ସ୍ୱାବ ସଂଗ୍ରହ ଓ ଟେଷ୍ଟିଙ୍ଗ ଭ୍ୟାନ୍ କିଣିବା ପାଇଁ ବିଧାୟକଙ୍କ ସହାୟତା
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଓଡିଶା ରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି ଗଞ୍ଜାମ ଜିଲ୍ଲା ।ଏଠାରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି ମହାମାରୀ ସମୟରେ ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ କୋଭିଡ-୧୯ର ମୁକାବିଲା ନିମନ୍ତେ ନିଜ ବିଧାୟକ ହାତପାଣ୍ଠି ରୁ ମୋବାଇଲ ସ୍ୱାବ ସଂଗ୍ରହ ଓ ଟେଷ୍ଟିଙ୍ଗ ଭ୍ୟାନ୍ କିଣିବା ପାଇଁ ୫୦ ଲକ୍ଷ ଟଙ୍କା ର ଅନୁଦାନ ଦେଇଛନ୍ତି। ଏହି ଅର୍ଥ ମାନ୍ୟବର ଜିଲ୍ଲାପାଳଙ୍କ ଜରିଆରେ ଚିଠି ନମ୍ବର -୧୦୧୭/DPMU, ତାରିଖ ୦୪-୦୮-୨୦୨୦ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି । ଯାହାକି ଗଞ୍ଜାମ ଜିଲ୍ଲା ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ହୃଦୟବାନ ମନୋଭାବକୁ ଦର୍ଶାଉଛି। ଏଥିପାଇଁ ଗଞ୍ଜାମ ଜିଲ୍ଲା ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଜନସାଧାରଣ ତାଙ୍କୁ ସାଧୁବାଦ ଜଣାଇଛନ୍ତି।ପ୍ରକାଶ ଥାଉକି ୦୯-୦୭-୨୦୨୦ତାରିଖରେ ମଧ୍ୟ ମାନ୍ୟବର ବିଧାୟକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ପାଇଁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ନେତୃତ୍ୱ କରି ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଥିରେ ନେଇ ୨୮, ୩୭, ୮୮୨ ଟଙ୍କା ସଂଗ୍ରହ କରି କରୋନା ମହାମାରୀ ସମୟରେ ମହାନତା ର କାର୍ଯ୍ୟ କରିଛନ୍ତି।


