୧୨୧ଟି ସିଟି ବସ୍ ବିକ୍ରୀ ପ୍ରତିବାଦରେ ବିଜେପିର ବିକ୍ଷୋଭ
ଭୁବନେଶ୍ୱର, (ୱାଇଏଡ଼୍ଏସ୍): ‘ମୋ ସାଇକଲ୍’ କୁ କବାଡିଖାନା ହାତକୁ ଟେକି ଦେଲା ପରେ ବର୍ତମାନ ‘ସିଟି ବସ୍’ କୁ ମଧ୍ୟ ଅନ୍ୟ ରାଜ୍ୟର କବାଡିଖାନା ହାତକୁ ଟେକି ଦେଇଛନ୍ତି ରାଜ୍ୟ ସରକାର ଓ ବିଏମସି ପ୍ରଶାସନ । ୧୨୧ଟି ବସ୍ କୁ କବାଡିବାଲାଙ୍କ ହାତକୁ ଟେକି ଦେଇ ରାଜ୍ୟ ରାଜକୋଷର ୨୨ କୋଟି ଟଙ୍କା ସ୍ୱାହା କରିଦିଆଯାଇଛି । ରାଜ୍ୟସରକାରଙ୍କ ଏଭଳି କାର୍ଯ୍ୟକଳାପ ପ୍ରତିବାଦରେ ଆଜି ମାଷ୍ଟର କ୍ୟାଂଟିନ ଛକରେ ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ‘ସିଟି ବସ୍ ର ଡମି’କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଓଡିଶାବାସୀଙ୍କ ଝାଳବୁହା ଅର୍ଥରୁ ଆଦାୟ ହୋଇଥିବା ଟିକସ ଅର୍ଥକୁ ପାଣି ଭଳି ଅଯଥା ଖର୍ଚ୍ଚ କରିବାର ଅଧିକାର ରାଜ୍ୟ ସରକାରଙ୍କ ନାହିଁ ବୋଲି ଜିଲ୍ଲା ସଭାପତି ବାବୁ ସିଂ କ୍ଷୋଭ ପ୍ରକାଶ କରି କହିଛନ୍ତି । ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଛୋଟରାୟ ଓ ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ବିଭାସ ସେନଗୁପ୍ତା, ନିରଂଜନ ରାଉତରାୟ, ତୃପ୍ତିମୟୀ ମକଦ୍ଦମ, ମାନସୀ ରାୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନାଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।


