୩୦ ଜିଲ୍ଲାରେ ହେବ ୩୫ କୋଭିଡ ସ୍ୱତନ୍ତ୍ର ହସ୍ପିଟାଲ
ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟରେ ଅତି କମରେ ୩୦୦୦ ଶଯ୍ୟାର ସ୍ୱତନ୍ତ୍ର କୋଭିଡ ହସ୍ପିଟାଲହେବା ଉଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ଲକ୍ଷ୍ୟ ଧାର୍ଯ୍ୟ କରି ମୁଖ୍ୟ ସଚିବ ଓ ତାଙ୍କ ଟିମକୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ୩୦ଟି ଜିଲ୍ଲାପାଳଙ୍କ ପ୍ରସ୍ତୁତି ଓ ସରକାରୀ ସ୍ତରରେ ତନାଘନା ପରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛନ୍ତି ଯେ ଆସନ୍ତା ୧୫ ତାରିଖ ବେଳକୁ ରାଜ୍ୟରେ ୫୭୪୭ ଶଯ୍ୟାର ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହୋଇସାରିଥିବ । କେଉଁ ଜିଲ୍ଲାରେ କିଏ ସହାୟତା ଦେବେ, କେବେ ସୁଦ୍ଧା ସ୍ୱତନ୍ତ୍ର ହସ୍ପିଟାଲ ଖୋଲିବ, ସେ ସଂକ୍ରାନ୍ତରେ ମଧ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଉନ୍ନୟନ କମିସନର ଚିଠି ଲେଖି ଦେଇଛନ୍ତି ।
ଅନୁଗୁଳ ଜିଲ୍ଲାରେ ଏମସିଏଲ ମେଡିକାଲ କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ମେଡିକାଲ ହେବ । ସମ ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ଦେଖାଶୁଣା କରିବେ ଓ ଡିଏମଏଫ ପାଣ୍ଠିରୁ ଏଥିପାଇଁ ଆର୍ଥିକ ସହାୟତା ଦିଆଯିବ । ୧୩ ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବରଗଡ଼ରେ ଏମସିଏଚ କୋଠାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ୧୩ ତାରିଖ ସୁଦ୍ଧା ହେବ ।


