୨୦୨୪ ସୁଦ୍ଧା ଦେଶରେ ଦୁଗ୍ଧ ଉତ୍ପାଦନ ୩୩ କୋଟି ଟନରେ ପହଞ୍ଚିବ

ନୂଆଦିଲ୍ଲୀ : କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଏବଂ ଦୁଗ୍ଧ ଉଦ୍ୟୋଗ ମନ୍ତ୍ରୀ ଗିରିରାଜ ସିଂହ ଆଜି ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚ୍‌ଆଇଡିଏଫ୍‌) କାର୍ଯ୍ୟକାରିତାର ନିର୍ଦେଶାବଳୀକୁ ଆନୁଷ୍ଠାନିକଭାବେ ଉନ୍ମୋଚନ କରିଛନ୍ତି । ମୋଟ ୧୫ ହଜାର କୋଟି ଟଙ୍କାର ଏହି ପାଣ୍ଠି ଗଠନ ପାଇଁ ଜୁନ୍‌ ୨୪ ତାରିଖରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଯେଉଁ ଘୋଷଣା ସବୁ କରାଯାଇଥିଲା ଏହା ତାହାର ଅଂଶବିଶେଷ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । ଏହି ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମମନ୍ତ୍ରୀଙ୍କୁ ମନ୍ତ୍ରୀସିଂହ କୃତଜ୍ଞତା ଜଣାଇବା ସହ କହିଛନ୍ତି ଯେ ଦେଶରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର ବିଭିନ୍ନ ଉନ୍ନତ (ଜାତିଆ) ପ୍ରଜାତିର ଗାଈଙ୍କ ସଂଖ୍ୟାବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାଛଡା ଉତ୍ତମ କିସମର ଦୁଧିଆଳୀ ଗାଈଙ୍କ ବଂଶବୃଦ୍ଧି କ୍ଷେତ୍ରରେ କାର୍ଯ୍ୟକ୍ରମ ଜାରି ରହିଛି । ଏଥିସହିତ ଉତ୍ପାଦିତ ଦୁଗ୍‌ଧର ପ୍ରକ୍ରିୟାକରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି । ତଦନୁସାରେ ପ୍ରକ୍ରିୟାକରଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଏବେ ଭାରତରେ ବର୍ଷକୁ ୧୮ କୋଟି ୮୦ ଲକ୍ଷ ଟନ ଦୁଗ୍‌ଧ ଉତ୍ପାଦିତ ହେଉଛି । ୨୦୨୪ ବେଳକୁ ଦୁଗ୍‌ଧ ଉତ୍ପାଦନ ଦେଶରେ ୩୩ କୋଟି ଟନରେ ପହଞ୍ଚିବ ବୋଲି ମନ୍ତ୍ରୀ ସିଂହ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏବେ ଦେଶରେ ଯେତେ କ୍ଷୀର ଉତ୍ପାଦିତ ହେଉଛି ସେଥିରୁ ମାତ୍ର ୨୦ରୁ ୨୫ ଶତାଂଶ ପ୍ରକ୍ରିୟାକୃତ ହୋଇପାରୁଛି । ଏହାକୁ ୪୦ ଶତାଂଶରେ ପହଞ୍ଚାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଡେରି ପ୍ରୋସେସିଂ ଭିତ୍ତିଭୂମି ବିକାଶ ପାଣ୍ଠି (ଡିଆଇଡିଏଫ୍‌) ଏବେ କାର୍ଯ୍ୟକାରୀ ହେଉଛି । ବିଶେଷକରି ସମବାୟ କ୍ଷେତ୍ରରେ ଏହା ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଲାଗିବ । ଏବେ ଯେଉଁ ଏଏଚ୍‌ଆଇଡିଏଫ୍‌ ଗଠନ କରାଯାଇଛି ତାହା ଘରୋଇ କ୍ଷେତ୍ର ପାଇ ଉଦ୍ଦିଷ୍ଟ । ଏହି ଭିତ୍ତିଭୂମି ପ୍ରସ୍ତୁତ ହୋଇଗଲେ ଅଧିକରୁ ଅଧିକ ଦୁଗ୍‌ଧ ପ୍ରକ୍ରିୟାକୃତ ହୋଇପାରିବ । ଫଳରେ କୋଟି କୋଟି ଚାଷୀ ଓ ଦୁଗ୍‌ଧ ଉତ୍ପାଦନକାରୀ ଏହାଦ୍ୱାରା ଉପକୃତ ହେବେ । ଏହାଦ୍ୱାରା ମଧ୍ୟ ଭାରତର ଦୁଗ୍‌ଧଜାତ ସାମଗ୍ରୀ ଉତ୍ପାଦନ ପରିମାଣ ବଢିବ । ଏବେ ଭାରତର ଦୁଗ୍‌ଧଜାତ ସମାଗ୍ରୀ ରପ୍ତାନୀ ପରିମାଣ ଅତ୍ୟନ୍ତ ନଗଣ୍ୟ । ଡେରି କ୍ଷେତ୍ରରେ ନ୍ୟୁଜିଲାଣ୍ଡ ଭଳି ଦେଶ ଯେଉଁ ମାନ ହାସଲ କରିଛନ୍ତି ଭାରତକୁ ସେହି ସ୍ତରରେ ପହଞ୍ଚିବାକୁ ହେବ । ମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ଲକ୍‌ଡାଉନ ସମୟରେ ଗୋପାଳକମାନେ ଦୁଗ୍‌ଧ ଯୋଗାଣ ବ୍ୟବସ୍ଥାକୁ ଅବ୍ୟାହତ ରଖିବା ଏକ ବଡ ଖୁସିର ଖବର । ଦୁଗ୍‌ଧ ଭିତ୍ତିଭୂମିର ବିକାଶ ପାଇଁ ଦୁଗ୍‌ଧ ସମବାୟଗୁଡିକୁ ନାନାବିଧ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ର ସରକାର କେତେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେଥିପାଇଁ ଏଏଚ୍‌ଆଇଡିଏଫ୍‌ ଗଠନ କରାଯାଇଛି । ଏହା ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ ଏବଂ ଘରୋଇ କଂପାନୀଗୁଡିକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଇପାରିବ । ଫଳରେ ସେମାନେ ଦୁଗ୍‌ଧ ପ୍ରକ୍ରିୟାକରଣ ଏବଂ ମୂଲ୍ୟମିଶ୍ରଣ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆଗ୍ରହୀ ହେବେ । ଏଏଚ୍‌ଆଇଡିଏଫ୍‌ ଏସବୁ ଭିତ୍ତିଭୂମି ପ୍ରତିଷ୍ଠା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ବହୁ ପ୍ରତୀକ୍ଷିତ ଆବଶ୍ୟକତା ପୂରଣ କରିପାରିବ । ଏହାଛଡା ଘରୋଇ ଉଦ୍ୟୋଗରେ ପଶୁଖାଦ୍ୟ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଏହି ପାଣ୍ଠି ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବ । ଏହି ଯୋଜନାରେ କୃଷି ଉତ୍ପାଦକ ସଂଗଠନ, ଏମ୍‌ଏସ୍‌ଏମ୍‌ଇ, ସେକ୍ସନ ୮ ଧାରା ଅନ୍ତର୍ଭୁକ୍ତ କଂପାନୀ, ଘରୋଇ କଂପାନୀ ଏବଂ ବ୍ୟକ୍ତିଗତ ଉଦ୍ୟମୀ ହିତାଧିକାରୀ ହୋଇପାରିବେ । ସେମାନଙ୍କୁ ପ୍ରକଳ୍ପର ୧୦ ଶତାଂଶ ଅର୍ଥ ସର୍ବନିମ୍ନ ମାର୍ଜିନ ମନି ଆକାରରେ ଦେବାକୁ ପଡିବ । ଅବଶିଷ୍ଟ ୯୦ ଶତାଂଶ ଅର୍ଥ ତଫସିଲଭୁକ୍ତ ବ୍ୟାଙ୍କମାନେ ଋଣ ଆକାରରେ ଯୋଗାଇଦେବେ । ଏହି ଋଣ ଉପରେ ଭାରତ ସରକାର ୩ ଶତାଂଶ ରିଆତି ପ୍ରଦାନ କରିବେ । ଦୁଇବର୍ଷ ପର୍ଯ୍ୟନ୍ତ ମୂଳ ଋଣ ଶୁଝିବାକୁ ପଡିବ ନାହିଁ । ଏହାପରେ ଛଅ ବର୍ଷ ମଧ୍ୟରେ ସମସ୍ତ ଋଣ ପରିଶୋଧ କରିବାକୁ ହେବ । ଭାରତ ସରକାର ଏଥିପାଇଁ ୭୫୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ଗଠନ କରିବେ । ଏହା ନାବାର୍ଡ ଦ୍ୱାରା ପରିଚାଳିତ ହେବ । ଏମ୍‌ଏସ୍‌ଏମ୍‌ଇ ଅଧୀନରେ ଆସୁଥିବା ସମସ୍ତ ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପକୁ ହିଁ ଋଣ ଗ୍ୟାରେଣ୍ଟି ସୁବିଧା ମିଳିବ । ଋଣଗ୍ରହୀତାଙ୍କ ମୋଟ ଋଣର ୨୫ ଶତାଂଶ ଅର୍ଥ ଉପରେ ଗ୍ୟାରେଣ୍ଟି ସୁବିଧା ଯୋଗାଇ ଦିଆଯିବ । ନିଜର ଭିତ୍ତିଭୂମି ବିକାଶ ତଥା ନୂଆକରି ଦୁଗ୍‌ଧ ଓ ମାଂସ ପ୍ରକ୍ରିୟାକରଣ ଶିଳ୍ପ କିମ୍ବା ମୂଲ୍ୟମିଶ୍ରିତ କୌଣସି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ପକ୍ଷ ଏହି ଋଣ ନିମନ୍ତେ ଆବେଦନ କରିପାରିବେ । ବିଭିନ୍ନ ତଫସିଲଭୁକ୍ତ ବ୍ୟାଙ୍କରୁ ଏହି ଋଣ ପାଇବା ପାଇଁ ସିଡ୍‌ବିର ଉଦ୍ୟମୀମିତ୍ର ପୋର୍ଟାଲ ମାଧ୍ୟମରେ ଆବେଦନ କରାଯାଇପାରିବ । ଏହି ଉଦ୍ୟୋଗରେ ବିପୁଳ ଘରୋଇ ପୁଞ୍ଜି ନିବେଶର ଯେଉଁ ସୁଯୋଗ ରହିଛି ତାହାର ଦ୍ୱାର ଉନ୍ମୁକ୍ତ ହେବାକୁ ଯାଉଛି । ଏଥିପାଇଁ ସରକାର ଯେଉଁ ୧୫ ହଜାର କୋଟି ଟଙ୍କାର ପାଣ୍ଠି ଏବଂ ଋଣ ରିହାତି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଘରୋଇ ନିବେଶକଙ୍କୁ ଆକର୍ଷିତ କରିବ ଏବଂ ସେମାନେ ଏ କ୍ଷେତ୍ରରେ ପୁଞ୍ଜି ଖଟାଇବାକୁ ଆଗେଇ ଆସିବେ । ଏହି ଉଦ୍ୟୋଗ ଥରେ ଖୋଲିଗଲେ ବିଭିନ୍ନ ପ୍ରକାର ଦୁଗ୍‌ଧଜାତ ସାମଗ୍ରୀ ଓ ମାଂସ ଆଦି ଅଧିକରୁ ଅଧିକ ବିଦେଶକୁ ରପ୍ତାନୀ ହେବ । ଦୁଗ୍‌ଧ ଉଦ୍ୟୋଗରେ ହେଉଥିବା ବିଭିନ୍ନ ବିନିଯୋଗର ୫୦ରୁ ୬୦ ଭାଗ ମୂଲ୍ୟ ଆକାରରେ ଚାଷୀଙ୍କ ପାଖକୁ ଫେରୁଛି । ଅତଏବ ଏହି ଉଦ୍ୟୋଗରେ ପୁଞ୍ଜି ନିବେଶ ବଢିଲେ କୃଷକଙ୍କ ଆୟ ବୃଦ୍ଧି ପାଇବ । ଦୁଗ୍‌ଧ ସମବାୟ ସହିତ ଚାଷୀ ଯୋଡି ହେଲେ ବା ଚାଷୀଙ୍କଠାରୁ ଘରୋଇ ଉଦ୍ୟୋଗ ଦୁଗ୍‌ଧ କିଣିଲେ ଚାଷୀଙ୍କ ବିକ୍ରିବଟା ସୁଗମ ହେବ ଏବଂ ସେମାନଙ୍କର ଆୟ ସୁନିଶ୍ଚିତ ହୋଇପାରିବ । ଏହାମଧ୍ୟ ଦୁଗ୍‌ଧ ବଜାରର ପରିସରକୁ ବଢାଇବ । ତେଣୁ ଏଏଚ୍‌ଆଇଡିଏଫ୍‌ ମାଧ୍ୟମରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଯେଉଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି ତଦ୍ଦ୍ୱାରା ଘରୋଇ ନିବେଶ ଅତିକମ୍‌ରେ ୭ଗୁଣ ବଢିବ ଏବଂ ଚାଷୀମାନେ ମଧ୍ୟ ଏଥିରେ ଉତ୍ସାହିତ ହୋଇ ଗୋପାଳନ ଓ ଦୁଗ୍‌ଧ ଉତ୍ପାଦନ ଉପରେ ବିଶେଷ ଧ୍ୟାନ ଦେବେ । ଏଏଚ୍‌ଆଇଡିଏଫ୍‌ ମାଧ୍ୟମରେ ୩୫ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ରୋଜଗାର ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ମତ୍ସ୍ୟ, ପଶୁପାଳନ ଓ ଡେରି ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ଯେ ଦେଶର ୫୩.୫ କୋଟି ଗୃହପାଳିତ ପଶୁଙ୍କୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ପ୍ରତିଷେଧକ ଟୀକା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିମଧ୍ୟରୁ ଇତିମଧ୍ୟରେ ୪ କୋଟି ପଶୁଙ୍କୁ ଟିକା ଦିଆସରିଲାଣି । ନୂଆ ପ୍ରଯୁକ୍ତି ବ୍ୟବହାର କରି ପଶୁଙ୍କ କିସମ (ବ୍ରିଡ) ବିକାଶ କାର୍ଯ୍ୟ ଚାଲିଛି । ତେବେ ଆମେ ପ୍ରକ୍ରିୟାକରଣ କ୍ଷେତ୍ରରେ ପଛରେ ପଡିଛୁ ବୋଲି ସେ କହିଛନ୍ତି । ଏଏଚ୍‌ଆଇଡିଏଫ୍‌କୁ ବ୍ୟବହାର କରି ପ୍ରୋସେସିଂ ପ୍ଲାଣ୍ଟମାନ ପ୍ରତିଷ୍ଠା କରାଯାଇପାରିବ ଏବଂ ଏହା ମଧ୍ୟ ପଶୁଖାଦ୍ୟ ପ୍ରସ୍ତୁତି ଶିଳ୍ପ ପ୍ରତିଷ୍ଠାରେ ସହାୟକ ହୋଇପାରିବ । ଏହିସବୁ ପ୍ରକ୍ରିୟାଦ୍ୱାରା ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ସହିତ ୫ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି ତିଆରି କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସାକାର ହୋଇପାରିବ ବୋଲି ଷଡ଼ଙ୍ଗୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ