ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ଫେରାର

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଅଢ଼େଇ ଗାଁ ରେ କୌଣସି କଥାରେ ଉତ୍ତ୍ୟକ୍ତ ହୋଇ ମଦ୍ୟପ ସ୍ୱାମୀ ସ୍ତ୍ରୀ କୁ କାତିରେ ହାଣି ଗୁରୁତର କରିବା ସହ ଘଟଣା ସ୍ଥଳରୁ ଚମ୍ପକ ମାରିଛି ।ମୃତ ମହିଳାଙ୍କ ଭାଇର ଏତଲା କ୍ରମେ ବେଲଗୁଣ୍ଠା ପୋଲିସ ହତ୍ୟା ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।ମୃତ ମହିଳାଙ୍କ ଭାଇ ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମର କୃଷ୍ଣ ଚନ୍ଦ୍ର ଗୌଡ ଦେଇଥିବା ଏତଲା ପ୍ରକାରେ,ତାଙ୍କ ଭଉଣୀ ରଶ୍ମିତା ଗୌଡ(35) ଅଢେଇଗାଁର ଅନ୍ତର୍ଯ୍ୟାମୀ ଗୌଡ ଓରଫ ଡାକ ସହିତ ୧୫ ବର୍ଷ ତଳେ ବୈଦିକ ରିତିରେ ଯାନିଯୌତୁକ ସହ ବିବାହ କରିଥିଲେ ।ଡାକ କିଛି କାମ ନ କରି ପ୍ରତିଦିନ ମଦ ପିଇକି ଆସି ସ୍ତ୍ରୀ ରଶ୍ମିତା କୁ ମାରପିଟ କରୁଥିଲେ ।ଅତିରିକ୍ତ ୫ ଲକ୍ଷ ଟଙ୍କା ଆଣିବା ପାଇଁ ଡାକ ଓ ତାର ଭଉଣୀ ସଂଜୁ ଗୌଡ ଓ ଜ୍ୱାଇଁ ଚରଣ ଗୌଡ ରଶ୍ମିତା କୁ ଚାପ ପକାଇ ଆସୁଥିଲେ ।ଏହା ସହ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ ।ଗୁରୁବାର ରାତ୍ରରେ ଡାକ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ରଶ୍ମିତାକୁ ମାଡ ମାରି ମଧ୍ୟରାତ୍ର ପ୍ରାୟ ଗୋଟାଏ ବେଳେ ଏକ କାତିରେ ରଶ୍ମିତା ର ମୁଣ୍ଡ ଓ ହାତ କୁ ଡାକ ହାଣି ଦେଇଥିଲା ।ରଶ୍ମିତା ଓ ଡାକର ମାଁର ପାଟି ଶୁଣି ସାହି ପଡିଶା ଆସିଯିବାରୁ ଡାକ ବାରିପଟେ ଦୌଡ଼ି ପଳେଇ ଯାଇ ବାରିପଟେ ଥିବା କୁଅରେ ଡେଇଁ ପଡିବାର ବାହାନା କରି ସେଠାରୁ ଚତୁରତାର ସହ କେଉଁଆଡେ ଫେରାର ହୋଇଯାଇଥିଲା ।ସାହିବାସିନ୍ଦା ମୁର୍ମୁଷୁ ଅବସ୍ଥାରେ ରଶ୍ମିତା କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିବା ସହ ବେଲଗୁଣ୍ଠା ଦମକଳ ବାହିନୀକୁ ଖବର ଦେଇଥିଲେ ।ବେଲଗୁଣ୍ଠା ରୁ ଦମକଳ ବାହିନୀ ଆସି କୁଅରେ ଖୋଜାଖୋଜି କରିଥିଲେ ମଧ୍ୟ ହତ୍ୟାକାରୀ ଡାକର କୌଣସି ସନ୍ଧାନ ନ ପାଇ ଫେରିଯାଇଥିଲେ ।ରଶ୍ମିତା ର ଅବସ୍ଥା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ନେବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ତାର ମୃତ୍ୟୁ ଘଟିଥିଲା ।ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ରଶ୍ମିତା ର ଶବକୁ ଜବତ କରି ଭଞ୍ଜନଗରେ ବ୍ୟବଚ୍ଛେଦ କରିବା ପରେ ତାଙ୍କ ସମ୍ପର୍କୀୟ ଙ୍କୁ ଶବ ହସ୍ତାନ୍ତର କରିଥିଲେ ।ରଶ୍ମିତାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବା ବେଳେ ଗୋଟିଏ ପୁଅ ମାନସିକ ଅନଗ୍ରସର ଅଟେ ।ରଶ୍ମିତାର ଶବ ଗ୍ରାମରେ ପହଞ୍ଚିବା ପରେ ତିନି ପୁଅଝିଅଙ୍କ କାନ୍ଦ ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ତିନି ପୁଅଝିଅ ଙ୍କ ଭବିଷ୍ୟତ କୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ