଶିବାଜୀ ପଟ୍ଟନାୟକ ନଗର ଓ ବନମାଳୀ ଧୂପାଳ ମଞ୍ଚରେ ଅନୁଷ୍ଠିତ ୧୫ଶ ରାଜ୍ୟ ସମ୍ମିଳନୀକୁ ଉଦ୍ଘାଟନ କରି ସେ ଏଥିପାଇଁ ସିଆଇଟିୟୁର ସଂଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସାଥୀ ଜନାର୍ଦ୍ଦନ ପତି ଓ ସିଆଇଟିୟୁର ରାଜ୍ୟ ଉପସଭାପତି ମାନଙ୍କ ଦ୍ୱାରା ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀକୁ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ସିଆଇଟିୟୁର ପତାକା ଉତ୍ତୋଳନ ହେବା ସହିତ ସହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ଏହି ସମୟ ମଧ୍ୟରେ ମୃତ୍ୟୁବରଣ କରିଥିବା ଶ୍ରମିକଶ୍ରେଣୀ ଓ ଗଣତାନ୍ତ୍ରିକ ଆନ୍ଦୋଳନର ନେତୃମାନଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ସମସ୍ତ ନେତୃତ୍ୱ ଓ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଶିଳ୍ପରୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ । ସାଧାରଣ ସମ୍ପାଦକ ସାଥୀ ବିଷ୍ଣୁ ମହାନ୍ତିଙ୍କ ରାଜନୈତିକ, ସାଂଗଠନିକ ଓ ବିଗତ ସମ୍ମିଳନୀ ଠାରୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଓ ଆନ୍ଦୋଳନରତ ରିପୋର୍ଟ ଉପସ୍ଥାପନ କରିଥିଲେ । ସମ୍ମିଳନୀ ଦ୍ୱିତୀୟ ଦିନର ପ୍ରତିନିଧି ଅଧିବେଶନରେ ଇସ୍ପାତ, ବିଦ୍ୟୁତ, ନାଲକୋ, ଏନ୍ଟିପିସି ଆଦି ସଂଗଠିତ ଶିଳ୍ପକୁ ଓ ଅସଂଗଠିତ ଶିଳ୍ପର ଠିକା ଶ୍ରମିକ ୟୁନିୟନ / ସ୍କିମ ଶ୍ରମିକ ୟୁନିୟନର ପ୍ରତିନିଧିମାନେ ସାଧାରଣ ସମ୍ପାଦକଙ୍କ ରିପୋର୍ଟ ଉପରେ ଆଲୋଚନା କରିଥିଲେ ।ସମ୍ମିଳନୀରେ ସାମ୍ପ୍ରଦାୟିକ ବିଦ୍ୱେଷ ବିରୁଦ୍ଧରେ ବ୍ୟାପକ ପ୍ରଚାର ଅଭିଯାନ କରିବା, ୪ଟି ଶ୍ରମ କୋଡ୍ ପ୍ରତ୍ୟାହାର କରିବା, ଦରବୃଦ୍ଧି ବନ୍ଦ କରିବା, ବେକାରୀ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକାରୀ ପଦକ୍ଷେପ ସହିତ ନିଯୁକ୍ତି ସୁଯୋଗ ଦେବା, ଶ୍ରମିକ-କୃଷକମାନଙ୍କ ମିିଳିତ ପାର୍ଲାମେଣ୍ଟ ଅଭିଯାନକୁ ସଫଳ କରିବା, ମହିଳାମାନଙ୍କୁ ସାମାଜିକ ନିରାପତ୍ତା ଦେବା ଆଦି ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ୟୁନିୟନ ମାନଙ୍କରୁ ୫ ଶହରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଛନ୍ତି । ଆସନ୍ତା ୨୯ ତାରିଖ ଶେଷ ଦିନରେ କେନ୍ଦ୍ର ସରକାରଙ୍କ କର୍ପୋରେଟ ସାମ୍ପ୍ରଦାୟିକ ଗଠବନ୍ଧନ ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରିବାକୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ରାଜ୍ୟରେ ସମସ୍ତ ଅପହଞ୍ଚ ଶ୍ରମିକମାନଙ୍କ ପାଖରେ ପହଞ୍ôଚବା ଓ ସରକାରଙ୍କ ନୀତି ପଛରେ ନିହତ ରାଜନୀତିକୁ ଉନ୍ମୋଚିତ କରିବା ପାଇଁ ସିଆଇଟିୟୁ ସମ୍ମିଳନୀ ସ୍ଥିର କରିଛି । ଅପ୍ରେଲ ୫, ୨୦୨୩ରେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟରେ ଶ୍ରମିକ-କୃଷକମାନଙ୍କ ଦିଲ୍ଲୀ ଅଭିଯାନ ପାଇଁ ଡ଼ାକରା ଦିଆଯାଇଛି ।


