ହାତରେ ଧନୁ ତୀର ଧରି ଭିନ୍ନ ଢଙ୍ଗରେ ଆନ୍ଦୋଲନକୁ ଓହ୍ଲାଇଲେ
ଛତ୍ରପୁର, (ଦେବଦତ୍ତ ମହାରଣା) : ନିଜ ଜୀବନ ଜିବିକା ଅଧିକାର ନେଇ ଆଜି ଆଦିବାସୀ ମହିଳା ଓ ପୁରୁଷ ମାନେ ହାତରେ ଧନୁ ତୀର ଧରି ଭିନ୍ନ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଦିବାସୀ ଅଂଚଳରେ କମ୍ପାନୀର ପ୍ରବେଶକୁ ରୋକ ଲଗାଇବା, ଜଙ୍ଗଳ ଅଧିକାର ଆଇନକୁ ଅକାମୀ କରିବା ଚଳିବ ନାହିଁ, ଦେଶୀ ବିଦେଶୀ କମ୍ପାନୀ ହାତରେ ଜଳ ଜମି ଜଙ୍ଗଲ ଟେକି ଦେବା ବନ୍ଦ କରାଯାଉ, ଜଙ୍ଗଳ ଅଧିକାର ଆଇନ ୨୦୦୬ ଆଇନର ସଠିକ୍ କାର୍ଯ୍ୟକାରୀ କରିବା ସମେତ ଆଦିବାସୀ ମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ନ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ସଂରକ୍ଷଣ ଆଇନ ସଂଶୋଧନ ପ୍ତସ୍ତାବ ବିରୁଦ୍ଧରେ ରାଜ୍ୟ ବ୍ୟାପୀ ଗଣ ପ୍ରତିବାଦରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା, ଜଗନ୍ନାଥପ୍ରସାଦ, ଭଞ୍ଜନଗର, ସାନଖେମୁଣ୍ଡି ଓ ଶେରଗଡ ବ୍ଲକ ଅଂଚଳର ସିଏସଡି ଓଡିଶା, ଗ୍ରାମସଭା ସମୂହ, ପ୍ରାକୃତିକ ସମ୍ପଦର ସୁରକ୍ଷା ଅଭିଯାନ ଗଞ୍ଜାମ, ଆଦିବାସୀ ଭାରତ ମହାସଭା, ଚାଷି ମୁଲିଆ ସଂଘ, ଆଦିବାସୀ ଭାରତ ମହାସଭା ଓ ଋଷିକୁଲ୍ୟା ରୟତ ମହାସଭା ର ବିଭିନ୍ନ ଆଦିବାସୀ ମହିଳା ଓ ପୁରୁଷ ମାନେ ସାମିଲ ହୋଇଛନ୍ତି । ଏନେଇ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କ ଅଧିକାର ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲେ । ପରେ ଏକ ପ୍ରତିନିଧି ଦଳ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସାଧାରଣ ସମ୍ପାଦକ ସିମାଂଚଳ ନାହାକ, ବିଜୟ ସ୍ୱାଇଁ, ଟୁନା ମଳିକ, ଶଙ୍କର ଶିବିର, ପୁର୍ଣ୍ଣ ପ୍ରଧାନ, ସଜନୀ ଶିବିର ପ୍ରମୁଖ ଉପସ୍ଥିତ ଥିଲେ ।


