୧ ଟଙ୍କିଆ ଛୋଟମୁଦ୍ରା ପ୍ରଚଳନକୁ ଯୋଡା ସହରରେ ବ୍ୟବସାୟୀଙ୍କ ବିରୋଧ

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରରେ ୧ ଟଙ୍କିଆ ଛୋଟ ମୁଦ୍ରା ପ୍ରଚଳନକୁ ବହୁ ଛୋଟ ବଡ ବ୍ୟବସାୟ ବିରୋଧ କରୁଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଯୋଡାର ସମୀର କୁମାର ଦାସ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସହରରେ ଥିବା ବିଭିନ୍ନ ତେଜରାତି ଦୋକାନ, ହୋଟେଲ, ପାନ ଦୋକାନ, ପରିବା ମାର୍କେଟ, ଚା ଦୋକାନ ଓ ଅନ୍ୟାନ୍ୟ ଦୋକାନ ଗୁଡିକରେ କିଣା ବିକା ସମୟରେ ଛୋଟ ୧ ଟଙ୍କିଆ ମୁଦ୍ରା ଦୋକାନୀ ମାନଙ୍କୁ ଦିଆଯିବା ସମୟରେ ସେମାନେ ନେଉନାହାନ୍ତି । ଏ ସମ୍ପର୍କରେ ସେମାନଙ୍କୁ କାହିଁକି ନେଉନାହଁ ବୋଲି ପଚାରିବାରୁ ସେମାନେ ଓଲଟା କହିଛନ୍ତି ଯେ, ଏହି ଛୋଟ ୧ ଟଙ୍କିଆକୁ ବାହାର ଅଂଚଳର ବ୍ୟବସାୟମାନେ ନେଉନଥିବାରୁ ସେମାନେ ମଧ୍ୟ ଯୋଡା ସହରରେ ଗ୍ରାହକ ମାନଙ୍କଠାରୁ ଛୋଟ ୧ ଟଙ୍କିଆ ମୁଦ୍ରାକୁ ଗ୍ରହଣ କରୁନାହାନ୍ତି, କି ଗ୍ରାହକ ମାନଙ୍କୁ ଦେଉନାହାନ୍ତି । ଏହା ବଦଳରେ ସେମାନେ ବଡ ୧ ଟଙ୍କିଆ ଚାଲୁଛି କହି ଗ୍ରାହକମାନଙ୍କୁ ହଇରାଣ କରାଯାଉଛିି । ସେହିପରି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଛୋଟ ୧ ଟଙ୍କିଆ ମୁଦ୍ରା ପ୍ରଚଳନ ନହେବାରୁ ସହରରେ ଗ୍ରାହକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କାରଣ ନୂତନ ଛୋଟ ୧ ଟଙ୍କିଆ ମୁଦ୍ରା ବଜାରରେ ବହୁ ପରିମାଣରେ ଉପଲବ୍ଧ ହେଉଥିବାରୁ ଏବଂ ପୁରୁଣା ବଡ ୧ ଟଙ୍କିଆ କମ୍ ପରିମାଣରେ ମିଳୁଥିବାରୁ ଗ୍ରାହକମାନେ ନୂତନ ଛୋଟ ୧ ଟଙ୍କିଆ ମୁଦ୍ରାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ତେଣେ ଯୋଡା ସହର ସମେତ ନିକଟସ୍ଥ ଜୁରୁଡି, ବିଲେଇପଦା, ବାମେବାରୀ, କାଳିମାଟି ପ୍ରଭୃତି ଅଂଚଳରେ ୧ ଟଙ୍କିଆ ମୁଦ୍ରାକୁ ନେଇ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଖଣି ଅଂଚଳରେ ହେଉଥିବା ସାପ୍ତାହିକ ହାଟ ଗୁଡିକରେ ନୂତନ ଛୋଟ ୧ ଟଙ୍କିଆ ମୁଦ୍ରାର ପ୍ରଚଳନ ଆଉ ହେଉନାହିଁ । ଏନେଇ ଗ୍ରାମାନ୍‌ଚଳରୁ ଆସୁଥିବା ପରିବା ବିକାଳି ସୁମତି ଲାଗୁରୀ, ସମବାରୀ ମୁଣ୍ଡା, ବୈଲଚନ ମହାନ୍ତ ପ୍ରମୁଖ କହିଛନ୍ତି ଯେ, ନୂତନ ଛୋଟ ୧ ଟଙ୍କିଆ ମୁଦ୍ରା ଗ୍ରାମାନ୍‌ଚଳରେ ଚାଲୁନଥିବାରୁ ସେମାନେ ଗ୍ରାହକଙ୍କଠାରୁ ଛୋଟ ୧ ଟଙ୍କିଆ ମୁଦ୍ରା ନେବାରେ ଅନିଚ୍ଛା ପ୍ରକାଶ କରୁଛନ୍ତି । ସେହିପରି କିଛି ସ୍ଥାନରେ ୨ ଟଙ୍କିଆ ୫ ଟଙ୍କିଆ ୧୦ ଟଙ୍କିଆ ମୁଦ୍ରାକୁ ମଧ୍ୟ ଗ୍ରହଣ କରିବାରେ କିଛି ବ୍ୟବସାୟ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହାକୁ ନେଇ ଗରିବ ଲୋକଙ୍କ ମନ ଭିତରେ ଏକ ସଂକଚ ରହିଛି ଯେ, ଏହି ମୁଦ୍ରା ଗୁଡିକ ଅଚଳା ଅବସ୍ଥାକୁ ଆସିଗଲାଣି । ଏ ଦିଗରେ ପ୍ରଶାସନିକ ସ୍ତରରେ ଲୋକମାନଙ୍କୁ ସଚେତନ କରିବାପାଇଁ ବହିଦାର ମତ ଦେଇଛନ୍ତି । ଏତଦ୍ ବ୍ୟତୀତ ଅଚଳ ହେବା ଘଟଣା ଏକ ଗୁଜବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି । ଏଣୁ ସହରରେ କୌଣସି କାରଣ ନଥାଇ ଏହାକୁ ବିରୋଧ କରାଯିବା ଦୁର୍ଭାଗ୍ୟଜନକ ବିଷୟ । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ବୋଲି ସେ କହିଥିଲେ । ଏ ସମ୍ପର୍କରେ ଯୋଡାର ବରିଷ୍ଠ ଶିକ୍ଷାବିତ୍ ସୋମନାଥ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସରକାରଙ୍କର କୌଣସି ଗାଇଡ୍‌ଲାଇନ ନଥାଇ ମୁଦ୍ରା ପ୍ରଚଳନକୁ ବିରୋଧ କରିବା ଆଇନଗତ ଅପରାଧ ଅଟେ । ଏହା ଦ୍ୱାରା ସହରରେ ଥିବା ଜନସାଧାରଣଙ୍କର ଅର୍ଥନୈତିକ ଅବସ୍ଥାର ପ୍ରତିକୂଳ ପ୍ରଭାବ ପକାଇବ । କାରଣ ୧ ଟଙ୍କିଆ ମୁଦ୍ରା ପ୍ରଚଳନ ନହେଲେ ବାଣିଜ୍ୟକ କ୍ଷେତ୍ର ବାଧାପ୍ରାପ୍ତ ହେବ । ଏଣୁ ପ୍ରଶାସନ ଏଦିଗରେ ଦୃଷ୍ଟିଦେବା ଆବଶ୍ୟକ ଏବଂ ଏହାର ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ