୬ଦିନ ହେଲା ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ୪ଟି ୱାର୍ଡର ଲୋକମାନେ ଅକ୍ଟୋବର ମାସର ଚାଉଳ ପାଇ ନାହାନ୍ତି
ହାଟଡ଼ିହି, (ବିକାଶ ବିଶ୍ୱାଳ):ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ହରିଳୁଟ ଘଟଣାରେ ହାଟଡିହି ବିଡିଓ ଏହି ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରତିଭା ନାୟକ, ପ୍ରାକ୍ତନ ପିଇଓ ନରହରି ନାୟକ ଏବଂ ବର୍ତ୍ତମାନର ଜିଆରଏସ ପୁର୍ଣ୍ଣେନ୍ଦୁ ଥାଟୋଇଙ୍କ ନାମରେ ଥାନାରେ ଏଫଆଇଆର ଦେବାର ଗୋଟିଏ ଦିନ ପରଠାରୁ ପଞ୍ଚାୟତ କାର୍ଯ୍ୟାଳୟଟି ଏକ ପ୍ରକାର ବନ୍ଦ ହୋଇଯାଇଛି । ବର୍ତ୍ତମାନର ସରପଞ୍ଚ କେତେବେଳେ କିପରି ଆସି ତାଙ୍କ କାର୍ଯ୍ୟାଳୟ ଖୋଲୁଥିବାବେଳେ ପିଇଓ ଏବଂ ଜିଆରଏସଙ୍କ ଅନୁପସ୍ଥିତି ଯୋଗୁଁ କୌଣସି କାର୍ଯ୍ୟ ହୋଇପାରୁ ନାହିଁ । ସୋସୋ ପୁଲିସ ପଞ୍ଚାୟତ କାର୍ଯ୍ୟାଳୟକୁ ତଦନ୍ତ ପାଇଁ ଯାଇଥିବାବେଳେ ଅଫିସର କାଗଜପତ୍ର ପାଇ ନପାରି ଫେରି ଆସିଥିଲା । ଉକ୍ତ ପଞ୍ଚାୟତର ଜିଆରଏସ ଫେରାର ଥିବାବେଳେ ବର୍ତ୍ତମାନର ପିଇଓ ଭୟରେ କାର୍ଯ୍ୟାଳୟକୁ ଆସୁ ନାହାନ୍ତି । ଏହି ପଞ୍ଚାୟତରେ ଗତ ଅକ୍ଟୋବର ମାସର ଚାଉଳ ବଣ୍ଟନ ହେଉଥିବାବେଳେ ୪ଟି ୱାର୍ଡର ଲୋକମାନେ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ପଞ୍ଚାତର ୧ନଂ, ୨ନଂ, ୫ନଂ, ଓ ୬ନଂ ୱାର୍ଡର ହିତାଧିକାରୀମାନେ ଅକକ୍ଟୋବର ମାସର ଚାଉଳ ପାଇପାରି ନାହାନ୍ତି । ପଞ୍ଚାୟତରେ ଚାଉଳ ନଥିବାବେଳେ ଓ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ହିତାଧିକାରୀ ମାନେ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରି ଯାଉଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଞ୍ଚାୟତର କାର୍ଯ୍ୟକୁ ସୁଚାରୁରୁପେ କରିବା ଦିଗରେ ପଦକ୍ଷେପ ନେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି । ଗତ ଶନିବାର ଦିନ ଉକ୍ତ ପଞ୍ଚାୟତର ପୁର୍ବତନ ପିଇଓ ନରହରି ନାୟକଙ୍କୁ ବାଲେଶ୍ୱର ଅଞ୍ଚଳରୁ ପୁଲିସ ଗିରଫ କରି ଆଣି କୋର୍ଟ ଚାଲାଣ କରିବାପରେ ବ୍ଲକର ସବୁ କର୍ମଚାରୀଙ୍କ ମଧ୍ୟରେ ଛନକା ପସିଯାଇଛି ।


