୨ ଓଡିଆ ଶ୍ରମିକଙ୍କ ମୃତଶରୀର ଶୋକାକୁଳ ପରିବେଶରେ ଗ୍ରାମରେ ପହଞ୍ଚିଲା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗତ ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ଅଙ୍ଗୁଲ ସହରର ମେଡିମିଷ୍ଟି ପଥର ଖାଦାନ କମ୍ପାନୀରେ ବିସ୍ଫୋରଣ ଘଟି ଦିଗପହଣ୍ଡି କୋଟିନଡା ପଞ୍ଚାୟତ ସିଦ୍ଧିଖଣ୍ଡି ଗ୍ରାମର ପବିତ୍ର ବିଷୋୟୀ ଓ ମୁନା ସ୍ୱାଇଁଙ୍କ ମୃତ୍ୟୁ ହୋଇଥିଲା । ରବିବାର ସକାଳୁ ୨ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଗ୍ରାମ ଶୋକାକୁଳ ପାଲଟି ଯାଇଥିଲା । ଆନ୍ଧ୍ରର ଘରୋଇ କମ୍ପାନୀ କର୍ତ୍ତୃପକ୍ଷ ୨ ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଦୁଇଜଣଙ୍କ ମୃତଦେହ ଗ୍ରାମରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । ଗାଁ ଶଶ୍ମାନରେ ଦୁଇ ଯୁବକଙ୍କ ଶବ ସତ୍କାର ହୋଇଥିବା ବେଳେ ଉଭୟ ପରିବାରଙ୍କ ଆତ୍ମୀୟ ସ୍ୱଜନ ବନ୍ଧୁ ବର୍ଗଙ୍କ କାନ୍ଦ ବୋବାଳିରେ ସିଦ୍ଧଖଣ୍ଡି ଗାଁ ଫାଟି ପଡ଼ିଥିଲା । ତାଙ୍କ ଶବ ଶୋଭାଯାତ୍ରାରେ ବହୁସଂଖ୍ୟକ ଗ୍ରାମବାସୀଙ୍କ ସମେତ ଗାଁ ସ୍ଥାନୀୟ କୋଟିନଡ଼ା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଉମାକାନ୍ତ ବିଷୋୟୀ , ଯୁବନେତା ପ୍ରହଲ୍ଲାଦ ଭୂୟାଁ , ଭିଷ୍ମଗିରି ମହାବିଦ୍ୟାଳୟରୁ ଆସିଥିବା ପବିତ୍ରଙ୍କ ବହୁ ସଂଖ୍ୟକ ସହପାଠୀ ଶ୍ମଶାନ ଘାଟ ପର୍ଯ୍ୟନ୍ତ ଯାଇଥିଲେ । ବ୍ରହ୍ମପୁର ଶ୍ରମବିଭାଗ ପକ୍ଷରୁ କିଛି କର୍ମଚାରୀ ଶ୍ମଶାନ ଘାଟକୁ ଯାଇ ମୃତକଙ୍କ ଅନ୍ତିମ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ତାଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇଥିଲେ । ଶନିବାର ଦିଗପହଣ୍ଡି ତହସିଲଦାରଙ୍କ ଦାୟିତ୍ୱରେ ଥିବା ସାନଖେମୁଣ୍ଡି ତହସିଲଦାର ଡ. ଶ୍ରୀନିବାସ ବେହେରା , ରାଜସ୍ବ ନିରୀକ୍ଷିକା ବନିତା ପ୍ରଧାନ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମରେ ପହଞ୍ଚି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପ୍ରତି ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ଅର୍ଥରାଶି ପ୍ରଦାନ କରିଥିଲେ । ସେହିଭଳି ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ପଥର ଖାଦାନ ପରିଚାଳନା କରୁଥିବା ଘରୋଇ କମ୍ପାନୀ କର୍ତ୍ତୃପକ୍ଷ ପ୍ରତି ମୃତକଙ୍କ ପରିବାର ବର୍ଗ ଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେଇଥିବା ଖବର ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ