ଇ-ମେଲ ଓ ହ୍ଵାଟ୍ସ ଅପ ଜରିଆରେ ଅର୍ଡର ଗ୍ରହଣ କରୁଛି ଜନୌଷଧି କେନ୍ଦ୍ର
ନୂଆଦିଲ୍ଲୀ : ଲକଡାଉନ ସମୟରେ ଔଷଧ ଯୋଗାଣକୁ ସୁଗମ କରିବା ପାଇଁ ଅନେକ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ରଗୁଡ଼ିକ ଇ-ମେଲ ଏବଂ ହ୍ଵାଟ୍ସ ଅପ ଜରିଆରେ ଔଷଧ ବରାଦକୁ ଗ୍ରହଣ କରୁଛନ୍ତି । ଯେକୌଣସି ବ୍ୟକ୍ତି ଡାକ୍ତରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପ୍ରେସକ୍ରିପସନକୁ ଅପଲୋଡ କରି ଔଷଧ ବରାଦ କରିପାରିବେ । ବରାଦ ମିଳିବା ପରେ ରୋଗୀଙ୍କ ନିକଟରେ ଔଷଧକୁ ପହଞ୍ଚାଇ ଦିଆଯାଉଛି । ଜନୌଷଧି କେନ୍ଦ୍ରଗୁଡ଼ିକର ଏହି ଅଭିନବ ପଦକ୍ଷେପଗୁଡିକୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ରଗୁଡ଼ିକ କାର୍ୟ୍ୟ କରୁଛନ୍ତି । ବର୍ତ୍ତମାନ ଦେଶର ୭୨୬ଟି ଜିଲ୍ଲାରେ ୬୩୦୦ରୁ ଅଧିକ ଜନୌଷଧି କେନ୍ଦ୍ରପରିଚାଳିତ ହେଇ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଣ ସୁନିଶ୍ଚିତ କରୁଛି । ଏହି କେନ୍ଦ୍ରମାନଙ୍କରେ ଉଚ୍ଚ ଗୁଣବତ୍ତାଯୁକ୍ତ ଔଷଧଗୁଡିକୁ ବଜାର ଦର ଠାରୁ ପ୍ରାୟ ୫୦ ରୁ ୯୦ ପ୍ରତିଶତ କମ ମୂଲ୍ୟରେ ଯୋଗାଇ ଦିଆଯାଉଛି । ଏପ୍ରିଲ ମାସରେ ସାରା ଦେଶରେ ପ୍ରାୟ ୫୨ କୋଟି ଟଙ୍କା ମୂଲ୍ୟର ଔଷଧ ଯୋଗାଇ ଦିଆଯାଇଛି । ଏଥିସହ ଦୂର ଦୂରାନ୍ତରେ ଥିବା ଷ୍ଟୋରଗୁଡିକୁ ଔଷଧ ଯୋଗାଇବା ପାଇଁ ଇଣ୍ଡିଆ ପୋଷ୍ଟ ସହିତ ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜନୌଷଧି ଗୋଦାମଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ୟ୍ୟ କରୁଛନ୍ତି ଏବଂ କର୍ମଚାରୀଙ୍କ ପାଇଁ ଘର ଭିତରର ଆବାସିକ ବ୍ୟବସ୍ଥା କରାଯାଇଛି ।


