ସୋମବାର ଯାଏଁ ଗୃହ ମୁଲତବୀ

ଭୁୁବନେଶ୍ୱର, ,(ୱାଇଏନ୍‌ଏସ୍‌): ଉଭୟ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁ ଆଜି ବିଧାନସଭାର ପ୍ରଥମାର୍ଧ ବୈଠକରେ ଅଚଳାବସ୍ଥା ଲାଗି ରହିଥିଲା । ଫଳରେ ଗୃହରେ କୈଣସି କାର୍ଯ୍ୟକ୍ରମ ଯେପରି ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ଦୁଇ ଥର ଗୃହକୁ ମୁଲତବୀ ରଖିଥିଲେ । ହଟ୍ଟଗୋଳ ସମୟରେ ଉଭୟ ଶାସକ ଓ ବିରୋଧୀ ଦଳ ସ୍ଲୋଗାନ ଓ ପ୍ରତି ସ୍ଲୋଗାନ ଦେବା, କଂଗ୍ରେସ ଦଳର ସଦସ୍ୟ ମାନେ ପୋଡିୟମକୁ ବାଡେଇବା, କିଛି ବିରୋଧୀ ସଦସ୍ୟ ସଚିବଙ୍କ ଆସନ ଉପରେ ଠିଆ ହୋଇ ଫାଇବର ଗ୍ଲାସ ଟାଣିବା, ଉଭୟ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ଆଦି ଦୃଶ୍ୟମାନ ପରିଲକ୍ଷିତ ହୋଇଥିଲା । ଏଥିରୁ ନିବୃତ ରହି ନିଜ ନିଜ ଆସନକୁ ଫେରି ଯିବା ପାଇଁ ବାଚସ୍ପତି ବାରମ୍ବାର ଅନୁରୋଧ କରିବା, ସୁରକ୍ଷାକର୍ମୀଙ୍କ ଘେରରେ ବାଚସ୍ପତି ରହିବା ଆଦି ଦେଖା ଯାଇଥିଲା । ଶନିବାର ଦିନ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ଦଳର ସଦସ୍ୟ ମାନେ ନିଜ ନିଜ ଆସନ ଛାଡି ଗୃହର ମଧ୍ୟଭାଗକୁ ପଳାଇ ଆସି ଚାଷୀ ମାନଙ୍କ ଠାରୁ ଧାନ କିଣା ନ ଯିବା ପ୍ରସଙ୍ଗକୁ ନେଇ ହୋ ହାଲ୍ଲା କରିଥିଲେ । ଅପରପକ୍ଷରେ ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା କରିବାର ପ୍ରୟାସ ସମ୍ପର୍କିତ ପ୍ରସଙ୍ଗ ଉଠାଇ କହିଥିଲେ ଯେ ବିଧାନସଭାକୁ ଲୋକ ମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ପଠାଇଛନ୍ତି । ଲୋକ ମାନେ ଆତ୍ମହତ୍ୟା କରିବାକୁ ବିଧାନସଭାକୁ ବିଧାୟକ ମାନଙ୍କୁ ପଠାଇ ନାହାନ୍ତି । ବିଜେପି ସଭ୍ୟ ଯେଉଁ ଆତ୍ମହତ୍ୟାର ପ୍ରୟାସ କଲେ ତାହା ନିନ୍ଦନୀୟ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି ଓ ଦଳର ନିଷ୍ପତି ତାହା ସ୍ପଷ୍ଟ ହେବା ଦରକାର । ସେ ଏଥି ପାଇଁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ । ବିରୋଧୀ ଦଳ ଏହାକୁ ନେଇ ଭୁଲ ମାଗିବା ଦରକାର । ଯେପର୍ଯ୍ୟନ୍ତ ବିରୋଧୀ ଦଳ ଏହାକୁ ନେଇ ଭୁଲ ମାଗି ନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚାଲି ପାରିବ ନାହିଁ ବୋଲି ସେ କହିଥିଲେ । ଏହା ପରେ କେତେକ ମନ୍ତ୍ରୀ ଓ ଶାସକ ଦଳର ସଭ୍ୟ ମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।୧୧.୩୦ରେ ପୁଣି ଥରେ ବୈଠକ ଆରମ୍ଭ ହୋଇଥିଲା । ହେଲେ ସେତେବେଳେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା ଓ ପରିସ୍ଥିତିରେ କୌଣସି ପ୍ରକାର ଉନ୍ନତି ଘଟି ନ ଥିଲା । ବିରୋଧୀ ଦଳର ସଦସ୍ୟ ମାନେ ଚାଷୀ ସମସ୍ୟାକୁ ନେଇ ସେମାନଙ୍କର ଜିଦରେ ଅଟଳ ରହି ଥିବା ବେଳେ ଶାସକ ଦଳର ସଦସ୍ୟ ମାନେ ବିରୋଧୀ ଦଳ ତରଫରୁ କ୍ଷମା ମାଗିବା ଦାବି କରି ଗୃହ ମଧ୍ୟ ଭାଗକୁ ପଳାଇ ଆସିଥିଲେ । ବାଚସ୍ପତି ସମସ୍ତଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ ଅନୁରୋଧ କରି ବିଫଳ ହୋଇ ଥିଲେ । ଏହା ପରେ ସେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।ଅପରାହ୍ନ ୪ଟାରେ ଦ୍ୱିତୀୟାର୍ଦ୍ଧ ବୈଠକ ହେବା କ୍ଷଣି ଶାସକ ଦଳ ସଭ୍ୟ ମାନେ ବିଧାୟକ ସୁବାସ ପାଣିଗ୍ରାଣୀଙ୍କ କ୍ଷମାପ୍ରାର୍ଥନା ଦାବିରେ ଅଟଳ ରହି ପୁଣି ଥରେ ହଟ୍ଟଗୋଳ କରିଥିଲେ । ପରେ ପରେ ଧାନ କିଣାକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ସମାନ ଢଙ୍ଗରେ ହଟ୍ଟଗୋଳ କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ବାଚସ୍ପତି ୪ ଟା ୨ ରୁ ୪ଟା ୧୭ , ୧୫ ମିନିଟ୍ ପାଇଁ ଗୃହକୁ ମୁଲତବୀ ରଖିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ବିଲ୍ ଉପସ୍ଥାପନ କରିବାକୁ ବାଚସ୍ପତି କହିଥିଲେ । ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନେ ହଟ୍ଟଗୋଳ ମଧ୍ୟରେ ବିଲ୍ ଉପସ୍ଥାପନ କରିଥିଲେ । ଏହାପରେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମ୍ପୃକ୍ତ ବିଲ୍ ଗୁଡିକର ଆଲୋଚନା ଲାଗି ଦିନ ଓ ସମୟ ଧାର୍ଯ୍ୟ ଲାଗି ଏକ ପ୍ରସ୍ତାବ ଆଗତ କରିଥିଲେ ।ମୌଖିକ ଭୋଟ୍ ରେ ତାହା ଗୃହୀତ ହୋଇଥିଲା । ସଦସ୍ୟମାନଙ୍କର ହୋ ହାଲ୍ଲା ଯୋଗୁଁ ୪ଟା ୨୪ ରୁ ୪ ଟା ୩୯ ପର୍ଯ୍ୟନ୍ତ ପୁଣି ଥରେ ଗୃହ ମୁଲତବୀ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ