୭୭ ବର୍ଷର ମଡେଲ

ଆର୍ଥିକ ପରିସ୍ଥିତି କେବେ କାହାକୁ କେଉଁଠି ପହଞ୍ଚାଇଥାଏ ତାହା କହିବା ମୁସ୍କିଲ । ତେବେ ଦକ୍ଷିଣ କୋରିଆର ୭୭ ବର୍ଷୀୟା ମହିଳା ଚୋଇ ସୁନ ଏବେ ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି । ଦିନେ ହସ୍ପିଟାଲରେ କାମ କରୁଥିବା ଚୋଇ ସମୟକ୍ରମେ କରଜରେ ବୁଡ଼ିଯାଇଥିଲେ । ଏପଟେ ଯାହା ପାରିଶ୍ରମିକ ମିଳୁଥିଲା ତାହା କରଜ ସୁଝିବାରେ ଚାଲିଯାଉଥିଲା । ଯୁବାବସ୍ଥାରୁ ମଡେଲ ହେବାର ଇଚ୍ଛା ରଖିଥିବା ଚୋଇ ଶେଷରେ ଭାବିଲେ ପରିଣତ ବୟସରେ ବି ସେ ମଡେଲ ହେବେ । ଆଉ ଏଥିରୁ ଅର୍ଥ ମଧ୍ୟ ରୋଜଗାର କରିବେ । ଏହା ପରେ ସେ ଏକ ଟେଲିଭିଜନ ବିଜ୍ଞାପନ ଦ୍ୱାରା ପ୍ରେରଣା ପାଇ ମଡେଲିଂ କରିବା ଆରମ୍ଭ କଲେ । ଏହା ପରେ ସେ ଦକ୍ଷିଣ କୋରିଆର ସବୁଠାରୁ ବୟସ୍କା ମଡେଲର ମାନ୍ୟତା ପାଇଲେ ।
ତେବେ ସିଓଲ ଫ୍ୟାଶନ ୱିକ୍ରେ ର‌୍ୟାମ୍ପରେ ଚାଲିବା ପରେ ସେ ଆସିଲେ ଚର୍ଚ୍ଚାକୁ । ଗୋଟିଏ ପଟେ ହସ୍ପିଟାଲ ଚାକିରି ଅନ୍ୟପଟେ ମଡେଲିଂ ତାଙ୍କୁ ଆର୍ଥିକ ବୋଝରୁ ସାମାନ୍ୟ ହାଲକା କଲା । ତେବେ ସ୍ୱାମୀ ଛାଡ଼ିଦେବା ପରେ ଚୋଇ ତାଙ୍କ ପିଲାମାନଙ୍କୁ ଏକାକି ମଣିଷ କରୁ କରୁ କରଜରେ ବୁଡି ଯାଇଥିବା କୁହନ୍ତି । ଆଉ ଏବେ ମଡେଲିଂ ପରେ ସେ ଅର୍ଥାଭାବ ସମସ୍ୟାରୁ ସାମାନ୍ୟ ମୁକୁଳି ପାରିଥିବା କହିଛନ୍ତି । ପରିଣତ ବୟସରେ ଯେ ଲୋକେ ତାଙ୍କୁ ମଡେଲ ଭାବେ ଗ୍ରହଣ କରିଛନ୍ତି ତାହା ତାଙ୍କ ପାଇଁ ସବୁଠାରୁ ବଡ ପୁରସ୍କାର ବୋଲି ସେ କୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ