ସ୍ୱାଧୀନତାର ୭୨ ବର୍ଷ ପରେବି ବିକାଶର ନଗ୍ନ ଚିତ୍ର , କେନ୍ଦ୍ରାପଡାର ନଗଡା ପଥରଗଡା ମୁଣ୍ଡା ସାହି !
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସୁ)- ସ୍ୱାଧୀନତାର ୭୨ ବର୍ଷ ପରେବି ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ସହରତଳି ଅଚଂଳରେ । ଯେଉଁଠି ଶିକ୍ଷାରୁ ଉପେକ୍ଷିତ ଓ ସ୍ୱାସ୍ଥ୍ୟସେବା ସେମାନଙ୍କ ପାଇଁ ଅପହଁଚ । ରାଜ୍ୟର ୨ୟ ନଗଡା କହିଲେ ଅତ୍ୟୁକ୍ତି ହେବ ନି । ରାଜ୍ୟ ସରକାର ସାରାରାଜ୍ୟରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ସଦର ମହକୂମା ଠାରୁ ଅନତିଦୂରରେ ଥିବା ଅନୁସୂଚିତ ଜନଜାତିବସ୍ତିରେ ତାହାର ସ୍ପଷ୍ଟ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଶିକ୍ଷା କଥା ଛାଡ ନା ଅଛି ସ୍ୱାସ୍ଥ୍ୟ ସେବା, ନା ପାନୀୟ ଜଳର ସୁବିଧା ନା ବିଦ୍ୟୁତ ସେବା । ଧାନଜମି ହିଡ ହେଉଛି ସେମାନଙ୍କ ପାଇଁ ସବୁଦିନିଆ ରାସ୍ତା । ପୁଣି ଜଣେ ବ୍ୟକ୍ତିଗତ ଲୋକର ପୋଖରୀ ହୁଡା ଦେଇ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବର୍ଷା ଦିନେ ପ୍ରାୟ ଅଧ କିଲୋମିଟର ରାସ୍ତା ସାଇକେଲ କାନ୍ଧରେ ବୋହି ନେବାକୁ ପଡିଥାଏ । ରାସ୍ତା ନ ଥିବାରୁ ବିପଦ ଓ ଜରୁରୀ କାଳୀନ ଗାଡି ଯିବାତ ଦୂରର କଥା ସେହି ବସ୍ତିକୁ ଯାଇ ପାରେ ନା ଦୁଇ ଚକିଆ ଯାନଟିଏ । ଏହି ଘଟଣା ମାଲକାନାଗିରି କିମ୍ବା କଳାହାଣ୍ଡି ,କୋରାପୁଟ ଭଳି ଦୁର୍ଗମ ଅଂଚଳ ନୁହେଁ । ଜିଲ୍ଲା ସଦରମହକୁମାର ମାତ୍ର ୪ କିଲୋମିଟର ଦୂରତାରେ ଅବସ୍ଥିତ କେନ୍ଦ୍ରାପଡା ବ୍ଲକ ଅର୍ନ୍ତଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ୫ନମ୍ବର (କ) ଜାତୀୟ ରାଜପଥ କଡରେ ଥିବା ପଥରଗଡା ମୁଣ୍ଡା ସାହି ବସ୍ତି । ଏଠି ବସବାସ କରୁଥିବା ପ୍ରାୟ ୪୦ଟି ମୁଣ୍ଡା (ଅନୁସୂଚିତ ଜନଜାତି) ପରିବାରଙ୍କ ନିମନ୍ତେ ଅପହଁଚ ହୋଇପଡିଛି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା । ବସ୍ତି ଠାରୁ ପାଖ ବିଦ୍ୟାଳୟ ଓ ଅଙ୍ଗନ ୱାଡି କେନ୍ଦ୍ରର ଦୂରତା ପ୍ରାୟ ୧ କିଲୋମିଟର । ବିଦ୍ୟାଳୟକୁ ସବୁଦିନିଆ ରାସ୍ତା ନ ଥିବାରୁ ବର୍ଷା ୪ ମାସ ଯାକ ବସ୍ତିର ପିଲାମାନଙ୍କର ପାଠ ପଢାରେ ଡୋରି ବନ୍ଧା ଯାଇଥାଏ । ପ୍ରତି ବର୍ଷ ରାଜ୍ୟ ଓ କେନ୍ଦ୍ର ସରକାର ଜିଲ୍ଲାର ଶିକ୍ଷା ,ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ ଓ ରାସ୍ତାଘାଟର ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରୁଥିବାବେଳେ ଏହି ଅର୍ଥ ଜିଲ୍ଲାରେ ଉନ୍ନତି ପରିବେ ର୍ ବାଟ ମାରଣା ହେଉଛି ।

ବସ୍ତିରେ ନଳକୂପର ସୁବିଧା ନ ଥିବାରୁ ସେମାନଙ୍କୁ ପିଇବା ପାଣି ଆଣିବା ପାଇଁ ଯିବାକୁ ପଡେ ପ୍ରାୟ ୧କଲୋମିଟର ଦୂରକୁ । ସଞ୍ଜ ପୂର୍ବରୁ ପାଣି ଯୋଗାଡ ନ କଲେ ରାତିରେ ରୋଷେଇ ବନ୍ଦ ହୋଇଥାଏ । ପାଇଖିନା ସେମାନଙ୍କ ପାଇଁ ସ୍ୱପ୍ନ । ବର୍ଷା ଦିନେ ରୋଗ ବେମାରରେ ପଡିଲେ ସେମାନଙ୍କୁ ଭଗବାନ ଯାହା ଭରଷା । ଯଦି ବର୍ଷା ଦିନେ ହଠାତ କାହାର ଦେହ ଖରାପ ହେଲେ ବସ୍ତିର ଲୋକେ ରୋଗୀକୁ ଭାରରେ ବୋହି ଧାନ ହିଡ ବିଲଦେଇ ପ୍ରାୟ ୧ କିଲୋମିଟର ଆସିବା ପରେ ଅନ୍ୟ କେଉଁ ବ୍ୟବସ୍ଥା ଯୋଗେ ଡାକ୍ତରଖାନାକୁ ନେଇ ଥାଆନ୍ତି । ଗତ ୪ ବର୍ଷ ତଳେ ବର୍ଷା ଦିନେ ବସ୍ତିର ଗୀତା ସିଂ କୁ ସାପ କାମୁଡି ଦେବାରୁ ତା’ର ମୃତ୍ୟୁ ହୋଇ ଯାଇଥିବାର ଅଭିଯୋଗ କରନ୍ତି ବସ୍ତିବାସିନ୍ଦା । ସେହି ବସ୍ତିର ଲୋକ ସଂଖ୍ୟା ୧୦୦ରୁ ଉର୍ଦ୍ଧ ହୋଇ ଥିବା ବେଳେ ୬ ବର୍ଷ ମଧ୍ୟର ଶିଶୁଙ୍କ ସଂଖ୍ୟା ପ୍ରାୟ ୩୦ ରୁ ଅଧିକ । ସେମାନେ ସ୍ଥାନୀୟ ମରଡପୁର ଅଙ୍ଗନଫୱାଡି କେନ୍ଦ୍ରରେ ନାମ ଲେଖାଇ ଥିଲେ ମଧ୍ୟ ଖରାଦିନ ବ୍ୟତିତ ବର୍ଷା ୪ ମାସ ପାଠ ପଢିବାକୁ ଯାଇ ପାରନ୍ତି ନାହିଁ । ଭୋଟ ପରିଚୟପତ୍ର ,ଆଧାରକାର୍ଡ ପାଇ ଭୋଟ ଦେବାର ଅଧିକାର ପାଇଥିଲେ ମଧ୍ୟ ସେହି ବସ୍ତିବାସିନ୍ଦା ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି । ୧୯୬୦ ମସିହାରୁ ଜାତୀୟ ରାଜପଥ ନିର୍ମାଣ ସମୟରେ କେଉଁଝର ଜିଲ୍ଳାର ରାଜନଗର ଅଂଚଳରୁ ଆସିଥିବା ସେହି ଅନୁସୂଚିତ ଜନଯାତି (ମୁଣ୍ଡା) ସଂପ୍ରଦାୟର ସେହି ବସ୍ତିବାସିନ୍ଦାମାନେ ସେବେଠାରୁ ଏଠାରେ ସ୍ଥାଇ ଭାବେ ରହିଆସୁଛନ୍ତି ।

ପଚାଂୟତ ଭୋଟ ଠାରୁ ଆରମ୍ଭ କରି ବିଧାନସଭା ଓ ଲୋକସଭା ଭୋଟ ଦେବାର ଅଧିକାର ପାଇଥିଲେ ମଧ୍ୟ ଜଣେ ସାଧାରଣ ନାଗରିକ ଭାବରେ ବଂଚିବାର ମୌଳିକ ଅଧିକାର ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ପରେ ମଧ୍ୟ ସେମାନେ ପାଇ ପାରି ନଥିବାର ଦେଖିବାକୁ ମିଳିଛି । ରାତିରେ ରୋଗ ବେମାରରେ ପଡ଼ିଲେ ସେମାନେ ଭଗବାନଙ୍କ ଭରସାରେ ସକାଳକୁ ଅପେକ୍ଷା କରିଥାନ୍ତି । ସେହି ବସ୍ତିର ସମୁଦାୟ ଲୋକ ସଂଖ୍ୟା ୧୫୦ରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଛୋଟ ପିଲାଙ୍କ ସଂଖ୍ୟା ପ୍ରାୟ ୪୦ । ସେମାନଙ୍କ ମଧ୍ୟରୁ ଭୋଟର ସଂଖ୍ୟା ପ୍ରାୟ ୭୦ । ନିର୍ବାଚନ ସମୟରେ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି କୁଜି ନେତାମାନେ ସେହି ବସ୍ତିକୁ ଯାଇ ବଭିନ୍ନ ପ୍ରକାର ସରୁ କଥା କହି ଭୋଟ ହାତେଇ ନେଇ ଜିତିଗଲା ପରେ ସେହି ବସ୍ତିକୁ ଆଉ ସେମାନଙ୍କ ପାଦ ପଡେ ନାହିଁ । ସେହି ବସ୍ତିିକୁ ସବୁଦିନିଆ ରାସ୍ତା , ବିଦ୍ୟୁତ, ପାନୀୟ ଜଳଯୋଗାଣ ପାଇଁ ବସ୍ତିବାସିନ୍ଦା ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ସ୍ତରରେ ବାରମ୍ବାର ଗୁହାରି କଲେ ମଧ୍ୟ ଏଯାଏ ବସ୍ତିକୁ ନା ସବୁଦିନିଆ ରାସ୍ତା ଟିଏ ଅଛି ନା ପାନୀୟ ଜଳଯୋଗାଣ ବ୍ୟବସ୍ଥା ହୋଇଛି । ବସ୍ତିର ଲୋକେ ଦିନ ମଜୁରିଆ ହୋଇ ଥିବାରୁ ସକାଳ ହେଲେ ମଜୁରି ଲାଗିବାକୁ ଯାଇ ସଂଧ୍ୟା ହେଲେ ଘରକୁ ଫେରିଥାନ୍ତି । ଦାବି, ଅଭିଯୋଗ , ଧାରଣା ପାଇଁ ସେମାନଙ୍କ ନିକଟରେ ସମୟ ନ ଥାଏ । ଏସମ୍ପର୍କରେ ସ୍ଥାନୀୟ ସରପଂଚଙ୍କ ସହିତ ଯୋଗାଯୋଗ କରିବାରୁ ବସ୍ତିକୁ ବିଦ୍ୟୁତ୍ ଯୋଗଣ କରାଯାଇଥିବା କଥା ପ୍ରକାଶ କରିଥିଲେ ମଧ୍ୟ ସବୁଦିନିଆ ରାସ୍ତା ପାଇଁ ସମସ୍ୟା ଲାଗି ରହିଛିବୋଲି କହିଥିଲେ । ଜିଲ୍ଲାପାଳ ଗତ କିଛିଦିନ ତଳେ ପୌରାଚଂଳର କଜଳା ବସ୍ତିକୁ ଯାଇ ସେହି ବସ୍ତିରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ମୁଣ୍ଡାସାହି ବସ୍ତିକୁ ଗସ୍ତ କରି ସେଠାରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଅଭାବ ଅସୁବିଧା ବୁଝି ତାହାର ସମାଧାନ କରିବାକୁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା, କୁଞ୍ଜ ବିହାରୀ ସିଂହ ପ୍ରମୁଖ ବୟସ୍କ ବ୍ୟକ୍ତିମାନେ ଦାବି କରିଛନ୍ତି ।


