ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ନିଖିଳ ଓଡିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ସଙ୍ଘ ପକ୍ଷରୁ ୨୦୦୬ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ନିଯୁକ୍ତି ଅପେକ୍ଷାରେ ଥିବା ୧୭ହଜାରରୁ ଉର୍ଦ୍ଧ୍ୱ ଏ.ଏନ.ଏମ.ମାନଙ୍କ ସମସ୍ୟା ସମ୍ପର୍କରେ ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ସଚିବ ଓ ନିର୍ଦେଶକଙ୍କ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ସମ୍ପର୍କରେ ସରକାର କୈାଣସି ପଦକ୍ଷେପ ନନେଇ ପୁନଃ କାଉନସେଲିଂ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛି ସଙ୍ଘ । ସ୍ୱାସ୍ଥ୍ୟ ବିଭାଗ କୋଟି କୋଟି ଜନତାଙ୍କ ସ୍ୱାସ୍ଥ୍ୟସେବା ଅଧିକାରକୁ ଛଡାଇ ନେଇଥିବା ବେଳେ ଅପେକ୍ଷାରତ ଏ.ଏନ.ଏମ.ମାନଙ୍କ ପରିବାରକୁ ଆର୍ଥିକ ଅନଗ୍ରସର ମଧ୍ୟକୁ ଠେଲିଦେଇଛି ବୋଲି ଅଭିଯୋଗ ହୋଇଛି । ଆଇ.ପି.ଏଚ.ଏସ. ନିୟମକୁ ଅଣଦେଖାକରି ଏବଂ ଏନ.ଏଚ.ଏମ.ନିୟମକୁ ଉଲଙ୍ଘନ କରି ସ୍ୱାସ୍ଥ୍ୟସେବାରେ ମାନବ ସମ୍ବଳର ଉପଯୁକ୍ତ ବ୍ୟବସ୍ଥା ନକରି ରାଜ୍ୟ ସ୍ୱାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ ଆଡକୁ ଠେଲିଦେଉଛି । ଦିନକୁଦିନ ହଜାର ହଜାର ସ୍ୱାସ୍ଥ୍ୟସେବା ଅଭାବରୁ ମୃତ୍ୟୁ ବରଣ କରୁଥିବା ବେଳେ ଅନେକ ମହିଳା ପ୍ରସୁତିଜନକ ଶଙ୍କଟରେ ବିଚ ରାସ୍ତାରେ ମୃତ୍ୟୁ ବରଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସର୍ବନିମ୍ନ ସ୍ୱାସ୍ଥ୍ୟସେବାରୁ ବଂଚିତ କରି ସରକାର କେଉଁ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ? ପ୍ରଥମେ ଏ.ଏନ.ଏମ.ତାଲିମରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପରେ ନୂତନ କାଉନସେଲିଂ କରାଯାଉ ବୋଲି ସେମାନେ କହିଛନ୍ତି । ସଙ୍ଘ ତାଲିମ ନେବାକୁ ଆସୁଥିବା ଛାତ୍ରୀମାନଙ୍କୁ ବିରୋଧ କରୁନାହିଁ ବରଂ ତାଲିମ ସମାପ୍ତ ପରେ ସରକାର ନିଯୁକ୍ତି ପ୍ରଦାନ ନକରିବାକୁ ବିରୋଧ କରାଯାଉଛି ବୋଲି କହିଛି ସଙ୍ଘ । ଆଗାମି ଦିନରେ ସରକାର ଏହି ସମସ୍ୟାର ସମାଧାନ ନକଲେ ଓଡିଶା ବନ୍ଦ କରାଯିବା ସହିତ ରାଜ୍ୟର ସମସ୍ତ ନୋଡାଲ କାଉନସେଲିଂ କେନ୍ଦ୍ରରେ ତାଲା ପକାଇଦିଆଯିବ ବୋଲି ସଙ୍ଘ ସରକାରଙ୍କୁ ଚେତାବନୀ ଦେଇଛି । ତେଣୁ ଏ ସମ୍ପର୍କରେ ତୁରନ୍ତ ବାଚାର କରାଯାଇ ଅଣନିଯୁକ୍ତ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବାକୁ ସଙ୍ଘ ଦାବିକରିଛି । ନଚେତ ସଙ୍ଘ ପକ୍ଷରୁ ଏହାର ପ୍ରତିବାଦରେ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ ମୁଣ୍ଡଟେକିବ ବୋଲି ସଙ୍ଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା,ସମ୍ପାଦିକା ସଂଯୁକ୍ତା ସାହୁ,ଜିଲ୍ଲା ସଭାପତି ସାବିତ୍ରୀ ଲେଙ୍କା,ଚନ୍ଦନା ବାରିକ,ଶିଳ୍ପା ଖଟୁଆ,ସୁନିତା ପ୍ରଧାନ,ସରସ୍ୱତୀ ସାହୁ,ସଂଯୁକ୍ତା ପାତ୍ର ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ