୨୬ରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ଜିଲା ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା):କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ପ୍ରଥମ ଜିଲା ସମ୍ମିଳନୀ ଓ ସାଧାରଣ ସଭା ଆୟୋଜନ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ବରିଷ୍ଠ ସଦସ୍ୟ ଲୋକନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆବାହକ ଡ. କେଶବ ଚରଣ ପଣ୍ଡା ସମ୍ମିଳନୀର ରୂପରେଖ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଆସନ୍ତା ୨୬ ତାରିଖ ରବିବାର ପୂର୍ବାହ୍ଣ ୧୦ଟାରେ ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ ଏହି ସମ୍ମିଳନୀ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ବିଶିଷ୍ଟ କୃଷିବିତ୍, ଶିକ୍ଷାବିତ୍, କୃଷକ, କୃଷି ଶ୍ରମିକ ଓ ଜନ ପ୍ରତିନିଧିମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ କୃଷିର ବିକାଶ ଓ କୃଷି କାର୍ଯ୍ୟପାଇଁ ଯୁବ ଗୋଷ୍ଠୀଙ୍କ ଆକୃଷ୍ଟ କରିବା ଦିଗରେ ଏହି କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାର ତାତ୍ପର୍ଯ୍ୟ ସଂପର୍କରେ ବିଶଦ ଆଲୋଚନା କରାଯିବ । ସମ୍ମିଳନୀର ସଫଳତା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରାଯାଇଛି ।ଏହି ବୈଠକରେ ହରନାରାୟଣ ମଢ଼ୁଆଳ, ଭାସ୍କରଚନ୍ଦ୍ର ପାଢ଼ୀ, ପ୍ରବୋଧ ଚନ୍ଦ୍ର ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ଅଭୟ ମିଶ୍ର, ରବୀନ୍ଦ୍ର ଭୋଳ, ଡ. କ୍ଷିତୀଶ୍ୱର ଦାଶ, ଅନନ୍ତ ପଟ୍ଟନାୟକ ଓ ନିରଞ୍ଜନ ପରିଡ଼ା ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


