ସୁରତରେ କରୋନା ସ୍ଥିତି ସଂଗୀନ, ଗଂଜାମ ମୁହାଁ ଓଡ଼ିଆ ପ୍ରବାସୀ
୨୪ ଘଣ୍ଟାରେ ୨୫ ମୃତ, ୧୫ ଓଡ଼ିଆଙ୍କ ମୃତ୍ୟୁ ଘଟିସାରିଲାଣି
ବ୍ରହ୍ମପୁର, (ଅନିଲ କୁମାର): ଗଞ୍ଜାମ ପାଇଁ ବିପଦ ଆଣି ଦେଉଛି ସୁରତ ଫେରନ୍ତା । ସୁରତରେ ଗଞ୍ଜାମରୁ ଅଧିକ ସଂଖ୍ୟକ ଶ୍ରମିକ ଶ୍ରେଣୀର ଲୋକ ନିଜର ଜୀବୀକା ଅର୍ଜନ ପାଇଁ ରହିଥିବା ବେଳେ ଏବେ ସୁରତର ସ୍ଥିତିକୁ ଦେଇ ଭୟଭୀତ ହୋଇ ଗଂଜାମ ଫେରିବାରେ ଲାଗିଛନ୍ତି । ସୁରତରେ କରୋନା ମୃତକ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ସେଠାରେ ଆଗାମୀ ଦିନରେ କରୋନା କଟକଣା ଆହୁରି କଡ଼ାକଡି ହେବ । ଏହାକୁ ଦୃଷ୍ଟିରେ ରଖି ବହୁ ପ୍ରବାସୀ ନିଜ ନିଜ ଘରମୁହାଁ ହେବାରେ ଲାଗିଛନ୍ତି । ଗୁଜୁରାଟର ସୁରତ ସହରରେ କରୋନା ସଂକ୍ରମଣ ଅଣାୟତ୍ତ ଅବସ୍ଥାରେ। ଦିନକୁ ଦିନ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସୁରତ ଜିଲ୍ଲାରୁ ୧୬୫୫ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୪୨୪ଜଣ କେବଳ ସୁରତ ମହାନଗର ନିଗମ ଅଞ୍ଚଳର ବୋଲି ଜଣାପଡ଼ିଛି। ସୁରତ ଜିଲ୍ଲାରେ ଦିନକରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରୁ କେବେଳ ୨୪ଜଣ ସୁରତ ସହରର। ଆଜି ପୁଣି ସୁରତ ପାଣ୍ଡେସରା ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅଞ୍ଚଳର ୩୬ ବର୍ଷୀୟ ଜଣେ ଓଡ଼ିଆ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଗତ ୬ ତାରିଖରେ କରୋନାରେ ପୀଡ଼ିତ ହୋଇ ସୁରତର ନ୍ୟୁ ସିଭିଲ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ମଧ୍ୟରେ ଏହାକୁ ମିଶାଇ ସୁରତରେ ୧୫ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଲାଣି


