ହକିର ଦ୍ୱିତୀୟ ଏନ୍ତୁଡିଶାଳ ଛତ୍ରପୁର ଠାରେ ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ
ଛତ୍ରପୁର, (ଦେବଦତ୍ତ ମହାରଣା):ଆସନ୍ତା ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡିଶାରେ ପୁରୁଷ ହକି ବିଶ୍ୱକପ୍-୨୦୨୩ ଆରମ୍ଭ ହେବାକୁ ରହିଛି । ଭୁବନେଶ୍ୱର ଏବଂ ରାଉରକେଲାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିରେ ୧୬ଟି ଦେଶ ଭାଗ ନେଉଛନ୍ତି । ଟୁର୍ନାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହାପୂର୍ବରୁ ହକି ବିଶ୍ୱକପ୍ ଟ୍ରଫିକୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଉଛି । ଆଜି ହକି ବିଶ୍ୱକପ୍ ଟ୍ରଫିକୁ ଗଞ୍ଜାମ ଜିଲ୍ଲାକୁ ଆସିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ଆଡମ୍ବରରେ ସ୍ୱାଗତ କରାଯାଇଛି । ଓଡିଶା ରାଜ୍ୟର ହକିର ଦ୍ୱିତୀୟ ଏନ୍ତୁଡିଶାଳ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ ଜଣାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଆରଡିଏ ଛକଠାରୁ କ୍ରୀଡାପ୍ରେମୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଜନସାଧାରଣମାନେ ଉପସ୍ଥିତ ରହି ଟ୍ରଫିକୁ ଛତ୍ରପୁର ଷ୍ଟାଡିଅମ୍ ପରିସରକୁ ପାଛୋଟି ଆଣାଯାଇଥିଲା । ଷ୍ଟାଡିଅମ୍ ପରିସରରେ ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ ଜଣାଇବା ଲାଗି ଆକର୍ଷଣୀୟ ଷ୍ଟେଜ୍ର ବ୍ୟବସ୍ଥା ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଓ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି, ବିଇଓ ସିତାରାମ ପାତ୍ର, ଏନ୍ଏସି ଇଓ ଉମାକାନ୍ତ ନାୟକ, ସିଡିପିଓ ପ୍ରଣମିତା ପଣ୍ଡା, ଛତ୍ରପୁର ହକି ଆସୋସିଏସନ୍ର ସଭାପତି ତଥା ଯୁବ ବିଜେଡି ସଭାପତି ଟି.ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ ପ୍ରଶାସନିକ ଓ ପୁଲିସ ଅଧିକାରୀ ଉପସ୍ଥିତ ରହି ହକି ବିଶ୍ୱକପ୍କୁ ସ୍ୱାଗତ ଜଣାଇଥିଲେ । ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଚମାଖଣ୍ଡି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସମେତ ବହୁ ପୁଲିସ କର୍ମଚାରୀ ସୁରକ୍ଷାର ବ୍ୟବସ୍ଥା ନେଇ ପଦକ୍ଷେପ ନେଇଥିଲେ । ଏହି ଅବସରରେ ବିଭିନ୍ନ ଖେଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଗଞ୍ଜାମ ଜିଲ୍ଲାର ୭ ଜଣ ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ କୋମନ୍ୱେଲଥ୍ ଚାମ୍ପିଅନ୍ସିପ୍ ୱିଲ୍ ଚେୟାର ଫେନ୍ସିଂ-୨୦୨୨ରେ ଟିମ୍ ଇଭେଣ୍ଟ୍ରେ ରୌପ୍ୟ ପଦକ ହାସଲ କରିଥିବା ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଖେଳାଳି ଭି.ରମେଶ ରାଓ, ବିଶ୍ୱ ସ୍ୱାସ୍ଥ୍ୟ ସୁନ୍ଦର ପ୍ରତିଯୋଗିତା-୨୦୨୧ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଚନ୍ଦନ କୁମାର ସାହୁ, ପ୍ରଥମ ପାରାଅଲମ୍ପିଆନ୍ ମାର୍କଣ୍ଡ ରେଡ୍ଡୀ, ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଆନ୍ସିପ୍ -୨୦୧୭ ସୁନିଲ୍ ପ୍ରଧାନ, ଜାତୀୟସ୍ତରରେ ରୋଲର ସ୍କାଟିଂ ଚାମ୍ପିଆନସିପ୍ ଶୁଭ୍ରଜିତ୍ ସାହୁ, ଆଶୁତୋଷ ପାଢୀ ଓ ଅନ୍ୱେଷା ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


