ଭିଜିଲାନ୍ସ ଜାଲରେ ଜଳସମ୍ପଦ ଅଧୀକ୍ଷଣ ଯନ୍ତ୍ରୀଙ୍କ କ୍ୟାସିୟର

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ପରେ ଜମାଥିବା ସିକ୍ୟୁରିଟି ଅର୍ଥ ଫେରସ୍ତ ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟର କନିଷ୍ଠ କିରାଣୀ ତଥା କ୍ୟାସିୟର ପ୍ରଦୀପ୍ତ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ପ୍ରାପ୍ତ ସୂଚନା ଅନୁସାରେ ଠିକାଦାର ଲୋକନାଥ ଜେନା ଠିକା ନେଇଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ପରେ ଜଳସମ୍ପଦ ବିଭାଗ ନିକଟରେ ଜମା ରହିଥିବା ସିକ୍ୟୁରିଟି ଅର୍ଥ ଫେରସ୍ତ ପାଇଁ ଆବେଦନ କରିଥିଲେ । ମାତ୍ର ଏହି ଅର୍ଥ ପ୍ରଦାନ ପାଇଁ କ୍ୟାସିୟର ଶ୍ରୀ ରାଉତ ତାଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ । ଟେଣ୍ଡର ଆବେଦନ, ଏଷ୍ଟିମେଣ୍ଟ, ମେଜେରମ୍ୟାଣ୍ଟ ଆଦି ପ୍ରତିଟି ପର୍ଯ୍ୟାୟରେ ପ୍ରକଳ୍ପ ଅଟକଳ ମୂଲ୍ୟର ଆନୁପାତିକ ହାରରେ ମୋଟ ୨୨ ପ୍ରତିଶତ ପିସି ଦେବା ପରେ ନିଜସ୍ୱ ଜମା ଅର୍ଥ ପାଇଁ ୫ ପ୍ରତିଶତରୁ ଅଧିକ ଟଙ୍କା ଲାଞ୍ଚ ଦେବା ଶ୍ରୀ ଜେନାଙ୍କୁ ବ୍ୟଥିତ କରିଥିଲା । ଏନେଇ ସେ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ରଙ୍ଗବୋଳା ନୋଟ ଆଣି ଧାର୍ଯ୍ୟ ସମୟ ଅର୍ଥାତ ସୋମବାର ଅପରାହ୍ଣରେ କ୍ୟାସିୟର ଶ୍ରୀ ରାଉତଙ୍କୁ ପ୍ରଦାନ କରିଥିଲେ । ଟଙ୍କା ନେବା ପରେ ପୂର୍ବରୁ ସେଠାରେ ସାଦା ପୋଷାକରେ ଟହଲ ମାରୁଥିବା ଭିଜିଲାନ୍ସ ଟିମ ଶ୍ରୀ ରାଉତଙ୍କୁ କାବୁ କରିବା ସହ ତାଙ୍କଠାରୁ ରଙ୍ଗବୋଳା ଟ୍ରାପ ନୋଟ ଜବତ କରିଥିଲା । ତେବେ ବିଭାଗୀୟ ମୁଖ୍ୟଙ୍କ ନିର୍ଦ୍ଦେଶ କ୍ରମେ ସେ ସମସ୍ତ ଠିକାଦାରଙ୍କଠାରୁ ଏହିଭଳି ଅର୍ଥ ଆଦାୟ କରିଥା’ନ୍ତି ବୋଲି ଅଭିଯୁକ୍ତ ଶ୍ରୀ ରାଉତ ସୂଚନା ଦେଇଛନ୍ତି । ଭିଜିଲାନ୍ସ ଟିମର ଚଢ଼ଉ ଦେଖି ଅଫିସରୁ ତୁରନ୍ତ ଉଭାନ ହୋଇଯାଇଥିବା ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଏ ବାବଦରେ ମତାମତ ନିଆଯାଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ