ହିଞ୍ଜିଳିକାଟୁ ପଂଚାୟତ ସମିତିର ୧୦ତମ ବୈଠକ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକର ୧୦ତମ ସମିତି ବୈଠକ ବୁଧବାର ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ସଭାପତିତ୍ୱ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ବ୍ଳକ ଉପାଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ମଂଚାସୀନ ଥିଲେ । କୃଷି ବିଭାଗ ଓ ମତ୍ସ ସମ୍ପଦ ବିଭାଗର ବିଭିନ୍ନ ଗ୍ରାମୀଣ ଅଧିବାସୀଙ୍କ ଆର୍ଥୀକ ବିକାଶକୁ ପ୍ରଭାବିତ କରୁଥିବା ଯୋଜନା ଗୁଡ଼ିକୁ ସୁବ୍ୟବସ୍ଥା ଢଙ୍ଗରେ ଲୋକଙ୍କ ଅବଗତି ସକାଶେ କାର୍ଯ୍ୟକାରୀ କରିବା ଏବଂ ହିଞ୍ଜିଳି ମୁଖ୍ୟତଃ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବାରୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ତୃଣମୂଳ ସ୍ତରରେ ଯୋଜନା ଗୁଡ଼ିକୁ ଲୋକଙ୍କୁ ଅବଗତ କରି ଲାଭବାନ ହେବା ନିମନ୍ତେ ଯୋଜନା ଗୁଡ଼ିକ ସଠିକ ଭାବେ କାର୍ଯ୍ୟକାରୀ କରିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଚଳିତ ଆର୍ଥୀକ ବର୍ଷରେ ୧୧ଲକ୍ଷ ୧୧ ଶ୍ରମ ଦିବସ ସକାଶେ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିବା ବେଳେ ଡ଼ିସେମ୍ବର ୨୩ତାରିଖ ସୁଦ୍ଧା ୭୦ଲକ୍ଷ୪ ହଜାର ୧ଶହ ହାସଲ କରାଯାଇଛି । ଯାହାକି ୬୪.୦୧% ରହିଛି । ଅବଶିଷ୍ଟ ୪ ଲକ୍ଷ ଚଳିତ ଆର୍ଥୀକ ବର୍ଷ ଶେଷ ସୁଦ୍ଧା ସମ୍ପୁର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ପ୍ରତି ପଂଚାୟତରେ ଦୈନିକ ୫ଶହ ଶ୍ରମ ଦିବସ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଗଞ୍ଜାମ ଜିଲ୍ଲାରେ ହିଞ୍ଜିଳିକାଟୁ ବ୍ଳକ ୨ୟ ସ୍ଥାନରେ ରହିଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବୁଧବାର ସୁଦ୍ଧା ୪ହଜାର ୧୧୭ ଜଣ ଶ୍ରମିକ କାର୍ଯ୍ୟ କରିଥିବା ବେଳେ ୧୨୩୯ ଜଣ ଶ୍ରମିକ ୧୦୦ ଦିନର କାର୍ଯ୍ୟ ଶେଷ କରିଛନ୍ତି । ୨୦୩ ହିତାଧିକାରୀଙ୍କୁ ମାଷ୍ଟ୍ରର ରୋଲ ପ୍ରଦାନ କରାଯାଇଛି । ବିଜୁ ପକ୍କା ଘର ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ନିର୍ମାଣ ଶ୍ରମିକ ଆବାସ ଯୋଜନା ଓ ତିତିଲି ବାତ୍ୟା ସମୟରେ କ୍ଷତିଗ୍ରସ୍ତ ଆବାସ ଗୃହ ଆଦି ୩ହଜାର ୧୪୩ ସମ୍ପୁର୍ଣ୍ଣ ଆବାସ ଗୃହର ଚଳିତ ଡ଼ିସେମ୍ବର ଶେଷ ସୁଦ୍ଧା ସର୍ଭେ କରାଯାଇ ସଂପୃକ୍ତ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଂଶସା ପତ୍ର ପ୍ରଦାନ ନିମନ୍ତେ ଳକ୍ଷ୍ୟ ରଖାଯାଇଛି । ଗ୍ରାମୀଣ ପାନୀୟ ଜଳ ଯୋଜନାରେ ବ୍ଳକର ୫୧ଟି ଗ୍ରାମରୁ ମାର୍ଚ୍ଚ ଶେଷ ସୁଦ୍ଧା ୪୦ଟି ଗ୍ରାମକୁ ସମ୍ପୁର୍ଣ୍ଣ ଭାବେ ପ୍ରତ୍ୟେକ ଘରକୁ ପାନୀୟ ଜଳ ସଂଯୋଗୀକରଣ କରାଯିବ । ବ୍ଳକର ସମସ୍ତ ପଂଚାୟତରେ ପ୍ରତ୍ୟେକ ପରିବାରକୁ ସର୍ଭେ କରାଯାଇ ମଶାରୀ ବଂଟନ କରାଯିବ ବୋଲି ବିଡ଼ିଓ ପାତ୍ର କହିଥିଲେ । ନନ୍ଦିନି, ବାଉଁଶିଆ ନାଳ ଉପରେ କଲର୍ଭଟ ନିର୍ମାଣ ସକାଶେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏଥି ସହ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଣ, ସାମାଜିକ ନିରାପତା ଓ ସମ୍ମନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ ଅବଗତ କରାଯାଇଥିଲା । ଆୟୋଜିତ ବୈଠକରେ ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଜିପିଓ ପ୍ରଶାନ୍ତ କୁମାର ରଥ, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପ୍ରତିଭା ପାତ୍ର, ପୂର୍ତବିଭାଗୀୟ ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ବ୍ଳକ କୃଷି ଅଧିକାରୀ ବଳରାମ ସୁବୁଦ୍ଧି, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଅମର ପ୍ରସାଦ ସାହୁ, ଜଳସମ୍ପଦ ବିଭାଗ ଏସଡ଼ିଓ ସନ୍ତୋଷ ଚୌଧୁରୀ, ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଲମ୍ବୋଦର ମହାପାତ୍ର, ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ନାୟକ, ପ୍ରସନ କୁମାର ଦଳାଇ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, ଖରିଡ଼ା ସରଂପଚ ରଘୁନାଥ ବେହେରାଙ୍କ ସମେତ ବହୁ ସରଂପଚ, ସମିତି ସଭ୍ୟ/ସଭ୍ୟା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


