ସିମିଳା ଗରିବ କଲ୍ୟାଣ ସମ୍ମିଳନୀ ସହ ଯୋଡ଼ିହେଲେ ବାଲେଶ୍ୱର ହିତାଧିକାରୀ
ବାଲେଶ୍ୱର, (ସରୋଜ ପଣ୍ଡା) :-କେନ୍ଦ୍ର ସରକାରଙ୍କ ସହାୟତାରେ ଦେଶରେ ଚାଲିଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭାସି ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାଲେଶ୍ୱରର ବହୁ ହିତାଧିକାରୀ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହୋଇଥିଲେ । ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଏକାଧିକ ହିତାଧିକାରୀଙ୍କ ସମେତ ବାଲେଶ୍ୱର ଜିଲାର ହିତାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲା ପରିଷଦ ଉପ-ସଭାପତି ଅନସୂୟା ପ୍ରଧାନ, ଭଦ୍ରକ ସାଂସଦ ପ୍ରତିନିଧି ଅଶ୍ୱିନୀ ମହାପାତ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଜିଲାର ବିଭିନ୍ନ ବ୍ଲକ, ପୌରାଞ୍ଚଳଳ ଓ ଏନଏସି ଅଧ୍ୟକ୍ଷ-ଅଧ୍ୟକ୍ଷା ଏଥିରେ ଯୋଗ ଦେଇଥିଲେ । ହିମାଚଳ ପ୍ରଦେଶ ରାଜଧାନୀ ସିମଳାଠାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଭାଗରେ ଉପସ୍ଥିତ ହିତାଧିକାରୀମାନଙ୍କୁ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ଦ୍ୱାରା ସେମାନଙ୍କୁ ମିଳିଥିବା ଲାଭ ଓ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ବିଭିନ୍ନ ଯୋଜନା ଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବତ୍ତନ ସମ୍ପର୍କରେ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ଏହି ଅବସରରେ ପିଏମ-କିଶାନ ଯୋଜନାରେ ଦେଶର ପ୍ରାୟ ୧୦ କୋଟି ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସୁନିଧି ଯୋଜନା, ଅଟଳ ପେନସନ୍ ଯୋଜନା, ମାତୃବନ୍ଦନା ଯୋଜନା, ପୋଷଣ ଅଭିଯାନ, ସ୍ୱଚ୍ଛ ଭାରତ ମିଶନ, ଜଳଜୀବନ ମିଶନ ଓ ଅମୃତ ଯୋଜନା, ଏକ ଦେଶ-ଏକ ରାସନ କାର୍ଡ ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଇତ୍ୟାଦିର କାର୍ଯ୍ୟକାରିତା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଓ ତାହାର ସଫଳତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ସାଧାରଣ ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି ଏବଂ ଆମ ଦେଶ ଏବେ ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ପାଇପାରିଛି ବୋଲି ସେ କହିଥିଲେ ।


