ହିଞ୍ଜିଳିକାଟୁ ପୌରାଞ୍ଚଳରେ ଗଡିଲା ଜୟ ଜଗନ୍ନାଥ ଅର୍ପଣ ରଥ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । କୋଟି କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଭବ୍ୟ ଉତ୍ସବରେ ଯେପରି ପ୍ରତିଟି ଓଡିଆ ଯୋଡି ହୋଇ ଦିବ୍ୟ ଅନୁଭବର ସାନିଧ୍ୟ ଲାଭ କରିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଜୟ ଜଗନ୍ନାଥ ଅର୍ପଣ ରଥ ମାଧ୍ୟମରେ ପୁରପଲ୍ଲୀରୁ ସଦର ସମସ୍ତ ଅଞ୍ଚଳ ପରିକ୍ରମା କରି ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ୟରେ ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ହିଞ୍ଜିଳିକାଟୁ ପୌରାଞ୍ଚଳରେ ଏହି ଅର୍ପଣ ରଥର ପରିକ୍ରମା ଯାତ୍ରା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ହିଞ୍ଜିଳିକାଟୁ ପୌରାଞ୍ଚର ବିଭିନ୍ନ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରେ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ପାଠୀଙ୍କ ତତ୍ତ୍ୱାବଧାନରେ ପୁରୋହିତ ମାନେ ପୂଜାର୍ଚ୍ଚନା କରିବା ପରେ ୨ଟି ଅର୍ପଣ ରଥର ଶୁଭାରମ୍ଭ କରାଯାଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଶିବରାମ ଗୌଡ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ସମ୍ପାଦକ ପ୍ୟାରୀମୋହନ ପାଢି, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ଦିବସରେ ୨ଟି ରଥ ସ୍ଥାନୀୟ ପୌରାଞ୍ଚଳର ୧,.୧୨ ଓ ୧୯ ନଂ ୱାର୍ଡ ପରିଭ୍ରମଣ କରି ପ୍ରତ୍ୟେକଙ୍କ ଘରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିଥିଲେ । ବୁଧବାର ୩,. ୫,୬ ଓ ୧୦ନଂ ୱାର୍ଡ, ଗୁରୁବାର .୮,୧୪ଓ ୧୫, ଶୁକ୍ରବାର ୧୬,୨୦ ଓ ୨୧, ଶନିବାର ୧୧,୧. ୧୭ ଓ ୧୮ ନଂ ୱାର୍ଡ ପରିଭ୍ରମଣ କରିବ ବୋଲି ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲିପ କୁମାର ମିଶ୍ରଙ୍କ ସୂତ୍ରରୁ ସୂଚନା ମିଳିଛି । ଆୟୋଜିତ କାର୍ଯ୍ୟକ୍ରମରେ ବହୁ କାଉନସିଲର, ପୌର କର୍ମଚାରୀ, ବୁଦ୍ଧିଜୀବିଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ୩ଟି ଜଗନ୍ନାଥ ଅର୍ପଣ ରଥ ମଙ୍ଗଳବାର ସ୍ଥାନୀୟ ବ୍ଳକର ବଡଖଣ୍ଡି, ସମରଝୋଳ, ଗୋପିନାଥପୁର ଓ ରଙ୍ଗଣିପଲ୍ଲୀ ଗ୍ରାମ ପଞ୍ଚାୟତ ପରିଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିଥିଲେ । ବିଡିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ବାଇ ଗିତାଞ୍ଜଳି, ପ୍ରିତି ସାହୁଙ୍କ ସମେତ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଓ ପଞ୍ଚାୟତି ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ