୩ୟ ଲହର ମୁକାବିଲା ପ୍ରସ୍ତୁତି ପରିବର୍ତେ ପ୍ରଚାରରେ ବ୍ୟସ୍ତ ରାଜ୍ୟ ସରକାର : ବିଜେପି
ଭୁବନେଶ୍ୱର, (ୱାଇଏନ୍ଏସ୍): ବୈଶ୍ୱିକ ମହାମାରୀ କୋଭିଡ୍ ସଂକ୍ରମଣର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଓଡିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପଦାରେ ପଡିଛି । ରାଜ୍ୟରେ ଶାସକ ଦଳ ମୁକାବିଲା ପାଇଁ ପ୍ରସ୍ତୁତି ରହିବା ପରିବର୍ତେ ବାସ୍ତବ ସ୍ଥିତିରୁ ବହୁ ଦୂରରେ ରହି କେବଳ ପ୍ରଚାର କାମରେ ବ୍ୟସ୍ତ ଅଛନ୍ତି । ବାସ୍ତବ ସ୍ଥିତିରେ ୩ୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ଆଦୈା ପ୍ରସ୍ତୁତ ନାହାନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି ।ସାମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତି କାର୍ଯ୍ୟକୁ ପରଖିବା ପାଇଁ ମହିଳା ମୋର୍ଚ୍ଚା ତରଫରୁ ଜିଲ୍ଲା ସଭାନେତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ଜିଲ୍ଲା ୩୦ଟି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସମେତ କଟକ ଏବଂ ଭୁବନେଶ୍ୱରରେ ଥିବା ଶିଶୁଭବନକୁ ପରିଦର୍ଶନ କରିବା ସହ ବାସ୍ତବ ସ୍ଥିତି ପରଖି ଥିଲେ । ୩ୟ ଲହର ମୁକାବିଲା ପ୍ରସଙ୍ଗରେ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାର କରୁଥିବା ଘୋଷଣା ଏବଂ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ଅଟେ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
କୋଭିଡ୍ ପରିଚାଳନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇ ଦେଉଥିବାବେଳେ ରାଜ୍ୟ ସରକାର ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତିଭୂମି ସଜାଡିବରେ ବିଫଳ ହୋଇଛନ୍ତି ।ରାଜ୍ୟର ଅନେକ ଡାକ୍ତରଖାନାରେ ଶିଶୁ ରୋଗ ବିଶେଷଜ୍ଞ ନାହାନ୍ତି । ସେହିପରି ଭେଂଟିଲେଟର, ଇକ୍ୟୁଭେଟର, ସକ୍ସର୍, ଏବିଜି, ଲାଇଭ ସେଭିଂ ମେଡିସିନ, ଆଇସିୟୁର ବ୍ୟବସ୍ଥା ସଠିକ୍ ଢଙ୍ଗରେ ହୋଇନାହିଁ । ରାଜ୍ୟରେ ‘ଡେଡିକେଟେଡ୍ ଚାଇଲ୍ଡ କେୟାର ୱାର୍ଡ’ କେତେ ଖୋଲାଯାଇଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି । ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସେ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।


