ସ୍କାଉଟ ଗାଇଡ୍ରେ ଜିଲ୍ଲା ସମ୍ପାଦକ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ଜିଲ୍ଲା ସମ୍ପାଦକ ବୈଠକ ତା୭.୧୨.୨୦୨୨ରିଖ ଦିନ ୧୨.୦୦ ଘଟିକା ସମୟରେ ରାଜ୍ୟ ମୁଖ୍ୟାଳୟସ୍ଥ ସଭାଗୃହରେ ଆୟୋଜିତ ହୋଇଯାଇଛି । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମାନେ ସ୍କାଉଟ ଗାଇଡ୍ର ଜିଲ୍ଲା ସମ୍ପାଦକଭାବେ ଦାୟିତ୍ୱ ତୁଲାଇଥାନ୍ତି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଗଞ୍ଜାମ, ପୁରୀ, କଟକ, ନୂଆପଡା, କନ୍ଧମାଳ, ଝାରସୁଗୁଡା, ବାଲେଶ୍ୱର, ଅନୁଗୁଳ, ସୁନ୍ଦରଗଡ, ସୁବର୍ଣ୍ଣପୁର, ଢ଼େଙ୍କାନାଳ, ଭୁବନେଶ୍ୱର, କେନ୍ଦ୍ରାପଡା, ଯାଜପୁର ଆଦି ଜିଲ୍ଲାର ଜିଲ୍ଲା ସମ୍ପାଦକମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ତାଙ୍କ ସ୍ୱାଗତ ଭାଷଣରେ ବିଗତ ଦିନମାନଙ୍କରେ ରାଜ୍ୟ ସଂସ୍ଥା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଷ୍ଠା ଲାଭ କରିଥିବାର ଅବତାରଣା କରି ସଦସ୍ୟମାନଙ୍କର ସକ୍ରିୟ ସହଯୋଗର ଉଚ୍ଚପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ଆଶା ବ୍ୟକ୍ତ କରିଥିଲା । ପରେ ପରେ କାର୍ଯ୍ୟସୂଚୀ ଅନୁଯାୟୀ ଗତବର୍ଷର ଆୟ ବ୍ୟୟର ଅଟକଳ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା ଏବଂ ଆସନ୍ତା ବର୍ଷ ନୂତନ ଭାବରେ କେଉଁ କେଉଁ କାର୍ଯ୍ୟ କରାଯିବ ସେ ବିଷୟରେ ସମସ୍ତଙ୍କର ପ୍ରସ୍ତାବ ନିଆଯାଇଥିଲା । ଶେଷରେ ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


