୪୬,୭୧୦ଜଣ ସଂକ୍ରମିତ ୧୫୮୩ ଜଣ ପ୍ରାଣ ହରାଇଥିବା ବେଳେ୨୪ ଘଣ୍ଟାରେ ୧୯୫ ଜଣ ମୃତ

୨୪ ଘଣ୍ଟା ମଧ୍ୟରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ସର୍ବାଧିକ ସ୍ତରରେ

ନୂଆଦିଲ୍ଲୀ : ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି। କୋଭିଡ-୧୯ ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ମନ୍ତ୍ରୀ ଗୋଷ୍ଠୀର ୧୪ତମ ବୈଠକ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପିପିଇ, ମାସ୍କ, ଭେଣ୍ଟିଲେଟର, ଔଷଧ ଏବଂ ଅନ୍ୟାନ୍ୟ ଜରୁରି ସାମଗ୍ରୀ ଯଥେଷ୍ଟ ପରିମାଣରେ ଉପଲବ୍ଧ ହେବା ସମ୍ପର୍କରେ ମନ୍ତ୍ରୀ ଗୋଷ୍ଠୀ ସମୀକ୍ଷା କରିଥିଲେ। ଆରୋଗ୍ୟ ସେତୁ ଆପର ପ୍ରଦର୍ଶନ, ପ୍ରଭାବ ଏବଂ ଉପଯୋଗିତା ସମ୍ପର୍କରେ ମନ୍ତ୍ରୀ ଗୋଷ୍ଠୀକୁ ଅବଗତ କରାଯାଇଥିଲା। ଅଣକୋଭିଡ ଡାକ୍ତରଖାନାରେ ଅଣକୋଭିଡ ରୋଗୀଙ୍କ ଚିକିତ୍ସା ଓ କୋଭିଡ ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମୟରେ ପିପିଇର ଯୁକ୍ତିଯୁକ୍ତ ଉପଯୋଗ ସଂକ୍ରାନ୍ତରେ ମାର୍ଚ୍ଚ ୨୪ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟମାନଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ଓପିଡି, ଡାକ୍ତରଙ୍କ ଚାମ୍ବର, ପ୍ରି ଆନାସ୍ଥେଟିକ ଚେକଅପ କ୍ଲିନିକ, ଆଇପିଡି ୱାର୍ଡ / ଆଇସିୟୁ, ଲେବର ରୁମ ଏବଂ ଅପରେସନ ଥିଏଟର ଆଦି ଡାକ୍ତରଖାନାର ଅଲଗା ଅଲଗା ସ୍ଥାନରେ ଭିନ୍ନ ଧରଣର ପିପିଇ ଉପଯୋଗ କରିବା ନିମନ୍ତେ ସୁପାରିସ କରାଯାଇଛି। ଅଣ ଜରୁରି ସ୍ୱାସ୍ଥ୍ୟ ସେବା ପାଇଁ ୧୪ ଏପ୍ରିଲ, ୨୦୨୦ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଟିକାକରଣ, ମାତୃ-ଶିଶୁ ସ୍ୱାସ୍ଥ୍ୟ ସେବା, ଡାଏଲିସିସ, କର୍କଟ, ମଧୁମେହ, ଯକ୍ଷ୍ମା ଆଦି ଗୁରୁତର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବେ। ସେହିପରି ସମସ୍ତ ଘରୋଇ ଓ ସରକାରୀ ଡାକ୍ତରଖାନାରେ ରକ୍ତଦାନ କାର‌୍ୟ୍ୟ ବିଭିନ୍ନ ଜୋନରେ ଲାଗୁ କୋହଳ ବ୍ୟବସ୍ଥା ଅନୁଯାୟୀ କରାଯିବ। ବର୍ତ୍ତମାନସୁଦ୍ଧା ୧୩,୧୬୦ଜଣ କୋଭିଡ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହାକି ମୋଟ ଆରୋଗ୍ୟ ହାରକୁ ୨୭.୪୧%ରେ ପହଞ୍ଚାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬,୭୧୦ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୩,୯୦୦ ନୂଆ ମାମଲା ସାମ୍ନାକୁ ଆସିଛି। ଦେଶରେ ମୋଟ ୧୫୮୩ ଜଣ ପ୍ରାଣ ହରାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୧୯୫ ଜଣ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ସର୍ବାଧିକ ସ୍ତରରେ ପହଞ୍ଚିଥିବାରୁ କଣ୍ଟାକ୍ଟ ଟ୍ରେସିଂ, ସକ୍ରିୟ ମାମଲା ଖୋଜିବା ଓ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ