ସୋରଡା ଏନଏସିରେ ଦୁଇ ସଂକ୍ରମିତ ଚିହ୍ନଟ ପରେ ନିଷେଧାଞ୍ଚଳ ଘୋଷଣା, ସଂକ୍ରମଣ ସଂଖ୍ୟା ୧୭ ଛୁଇଁଲା
ସୋରଡା, (ରଜନୀକାନ୍ତ ମହାପାତ୍ର): ସୋରଡା ପୌରପରିଷଦ ରେ ପାଦ ଦେଲା କୋରୋନା। ଦୁଇ ଜଣ ସୋରଡା ସହର ରେ ସଂକ୍ରମଣ ଥିବା ସ୍ପଷ୍ଟ ହେଇଛି। ଫଳରେ ସ୍ଥାନୀୟ ପ୍ରଶାସନ ଉକ୍ତ ସଂକ୍ରମିତ ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା କରିଛି। ସୋରଡାରେ ଦୁଇ ଜଣ ସଂକ୍ରମିତ ଜଣାପଡିବା ପରେ ସହର ବାସୀ ଏକ ପ୍ରକାର ଭୟରେ ରହିଛନ୍ତି। ଦୁଇ ଜଣ ସଂକ୍ରମିତଙ୍କ ଦ୍ଵାରା ଆଉ କେତେଜଣ ସଂକ୍ରମିତ ହେଇଥିବେ ତାହା ଏବେ ଜଣାପଡିବା କଷ୍ଟ। ତେଣୁ ସହର ବାସୀ ଏବେ କୋରୋନା କୁ ନେଇ ବେସ ଚିନ୍ତିତ। ସୋରଡା ସହରର ରଘୁନାଥ ମନ୍ଦିର ସାହିରେ ଜଣେ କୋରୋନା ସଂକ୍ରମିତ ହେଇଥିବା ବେଳେ ସ୍ଥାନୀୟ ଆଡପମଣ୍ଡପର ଜଣେ କୋରୋନା ସଂକ୍ରମିତ ହେଇଛନ୍ତି। ବର୍ତମାନ ଏହି ଦୁଇ ଜଣ କୋରୋନା ସଂକ୍ରମଣ ହେବା ପରେ ସହରର କିଛି ଅଞ୍ଚଳକୁ ସ୍ଥାନୀୟ ପ୍ରଶାସନ ନିଷେଧାଞ୍ଚଳ ଘୋଷଣା କରିଥିବା ବେଳେ କିଛି ଅଞ୍ଚଳ କୁ ବଫର ଜୋନ ଭାବେ ଘୋଷଣା କରିଛି। ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ବିଡିଓ ସିମାଞ୍ଚଳ ମଣ୍ଡଲ,ଅତିରିକ୍ତ ତହସିଲଦାର କୁରେଶ ଚନ୍ଦ୍ର ଜାଣି, ସୋରଡା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ପ୍ରଧାନ, କନିଷ୍ଠ ଜନ୍ତ୍ରୀ ସତ୍ୟନାରାୟନ ସାହୁ ପ୍ରମୁଖ କୋରୋନା ସଂକ୍ରମିତ ଅଞ୍ଚଳ ଯାଇ ସବୁ ବେରିକେଟ ବାନ୍ଧି ସିଲ କରିଛନ୍ତି। ସୋରଡା ବାଙ୍କବଜାର ଠାରୁ ରଘୁନାଥ ମନ୍ଦିର ଓ ଶଙ୍କର ଔଷଧାଳୟ ଯାଏଁ ନିଷେଧାଞ୍ଚଳ ଘୋଷଣା କରାଯିବା ସହ ଏହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘରୁ ବାହାରିବା ପାଇଁ ମନା କରାଯାଇଛି ଅତି ଆବଶ୍ୟକ ଜିନିଷ ଏଠାକୁ ପଠାଯିବା ର ବନ୍ଦୋବସ୍ତ କରାଯିବ ବୋଲି ଡାକବାଜି ଜନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଉଛି ସେହିପରି ଆଡପମଣ୍ଡପ ରେ ମଧ୍ୟ ବେରିକେଟ କରାଯାଇ ନିଷେଧାଞ୍ଚଳ ଘୋଷଣା କରାଯାଇଛି। ଏହି ଦୁଇ ପାଖ ଅଞ୍ଚଳ ରେ ଥିବା ସରୁଆ ସାହି,ବଡଦାଣ୍ଡ, ଆଡପମଣ୍ଡପ ,କେଉଟ ସାହି ଖଦାଳ ସାହି ଆଦି ଅଞ୍ଚଳକୁ ବଫର ଯୋନ ଭାବେ ଘୋଷଣା କରାଯାଇଛି। ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ସହରବାସୀ ଙ୍କୁ ନିବେଦନ କରାଯାଇଛି। ଦୁଇ ଜଣ ସଂକ୍ରମିତଙ୍କ ମଧ୍ୟରେ ଜଣେ ଔଷଧ ବ୍ୟବସାୟୀ ସମେତ ଜଣେ ବହୁବିଧ ସାମଗ୍ରୀ ବ୍ୟବସାୟୀ ଦୋକାନୀ ରହିଛନ୍ତି। ସୋରଡା ଅଞ୍ଚଳର ନୂଆଗଡ ଗ୍ରାମରୁ ଜଣେ କୋରୋନା ରୋଗୀ ଚିହ୍ନଟ ମଧ୍ୟ ହେଇଥିବା ଜଣାପଡିଛି। ସୋରଡା ସହର ଦୁଇ ଜଣକୁ ମିଶାଇ ବର୍ତମାନ ଏଠାରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ୧୭ ରେ ପହଞ୍ଚିଛି। ସୋରଡା ସହର ଏବଂ ଆଖପାଖ ଅଞ୍ଚଳ ରେ ବର୍ତମାନ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା ବୃଦ୍ଧିପାଉଛି। ସୋରଡା ରଘୁନାଥ ମନ୍ଦିର ସାହି ରେ ଥିବା କୋରୋନା ଆକ୍ରାନ୍ତଙ୍କ ପରିବାର ସମେତ ତାଙ୍କ ଭାଇଙ୍କ ପରିବାର କୁ କୋବିଡ ହସ୍ପିଟାଲ କୁ ଆଜି ସ୍ଥାନନ୍ତର କରାଯାଇଛି।


