୧୭ତମ ଜାତୀୟ ନାଟକ ମହୋତ୍ସବ “କ୍ୟାନଫେଷ୍ଟ ୨୦୨୦” ଉଦ୍‌ଘାଟିତ

ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପ ମଧୁବନସ୍ଥିତ ସାଗରୀକା କଳା ନିକେତନ ଠାରେ ୧୭ତମ ଜାତୀୟ ନାଟକ ମହୋତ୍ସବ “କ୍ୟାନଫେଷ୍ଟ ୨୦୨୦” ରବିବାର ସଂନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ଓ ଇଫ୍‌କୋ ପାରାଦୀପ ୟୁନିଟ୍ ମୁଖ୍ୟ କେ.ଜେ.ପଟେଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଇଷ୍ଟର୍ଣ୍ଣ ଜୋନାଲ କଲ୍‌ଚରାଲ ସେଣ୍ଟର, ପାରାଦୀପ ବନ୍ଦର, ଇଫ୍‌କୋ ଓ ମିଡିଆ ପାର୍ଟନର ପଲିଟିକାଲ ବିଜିନେସ ଡେଲି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ଡିସେମ୍ବର ୨୦ରୁ୨୨ ତାରିଖ ତିନି ଦିନ ଧରି ଚାଲିବ । ସରକାରଙ୍କ ସମସ୍ତ କୋଭିଡ୍ ଗାଇଡ ଲାଇନ୍ ଅନୁସରଣ କରାଯାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଉଦ୍‌ଘାଟନୀ ଉତ୍ସବରେ ପାରାଦୀପ କ୍ୟାନମାସ୍ ଗ୍ରୁପ ପକ୍ଷରୁ ଓଡିଆ ନାଟକ “ସ୍ୱୟମ୍ବର” ପରିବେଶଣ ହୋଇଥିବାବେଳେ ଦ୍ୱିତୀୟ ଦିନ କୋଲକାତାର ପୂର୍ବ ରଙ୍ଗ ଷ୍ଟେପ ଆଣ୍ଡ ଷ୍ଟେଜ ଗ୍ରୁପ ପକ୍ଷରୁ ବେଙ୍ଗଲି ନାଟକ “ସିତାୟନ” ଏବଂ ତୃତୀୟ ତଥା ଅନ୍ତିମ ଦିବସରେ ଭୋପାଳର ଏକ୍ ରଙ୍ଗ କଲ୍‌ଚରାଲ ସୋସାଇଟ୍ ଗ୍ରୁପ ପକ୍ଷରୁ ହିନ୍ଦି ନାଟକ ମଧ୍ୟାନ୍ତର ପରିବେଶଣ ହେବ । ସୁଚନା ଥାଉକି, ପାରାଦୀପର କ୍ୟାନମାସ ସଂସ୍ଥା ଦ୍ୱାରା ଆୟୋଜିତ ନାଟକ ମହୋତ୍ସବ ରାଜ୍ୟ ସମେତ ଜାତୀୟ ଓ ଆନ୍ତର୍ଯ୍ୟାତୀୟ ସ୍ତରରେ ବେଶ୍ ପ୍ରଶଂସିତ ଓ ଆକର୍ଷଣ ସୃଷ୍ଟି କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ