ହେ ପ୍ରଭୁ ! ଆମେ ଏ କ’ଣ କଲୁ ?

୬ ଅଗଷ୍ଟ ୧୯୪୫ ମସିହାର ସ୍ନିଗ୍ଧ ଓ ଶୀତଳ ସକାଳ । ପ୍ରାଚୀରୁ ପ୍ରାଚ୍ୟ ଜଗତର ଉଦୟମାନ ସୂର୍ଯ୍ୟ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ କଅଁଳିଆ କିରଣ ଢ଼ାଳୁଛନ୍ତି ସୂର୍ଯ୍ୟ । ସମସ୍ତେ ଚଳଚଂଚଳ । ପିଲାମାନେ ଖେଳରେ ମାତିଛନ୍ତି; ସ୍ତ୍ରୀଲୋକମାନେ ନିଜ ନିଜ ରୋଷେଇରେ ବ୍ୟସ୍ତ, କାର୍ଯ୍ୟାଳୟ କର୍ମୀମାନେ ନିଜ ନିଜ କର୍ମ କ୍ଷେତ୍ରରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଠିକ୍ ଏତିକି ବେଳେ ବାହାରେ ଏକ ବିସ୍ଫୋରଣର ପ୍ରଚଣ୍ଡ ଆବାଜ୍ ଶୁଣାଗଲା । ସଙ୍ଗେ ସଙ୍ଗେ ଆକାଶରେ ଏକ ଜାଜ୍ୱଲ୍ୟମାନ ଆଲୋକର ଝଲକ ବିଜୁଳି ଲାଖେ ଖେଳିଗଲା । ବାସ୍ … ସେତିକିରେ ସବୁ କିଛି ଶେଷ ତାପରେ ଆକୁଳ ଚିତ୍କାର ଆର୍ତ୍ତନାଦରେ ଚର୍ତ୍ତୁଦିଗ କମ୍ପି ଉଠିଲା । ସୁଉଚ୍ଚ ଅଟ୍ଟାଳିକା ମାନ ଧ୍ୱଂସ୍ତ ବିଧ୍ୱଂସ୍ତରେ ଚାରିଆଡେ ଗଦା ହୋଇଉଠିଲା । ହିରୋସୀମା ଆକାଶ ସକାଳର ସୂର୍ଯ୍ୟକିରଣ ପରିବର୍ତ୍ତେ କଳା ଧୂଆଁର କୁଣ୍ଡଳୀରେ ଭର୍ତ୍ତି ହୋଇଉଠିଲା ।
ତାହା ଥିଲା ମାନବ ସମାଜ ଉପରେ ପ୍ରଥମ ପରମାଣୁ ବୋମା ପ୍ରୟୋଗର ପ୍ରଥମ ବିଧ୍ୱଂସ୍ତ ଦୃଶ୍ୟ । “ଲିଟିଲବୟ” ନାମରେ ନାମିତ ଏହି ପରମାଣୁ ବୋମା ୧୯୪୫ ମସିହାର ଅଗଷ୍ଟ ୬ ତାରିଖରେ “ଇନୋଲାଗେ” ନାମକ ବୋମା ବର୍ଷଣକାରୀ ବିମାନରୁ ହିରୋସୀମା ସହର ଉପରକୁ ଆମେରିକା ତରଫରୁ ଫିଙ୍ଗା ଯାଇଥିଲା । ଏଥି ସହିତ ଆଉ ଦୁଇଟି ବିମାନବି ପଇଁତରା ମାରୁଥାନ୍ତି । “ଇନୋଲାଗେ” ବୋମା ବର୍ଷଣକାରୀ ବିମାନର ପାଇଲଟ କର୍ଣ୍ଣେଲ ପାଉଲ ତିବେତ୍ଙ୍କ ବର୍ଣ୍ଣନା ଅନୁସାରେ ଜାପାନର ଷ୍ଟାଣ୍ଡାର୍ଡ ସମୟ ସକାଳ ୮ଟା୧୫ ସମୟରେ ସେମାନେ ଯେତେବେଳେ ହିରୋସୀମା ଉପରେ “ଲିଟିଲବୟ”କୁ ନିକ୍ଷେପ କଲେ ତାହା ପ୍ରାୟ ୧ମିନିଟ ଭିତରେ ହିରୋସୀମା ସହରକୁ ଛୁଇଁ ପ୍ରାୟ ୨ ହଜାର ଫୁଟ ଉପରକୁ ଉଠି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସମୟରେ ଆକାଶରେ ଯେପରି ଗୋଟିଏ ସୂର୍ଯ୍ୟ ନୁହେଁ ଏକାବେଳକେ ଗୁଡାଏ ସୂର୍ଯ୍ୟର ଆଲୋକ ଖେଳି ଯାଉଥିଲା । ସେହି ମୁହୂର୍ତ୍ତରେ ଆମେ ହିରୋସୀମା ସହରକୁ ଦେଖିଲା ବେଳକୁ ତାହା ପ୍ରାୟ କଳା ଧୂଆଁର ଆବରଣରେ ଆଚ୍ଛାଦିତ ହୋଇସାରିଥିଲା । ବିମାନରେ ଥିବା ସାଥି ପାଇଲଟମାନଙ୍କ ମଧ୍ୟରେ କାହାର ପାଟି ଫିଟୁ ନଥାଏ । ସମସ୍ତେ ସମ୍ପୂର୍ଣ୍ଣ ଭାବେ ସ୍ତବ୍ଧ । କେତେସମୟ ପରେ ସାଥି ପାଇଲଟ ରର୍ବଟ ଲୁଇସଙ୍କ କାନ୍ଧରେ ହାତ ପକାଇ ତିବତ୍ କହିଲେ “ହେ ପ୍ରଭୁ ! ଆମେ କ’ଣ କଲେ ?” “ଲିଟିଲ ବୟ” ହିରୋସୀମା ସହର ଉପରେ ଅପର୍ଯ୍ୟାପ୍ତ ପରିମାଣରେ ବାୟୁମଣ୍ଡଳୀୟ ଚାପ ବୃଦ୍ଧି ଯୋଗୁଁ ଉତ୍ତାପ ବଢିଚାଲିଲା ଏଥି ସହିତ ଏହି ବୋମା ପର୍ଯ୍ୟାପ୍ତ ପରିମାଣରେ ତେଜସ୍କ୍ରିୟ ଗାମା ରଶ୍ମି ଏବଂ ନିଉଟ୍ରନ୍ କଣିକା ବିଚ୍ଛୁରିତ କରି ସମଗ୍ର ସହର ତଥା ତାହାର ଆଖପାଖ ଦେଢ କିଲୋମିଟର ବିସ୍ତୃତ ଜନବସତି ତଥା ଘରଦ୍ୱାର ଏବଂ ଦୋକାନ ବଜାର ଭାଙ୍ଗି ଏକ ଧ୍ୱଂସ ସ୍ତୁପ କରିଦେଲା ।
ପ୍ରତ୍ୟେକ୍ଷ ଦର୍ଶୀଙ୍କ ବର୍ଣ୍ଣନାନୁସାରେ ଯେତେବେଳେ ସେମାନେ “ଲିଟିଲବୟ”ର ବିସ୍ଫୋରଣ ଶୁଣିଲେ, ସେତେବେଳେ ଆକାଶରେ ଯେମିତି ଏକାବେଳକେ ଅନେକ ସୂର୍ଯ୍ୟଙ୍କ ରୋଷଣୀ ଖେଳିଯିବାର ଦେଖାଗଲା । ଏହି ବିସ୍ଫୋରଣ ଜନିତ ତାପ ଏବଂ ପବନ ଯେତେବେଳେ ଉପର ଆକଶରୁ ତଳଆଡକୁ ପ୍ରବାହିତ ହେଲା ସେତେବେଳକୁ ଘରଦ୍ୱାର, ଗଛଲତା, ଜୀବଜନ୍ତୁ ସମସ୍ତଙ୍କୁ ଜୀବନ୍ତ ଭାବେ ପୋଡ଼ି ପୋଡ଼ି ଭୂଇଁ ଆଡ଼କୁ ଅଗ୍ରସର ହେଉଥିଲା । ବିସ୍ଫୋରଣ ଜନିତ ତେଜସ୍କ୍ରିୟ ରଶ୍ମିର ପ୍ରବାହ ଯେ ଅନେକ ଲୋକଙ୍କୁ ଜାଳିପୋଡ଼ି ଧ୍ୱଂସ କରିଦେଲା, ସେକଥା ନୁହେଁ ବରଂ ତାହାର ପ୍ରବାହ ପରବର୍ତ୍ତୀ ବଂଶଧରଙ୍କୁ ବିକଳାଙ୍ଗ କରି ଜନ୍ମ ଦେଲା । ଏମିତିକି କେତେକ ଦମ୍ପତ୍ତି ନିଃସନ୍ତାନ ହୋଇଗଲେ । ଏହି ଭୟଙ୍କର ବିସ୍ଫୋରଣ ବେଳେ ଏବଂ ତାହାର ପରବର୍ତ୍ତୀ ସମୟରେ ପ୍ରାୟ ଦୁଇଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ବିଶ୍ୱାସ କରାଯାଏ । ମାତ୍ର ଏହି ମୃତାହତ ଲୋକଙ୍କ ସଂଖ୍ୟା ଆହୁରି ଅଧିକ ବୋଲି ଅନ୍ୟମାନେ ମତ ବ୍ୟକ୍ତ କରନ୍ତି । ଜାପାନର ଦୁଃଖ ଏତିକିରେ ସରି ନଥିଲା । “ଲିଟିଲବୟ” ବିସ୍ଫୋରଣ ମାତ୍ର ତିନି ଦିନ ନ ପୁରୁଣୁ ଜାପାନର ଆଉ ଏକ ବଡ଼ ସହର ନାଗାସାକି ଉପରେ ପୁଣି ଏକ ଆଣବିକ ବୋମା ଆମେରିକା ତରଫରୁ ଫିଙ୍ଗା ଯାଇଥିଲା । ଏହି ଦ୍ୱିତୀୟ ବୋମାର ନାମ ଥିଲା “ଫ୍ୟାଟମ୍ୟାନ୍” । ଏହାର ନାମାନୁସାରେ ଏହି ବୋମା ପୂର୍ବର “ଲିଟିଲବୟ” ଠାରୁ ବେଶ୍ ବଡ଼ ଆକାରର ଓ ଅଧିକ ଶକ୍ତିଶାଳୀ ଥିଲା । ମାତ୍ର ନାଗାସାକି ସହରର ଭୌଗଳିକ ଅବସ୍ଥିତି ଦୃଷ୍ଟିରୁ ଏହି “ଫ୍ୟାଟ୍ମ୍ୟାନ” ବୋମା ହିରୋସୀମା ସହରରେ “ଲିଟିଲବୟ”ର ଧ୍ୱଂସ ଲୀଳା ଭଳି ଏତେ କ୍ଷତି କରି ପାରିନଥିଲା । ତଥାପି “ଫ୍ୟାଟ୍ମ୍ୟାନ୍”ର ବିସ୍ଫୋରଣରେ ପ୍ରାୟ ୭୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ହିରୋସୀମା ଓ ନାଗାସାକି ସହର ଉପରେ ଏହି ଧ୍ୱଂସ ଲୀଳା ଦେଖି ସାରା ବିଶ୍ୱ ସେଦିନ ସ୍ତବ୍ଧ ହୋଇଯାଇଥିଲା । ସେହି ବିଧ୍ୱଂସ୍ତ ଘଟଣା ପରଠାରୁ ଆଣବିକ ଏବଂ ପାରମାଣବିକ ବୋମା ନିରସ୍ତ୍ରୀକରଣ ଉପରେ ବିଭିନ୍ନ କଟକଣା ମାନ ଆରମ୍ଭ ହେଲା । ଏଥିପାଇଁ କେତେ ଶାନ୍ତି ସୁଖର ସମ୍ମିଳନୀ ଆହ୍ୱାନ କରାଯାଇ ପୃଥିବୀରୁ ପାରମାଣବିକ ଶକ୍ତିର ଭୟାବହତାରୁ ରକ୍ଷା କରିବା ପାଇଁ କେତେ କାର୍ଯ୍ୟମାନ ଗ୍ରହଣ କରାଯାଉଅଛି । ଏହି ପରମାଣୁ ବୋମାର ନିର୍ମାତା “ଏଇନ୍ଷ୍ଟେଇନ୍” ପରେ ଦୁଃଖ ପ୍ରକାଶ କରି କହିଥିଲେ, ‘ମୁଁ ଏହାର ଧ୍ୱଂସକାରୀ ଶକ୍ତି ଉପରେ ଚିନ୍ତା କରିନଥିଲି । ମୁଁ ଆଶା କରିଥିଲି ଏହା ବିଶ୍ୱର ମଙ୍ଗଳ ପାଇଁ ଶାନ୍ତିପୂର୍ଣ୍ଣ ବିନିଯୋଗ ହେବ ଅଥଚ ଆଜି ଏହାର ବିଧ୍ୱଂସ, ବିଧ୍ୱସ୍ତ ଓ ଭୟଙ୍କର ରୂପ ଦେଖି ମୁଁ ହତ୍ ଚକିତ ହୋଇଯାଉଛି । ଯଦି ଏଣିକି ପାରମାଣବିକ ଅସ୍ତ୍ରକୁ ନିରସ୍ତ୍ରୀକରଣ କରାନଯାଏ ଅର୍ଥାତ୍ ବନ୍ଦ କରିବାର କଟକଣା କରା ନଯାଏ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ଏହା ହିଁ ବ୍ୟବହାର ହେବ ଏବଂ ଏହାଦ୍ୱାରା ସମଗ୍ର ପୃଥିବୀରୁ ମାନବର ସତ୍ତା ଲୋପ ପାଇଯିବ’ । ଏକ ହିସାବରୁ ଜଣାପଡ଼ୁଛି ଯେ, ଆମେ ଏବେ ଏମିତି ଏକ ପୃଥିବୀରେ ବାସ କରୁଅଛୁ ଯେଉଁଠାରେ କି, ଏତେ ପାରମାଣବିକ ବୋମା ଏବଂ ଅନ୍ୟାନ୍ୟ ପାରମାଣବିକ ଶକ୍ତି ଗଚ୍ଛିତ ରହିଛି ଯେ, ଯାହାକି ସାରା ପୃଥିବୀକୁ ଥରେ ନୁହେଁ ପ୍ରାୟ ଏଗାର ହଜାର ଥର ଧ୍ୱଂସ କରିଦେଇପାରିବ । ଏପରି ସ୍ଥଳେ ଆମେ ବିଶ୍ୱବାସୀ ବିଶେଷ କରି ରାଜନେତା, ବୁଦ୍ଧିଜୀବି, ବୈଜ୍ଞାନିକ ଏବଂ ସେହି ସମ୍ବନ୍ଧୀ ବ୍ୟକ୍ତି ସମୂହକୁ ନିବେଦନ କରିବୁ ଯେ, ପରମାଣୁ ଶକ୍ତି ଉପରେ ସମସ୍ତ ଧ୍ୱଂସକାରୀ ଶକ୍ତିକୁ ନିୟନ୍ତ୍ରଣ ଭିତରେ ରଖି ଏହାର ଶାନ୍ତିପୂର୍ଣ୍ଣ ବିନିଯୋଗ କରନ୍ତୁ । ନଚେତ୍ ନିଃଶ୍ଚିହ୍ନ ହୋଇଯିବା ପାଇଁ ପ୍ରସ୍ତୁତ ରୁହନ୍ତୁ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ:
ବିପିନ ବିହାରୀ ପାଠାଗାର,
ଜଟଣୀ,ଖୋର୍ଦ୍ଧା, ମୋ : ୯୯୩୮୩୪୪୧୩୮


