ଭୋଟ ଗଣତି ସରକାରୀ ଆଇଟିଆଇ ସମ୍ମୁଖରେ ଜନ ସମୁଦ୍ର
ବାଲେଶ୍ୱର, (ସରୋଜ ପଣ୍ଡା) : ପୂର୍ବ ପ୍ରସ୍ତୁତି ଅନୁସାରେ ଚଳିତ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ସମଗ୍ର ରାଜ୍ୟରେ ଶନିବାରଠାରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାର ୧୨ବ୍ଲକ ପକ୍ଷରୁ ସକାଳ ୮ଟାରୁ ୧୨ ଗୋଟି କେନ୍ଦ୍ରରେ ମୋଟ ୧୩ ଗୋଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ପଞ୍ଚାୟତର ଭୋଟ ଗଣତି ଏବେ ଜାରି ରହିଛି । ଅନୁରୂପ ଭାବେ ବାଲେଶ୍ୱର ସଦର ବ୍ଲକର ୨୫ ନଂ ଜୋନ ଅନ୍ତର୍ଗତ ୭ ଗୋଟି ଗ୍ରାମ ପଞ୍ଚାୟତ ଭୋଟ ଗଣତି ସ୍ଥାନୀୟ ସରକାରୀ ଆଇଟିଆଇ ପରିସରରେ ହେଉଛି । ପ୍ରତି ପଞ୍ଚାୟତ ପାଇଁ ଗୋଟିଏ ଲେଖାଏଁ ଟେବୁଲ ବ୍ୟବସ୍ଥା ହୋଇଛି । ବ୍ଲକ ନିର୍ବାଚନ ଅଧିକାରୀ ସଦର ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ପ୍ରଥମ ଦିନରେ ୭ ଗୋଟି ଟେବୁଲରେ ଗଣତି ପ୍ରକ୍ରିୟା ଚାଲିଛି । ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ୩ ଜଣ ସହାୟକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ପଞ୍ଚାୟତର ବୁଥୱାରୀ ବ୍ୟାଲଟ ବାକ୍ସ ପ୍ରାର୍ଥୀଙ୍କ ଦ୍ୱାରା ନିଯୁକ୍ତ ଏଜେଣ୍ଟଙ୍କ ଉପସ୍ଥିତିରେ ଖୋଲାଯାଇ ସମସ୍ତ ବ୍ୟାଲଟ କାଗଜ ଗୋଟିଏ ବଡ଼ ପ୍ଲାଷ୍ଟିକ ପାତ୍ରରେ ରଖାଯାଇ ୱାର୍ଡ଼ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟଙ୍କ ବ୍ୟାଲଟ କାଗଜ ପୃଥକ କରାଯାଉଛି । ପରେ ୱାର୍ଡ଼ ସଭ୍ୟଙ୍କ ବ୍ୟାଲଟ କାଗଜରୁ ଗଣତି ଆରମ୍ଭ ହେଉଛି । ତେବେ ଭୋଟ ଗଣତି କେନ୍ଦ୍ରର ବାହାରେ ପ୍ରତ୍ୟେକ ବର୍ଗର ପ୍ରାର୍ଥୀଙ୍କ ସହଯୋଗୀ, ସମର୍ଥକ ଓ ଦଳୀୟ କର୍ମୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ୭ ଗୋଟି ପଞ୍ଚାୟତରୁ ହଜାର ହଜାର ଲୋକେ ଆଇଟିଆଇ ମୁଖ୍ୟ ଫାଟକ ସମ୍ମୁଖରେ ନିଜ ନିଜର ଇପ୍ସିତ ପ୦୍ରାର୍ଥୀଙ୍କ ବିଜୟ ଫଳାଫଳ ଆଶାରେ ଅପେକ୍ଷା କରିଛନ୍ତି । ପ୍ରତି ରାଉଣ୍ଡରେ ଘୋଷଣା କରାଯାଉଥିବା ଫଳକୁ ନେଇ କେତେକ ଖୁସୀରେ ଚିତ୍କାର କରୁଥିବା ବେଳେ ତ କିଛି ସମର୍ଥକ ଚିନ୍ତାରେ ପଡ଼ିଯାଉଛନ୍ତି । ପୁଣି ପରବର୍ତ୍ତୀ ରାଉଣ୍ଡର ଫଳ ଘୋଷଣାକୁ ଅପେକ୍ଷା କରୁଛନ୍ତି । କଡ଼ା ନିରାପତ୍ତା ବଳୟରେ ଏହି ଗଣତି କାର୍ଯ୍ୟ ଜାରି ରହିଛି । ଗଣତି କେନ୍ଦ୍ର ଭିତରେ ଓ ବାହାରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି । ଓଟିରୋଡ଼ରେ ହଜାର ହଜାର ଲୋକେ ରୁଣ୍ଡ ହେବା ଫଳରେ ଟ୍ରାଫିକ ବ୍ୟବସ୍ଥା ପରିଚାଳନାରେ ସାମାନ୍ୟ ବ୍ୟାଘାତ ହେଉଥିଲେ ବି ଲୋକଙ୍କ ମଧ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରହିଥିବା ଲକ୍ଷ୍ୟ କରାଯାଇଛି ।


