ଏସଆଇଆର କାର୍ଯ୍ୟର ତଦାରଖ ସହ ପରିଗଣନା ଫର୍ମ ବାଣ୍ଟିଲେ ବିଡ଼ିଓ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ମଇ ୩୦ ତାରିଖ ଠାରୁ ଜୁନ ୨୮ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏସଆଇଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିବ । ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସଆଇଆଇଆର କାର୍ଯ୍ୟକ୍ରମ ଅଧୀନରେ ସୋମବାର ଦିନ ବିଡ଼ିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ହିଞ୍ଜିଳିକାଟୁ ବ୍ଲକ୍ ସାହାପୁର ପଞ୍ଚାୟତର ବିଭିନ୍ନ ବୁଥ୍ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ତଦାରଖ କରିବା ସହ ଭୋଟର ମାନଙ୍କୁ ଫର୍ମ ବଣ୍ଟନ କରିଥିଲେ । ବିଡ଼ିଓଙ୍କ ଉପସ୍ଥିତିରେ ବିଏଲଓ ମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନ ଫର୍ମ ବିତରଣ କରିଥିଲେ । ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ତଥ୍ୟକୁ ଉପସ୍ଥାପନ କରିଥିଲେ। ବିଡ଼ିଓ ସାଗରୀକା ଷଡ଼ଙ୍ଗୀଙ୍କ ସହ ଅତିରିକ୍ତ ତହସିଲଦାର ସୁରଜ କୁମାର ନାୟକ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ପ୍ରୀତି ସାହୁ, ବ୍ଳକ ଉପାଧ୍ଯକ୍ଷ ସୁନିଲ ଗନ୍ତାୟତ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଜି. ରବି କୁମାର, ସରପଞ୍ଚ ବନ୍ଦନା ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ, ତଥା ଅନ୍ୟ ବିଭାଗୀୟ ଅଧୂକାରୀ, ବିଏଲଓ ବିକ୍ରମ କୁମାର ସାହୁ, ନଗେନ୍ଦ୍ର ମଲ୍ଲିକ, ସୁପରଭାଇଜର ପ୍ରକାଶ ସେଠି ଓ ବୁଥ୍ ଲେଭେଲ୍ ଅଫିସର ଉପସ୍ଥିତ ଥିଲେ । ବିଡ଼ିଓ ସୁଶ୍ରୀ ଷଡ଼ଙ୍ଗୀ ଭୋଟର ମାନଙ୍କ ସହ ଆଲୋଚନା କରି ଏସଆଇଆର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରାଇଥିଲେ । ବିଏଲଓ ମାନଙ୍କୁ ନିଷ୍ଠା ଓ ଶାନ୍ତିପୂର୍ଣ୍ଣ ସହ ଘରକୁ ଘର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଏଲଓ ଓ ସୁପରଭାଇଜରଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସମ୍ପୃକ୍ତ ପଞ୍ଚାୟତରେ ୪୨ ଜଣ ହିତାଧୀକାରୀ ଛାତରେ ସୌର ଶକ୍ତି ପ୍ୟାନେଲ ସ୍ଥାପନା କରିଥିବା ବେଳେ ଟିପିଏସଓଡିଏଲ ଅଧିକାରୀଙ୍କ ଗହଣରେ ବିଡ଼ିଓ ୨ ହିତାଧକାରୀଙ୍କ ପ୍ରକଳ୍ପକୁ ଉଦଘାଟନ କରିଥିଲେ।


