ସୁବର୍ଣ୍ଣ ରେଖା କେନାଲ ବିପଦ ରେଖାରେ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ମିଳିଥିବା ସୂଚନା ଅନୁଯାୟୀ ଝାରଖଣ୍ଡ ରାଜ୍ୟ ଚାଣ୍ଡିଲ ଡ୍ୟାମରୁ ଗେଟ ଖୋଲାଯାଇଥିବା କାରଣରୁ ଅଚାନକ ଭାବେ ଜଳସ୍ତର ସୁବର୍ଣ୍ଣରେଖା କେନାଲରେ ବଢିଯାଇଛି। ସେହିପରି ରବିବାର ମଧ୍ୟରାତ୍ରିରେ କେନାଲପାଣି ବଢ଼ି କୁଳ ଲଙ୍ଘିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶୀର୍ଷା ପଞ୍ଚାୟତ ବଡଚାଟରା ଗ୍ରାମ ନିକଟରେ ରହିଥବା ଗେଟ ପାଖରେ ପ୍ରବଳ ପାଣି ପହଞ୍ଚିଥିଲା। ଫଳ ସ୍ୱରୂପ ଶାଖା କେନାଲରେ ଓ ସେଠାରୁ ବାହାରିଥିବା ବଡ଼ଚାଟରା ନାଳରେ ପ୍ରବଳ ପାଣି ଛଡାଯାଇଥିଲା। ଶାଖା କେନାଲରେ ପାଣି ଉଛୁଳି ବଡଚାଟରା ଗ୍ରାମର ମଣ୍ଟୁ ମାହାଲିଙ୍କ ଘରେ ପାଣି ପଶିଯାଇଥିଲା। ଫଳସ୍ୱରୂପ ଗ୍ରାମବାସୀ ଭୟଭିତ ହୋଇଥିଲେ। ସୋମବାର ଅପରାହ୍ନ 12ଟା ପରେ, କେନାଲ ପାଣିର ସ୍ରତ କମିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପାଣିର ସୁଅକୁ ଦେଖି କେନାଲ ଆଡିବନ୍ଧ ଭାଙ୍ଗି ଯାଇପାରେ ବୋଲି ଲୋକେ ଭୟଭୀତ ରହିଥିଲେ। ତେବେ ଶାଖା କେନାଲ ନିକଟରେ ରହିଥିବା ମଣ୍ଟୁ ମହାଳୀଙ୍କ ଘର ନିକଟରେ ଶାଖା କେନାଲର ଦୁଇକଡ଼କୁ ଉଚ୍ଚ ଗାର୍ଡୱାଲ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।ଏହି ବାବଦରେ ସୁବର୍ଣ୍ଣରେଖା ଇରିଗେଶନ ପ୍ରୋଜେକ୍ଟର ଏକଜ୍ୟୁକେଟିଭ ଇଞ୍ଜିନିୟର ସୁରେଶ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, କେନାଲରେ ରହିଥିବା ସମସ୍ତ ଗେଟ ଗୁଡିକୁ ଖୋଲିଦିଆଯାଉଛି। ଏକଘଣ୍ଟା ମଧ୍ୟରେ ଜଳସ୍ତର କମିବ ଏବଂ ପାଣି ଆଗ ପଟକୁ ଚାଲିଯିବ। ଭୟଭୀତ ହେବାର କୌଣସି କଥା ନାହିଁ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି।


