ସୁରାଟରେ ମୃତ ଶ୍ରମିକଙ୍କ ପରିବାରକୁ ମିଳିଲା କ୍ଷତିପୂରଣ

ବୁଗୁଡ଼ା, (ଅନିଲ କୁମାର ମହାରଣା):ସୁରାଟ ମହନଗରରେ ଦଶ ଲକ୍ଷ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଅଧିକାଂଶ ବ୍ୟକ୍ତି ଶ୍ରମିକ ଅଟନ୍ତି। ଦୃଢ଼ ସଙ୍ଗଠନ ଅଭାବରୁ ଅତୀତରେ ବହୁ ଶ୍ରମିକ ମୃତ୍ୟୁ ବରଣ କରିବା ପରେ ତାଙ୍କ ପରିବାର ଦାଣ୍ଡର ଭିକାରୀ ହେବାକୁ ପଡୁଥିଲା। ସୁଖର ବିଷୟ ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ” ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ” ଗଠନ ହେବାପରେ ସୁରାଟରେ ଓଡ଼ିଆ ଶ୍ରମିକମାନେ ବହୁ ସୁବିଧା ସୁଯୋଗ ପାଇବାରେ ସକ୍ଷମ ହୋଇପାରିଛନ୍ତି। ପ୍ରାୟ ଦଶମାସ ପୂର୍ବେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡି ଗ୍ରାମର ଯୋଗୀ ମଳିକଙ୍କ ପତ୍ନୀ ସୁନିତା ମଳିକ ଦାଦନ ଶ୍ରମିକ ଭାବେ ସୁରାଟରେ ଏକ ନିର୍ମାଣଧୀନ ଚତୁର୍ଥ ମହଲା କୋଠାରୁ ଖସିପଡି ମୃତ୍ୟୁ ବରଣ କରିଥିଲେ। ଖବର ଜାଣିବା ପରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅଫିସ ସମ୍ପାଦକ ଜୟରାମ ଦଳେଇ ଓ ମହିଳା ମଣ୍ଡଳ ସଦସ୍ୟ ଓ ଅନ୍ୟ ଓଡ଼ିଆ ଭାଇମାନେ ନିର୍ମାଣ ସଂସ୍ଥା ମାଲିକ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଆଇନ ଅନୁଯାୟୀ କ୍ଷତିପୂରଣ ଦେବାକୁ ମାଲିକ ସମ୍ମତି ପ୍ରକାଶ କରିଥିଲେ। ସେହି ସର୍ତ୍ତ ପ୍ରକାରେ ଜୁଲାଇ ୩୦ ତାରିଖ ଦିନ ନିର୍ମାଣ ସଂସ୍ଥା ମାଲିକ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ କାର୍ଯ୍ୟାଳୟକୁ ଆସି ଟ୍ରଷ୍ଟର ସଭାପତି ଶ୍ରୀ ସାହୁ ଓ ଅଫିସ ସମ୍ପାଦକ ଶ୍ରୀ ଦଳେଇ ଙ୍କ ଜରିଆରେ ମୃତ ବରଣ କରିଥିବା ମହିଳା ଶ୍ରମିକ ସୁନିତାଙ୍କ ୧୫ ବର୍ଷର ଝିଅ ଓ ୧୩ ବର୍ଷର ପୁଅଙ୍କ ନାମରେ ୬ ଲକ୍ଷ ୮୭ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଚେକ ପ୍ରଦାନ ସମୟରେ ପୁଅ ଓ ଝିଅର ପିଉସା ଶଙ୍କର ମାଝୀ, ପିଉସୀ ଦମୟନ୍ତି ମାଝୀ ଓ ଗୋସେଇଁ ମା ଉପସ୍ଥିତ ଥିଲେ। ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସହଯୋଗ କ୍ରମେ ଜଣେ ମୃତ ମହିଳା ଶ୍ରମିକଙ୍କ ଦୁଇ ଅସହାୟ ପୁଅ ଓ ଝିଅ ଆର୍ଥିକ ସହାୟତା ପାଇପାରିଥିବା ଯୋଗୁଁ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ ଓ ଅଫିସ ସମ୍ପାଦକ ଜୟରାମ ଦଳେଇଙ୍କୁ ପ୍ରବାସୀ ଓଡିଆମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ