ସିମନବାଡ଼ି-ସିକକେତା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟ ଚାଲିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଧ୍ୟାନ ଦିଆଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। କାମ ବେଳେ ପ୍ରବଳ ଧୂଳି ଉଡୁଥିବାରୁ ପ୍ରଦ୍ୟୁଷଣ ବୃଦ୍ଧି ପାଇଛି। ରାସ୍ତା ପାର୍ଶ୍ୱ ଗାଁଗୁଡିକରେ ଲୋକଙ୍କ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ନଷ୍ଟ ହେଉଥିବା ବେଳେ ରାସ୍ତା କଡ଼ ଜଳଖିଆ ଦୋକାନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାସଂସ୍ଥା ତୁରନ୍ତ କାର୍ଯ୍ୟ ଶେଷ କରିବା ସହ ସଂପ୍ରସାରଣ ସ୍ଥାନରେ ପାଣି ସିଞ୍ଚନ କରାଯାଉ ବୋଲି ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ରାସ୍ତା କାମ ବିଳମ୍ବକୁ ନେଇ ସିମନବାଡ଼ି ସମେତ ଗଦଡ଼ି, ବାଡାବାଙ୍ଗା, ସିକକେତା ଆଦି ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଯାଇଛି l ସିମନବାଡ଼ି ଠାରୁ ରାଇକିଆ ୨୫ କି.ମି. ଦୂର। ସେହିମଧ୍ୟରେ ୧୫ କି.ମି. ରାସ୍ତା ସଂପ୍ରସାରଣ ପାଇଁ ପ୍ରାୟ ୨୩ କୋଟି ଟଙ୍କା ଅନୁଦାନ ରହିଛି। ଗତ ଜୁନ ମାସରୁ ଏହି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ଡେଡ୍‌ଲାଇନ ରହିଛି। ତେବେ କାର୍ଯ୍ୟ ଆରମ୍ଭ ହେବାର ୮ ମାସ ବିତିଛି। ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ କାର୍ଯ୍ୟ ସରିଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। କାର୍ଯ୍ୟରେ ଠିକାସଂସ୍ଥାର ଅହେତୁକ ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ମଣ୍ଡଳ କହିଛନ୍ତି। ସମୟ ମଧ୍ୟରେ କାର୍ଯ୍ୟ ଶେଷ ନକଲେ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏଥି ସହ ଯେଉଁଠି କାମ ବେଳେ ପାଣି ପକାଯାଉନାହିଁ ସେଠାରେ ପାଣି ପକାଇବାକୁ ନିର୍ଦେଶ ଦିଆଯିବ ବୋଲି ସେ କହିଛନ୍ତି। ସଂପ୍ରସାରଣ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଠିକାସଂସ୍ଥାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ