୨ଟି ପ୍ରଜାତିର ଭାରତୀୟ ବାଦୁଡ଼ିରେ କରୋନା ଭାଇରସ!
ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ଭାଇରସ ବିଶ୍ୱ ମହାମାରୀ ସହ ମୁକାବିଲା କରୁଥିବା ବେଳେ ବିଶେଷଜ୍ଞମାନେ ଏବେ ୨ଟି ବାଦୁଡ଼ି ପ୍ରଜାତିରେ ଏକ ଭିନ୍ନ ପ୍ରକାରର କରୋନା ଭାଇରସ (ବିଟିସିଓଭି) ଉପସ୍ଥିତି ସମ୍ପର୍କରେ ଜାଣିଛନ୍ତି । ଅନ୍ୟ ପକ୍ଷରେ ମିଆଁମାରରେ ୩ଟି ପ୍ରଜାତିର ବାଦୁଡ଼ିରୁ ୬ ପ୍ରକାରର ନୂଆ କରୋନା ଭାଇରସ ମିଳିଛି । ଏହାର ଜେନେଟିକାଲ ମଡେଲ କୋଭିଡ-୧୯ ଶ୍ରେଣୀର ଭାଇରସଠାରୁ ଭିନ୍ନ ବୋଲି ଜଣାପଡ଼ିଛି । ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ)ର ଏକ ଅଧ୍ୟୟନ ଅନୁଯାୟୀ ଭାରତରେ ୨ଟି ବାଦୁଡ଼ି ପ୍ରଜାତିରେ ଭିନ୍ନ ପ୍ରକାରର କରୋନା ଭାଇରସ ଥିବା ଜଣାପଡ଼ିଛି । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି, ଏହି ବାଦୁଡ଼ି କରୋନା ଭାଇରସ ଦ୍ୱାରା ସେ ମଣିଷ ଶରୀରରେ ରୋଗ ସୃଷ୍ଟି ହେଉଛି ତାହା ଦାବି କରିବା ପାଇଁ କୌଣସି ଗବେଷଣା ନାହିଁ କି ପ୍ରମାଣ ନାହିଁ । ଆଇସିଏମଆର ଅଧ୍ୟୟନ ଅନୁଯାୟୀ କେରଳ, ହିମାଚଳ ପ୍ରଦେଶ, ପୁଡୁଚେରୀ ଏବଂ ତାମିଲନାଡୁରେ ୨ଟି ବାଦୁଡ଼ି ପ୍ରଜାତିରେ କରୋନା ଭାଇରସ ପାଇଛନ୍ତି । ତେବେ ପୁନେର ଏନଆଇଭି (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି)ର ବୈଜ୍ଞାନିକ ଡ .ପ୍ରଜ୍ଞା ଡି.ଯାଦବ କହିଛନ୍ତି ଏହି ବାଦୁଡ଼ି କରୋନା ଭାଇରସ ଯେ ମଣିଷ ଶରୀରରେ ରୋଗ ସୃଷ୍ଟି କରୁଛି ସେ ନେଇ କୌଣସି ଗବେଷଣା ହୋଇନି କି ପ୍ରମାଣ ମଧ୍ୟ ନାହିଁ ।
ଆଇସିଏମଆର ଦ୍ୱାରା ହୋଇଥିବା ଏହି ଅଧ୍ୟୟନ ଇଣ୍ଡିଆନ ଜର୍ନାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶ ପାଇଛି । କେରଳ, ହିମାଚଳ ପ୍ରଦେଶ ଏବଂ ପୁଡୁଚେରୀର ରୁସେଟସ ଏବଂ ପରୋପସ ପ୍ରଜାତିର ୨୫ଟି ବାଦୁଡ଼ିଙ୍କ ଶରୀରର ଗଳା ଏବଂ ରେକ୍ଟାଲ ସ୍ୱାବ ନମୁନା ପରୀକ୍ଷା କରାଯିବା ପରେ ସେମାନଙ୍କ ଶରୀରରେ ବିଟିକଭ ତଥା ବ୍ୟାଟ କରୋନା ଭାଇରସ ପଜିଟିଭ ଥିବା ଜଣାପଡ଼ିଛି । ତେବେ ଏହି ବ୍ୟାଟ କରୋନା ଭାଇରସର ସାରସ କଭ-୨ ସହ କୌଣସି ସମ୍ପର୍କ ନାହିଁ ବୋଲି ଡ. ଯାଦବ କହିଛନ୍ତି । ପୂର୍ବରୁ ୨୦୧୮ ଏବଂ ୨୦୧୯ ରେ କେରଳ ଏହି ପରୋପସ ବାଦୁଡ଼ି ପ୍ରଜାତି ଶରୀରରେ ନିପା ଭାଇରସ ପଜିଟିଭ ଥିଲା ବୋଲି ସେ କହିଛନ୍ତି । ବାଦୁଡ଼ିକୁ ବିଭିନ୍ନ ଭାଇରସ ପାଇଁ ପ୍ରାକୃତିକ ଭଣ୍ଡାର ଭାବେ ବିବେଚନା କରାଯାଏ । ଏଥି ମଧ୍ୟରୁ କିଛି ଭାଇରସ ପାଇଁ ମଣିଷ ଶରୀରରେ ବି ରୋଗ ସୃଷ୍ଟି ହେବାର ସମ୍ଭାବନା ଥାଏ । ଭାରତରେ ପୂର୍ବରୁ ‘ପେରୋପସ୍ତି’ ବାଦୁଡ଼ି ସହ ନିପା ଭାଇରସର ସଂଯୋଗ ଥିବା ଜଣାପଡ଼ିଥିଲା । ଯେଉଁ ଅଞ୍ଚଳରେ ବାଦୁଡ଼ିମାନଙ୍କଠାରୁ ଏପରି ଜୀବାଣୁ ଚିହ୍ନଟ କରାଯାଇଛି ସେହି ଅଞ୍ଚଳରେ କ୍ରସ-ସେକ୍ସନାଲ ଆଣ୍ଟିବଡ଼ି ସର୍ଭେ ଉଭୟ ମାନବ ଓ ଘରୋଇ ପ୍ରାଣୀ ପାଇଁ ମଧ୍ୟ ସୁପାରିସ କରାଯାଇଛି ।


