୯ମାସର ପାଠ ପାଇଁ ୩ମାସର ସମୟ ଧାର୍ଯ୍ୟ : ଶିକ୍ଷାର୍ଥୀ ଚାପଗ୍ରସ୍ତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ଗତ ୧୭ ମାର୍ଚ୍ଚ ୨୦୨୦ତାରିଖ ଠାରୁ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଯାହାରି ଫଳରେ ଶିକ୍ଷାର୍ଥୀ ମାନେ ଶିକ୍ଷା ଅଧ୍ୟୟନରୁ ବଂଚିତ ରହିଥିଲେ । ଗତ ସେପ୍ଟମ୍ବର ମାସରୁ ଅନଲାଇନ୍ ମାଧ୍ୟମରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷାଦାନ କରିବା ସକାଶେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଅନଲାଇନ ଶିକ୍ଷାଦ୍ୱାରା ସହରାଂଚଳର ୫୦% ଶିକ୍ଷାର୍ଥୀ ଉପକୃତ ହୋଇଥିବା ବେଳେ ଗ୍ରାମାଂଚଳର ମାତ୍ର ୧୫ରୁ ୨୦% ଶିକ୍ଷାର୍ଥୀ ଉପକୃତ ହୋଇପାରିଥିବା ଜଣାପଡ଼ିଛି । କାହା ପାଖରେ ସ୍ମାର୍ଟ ମୋବାଇଲ ଫୋନ ନଥିଲା ତ କେଉଁଠାରେ ନେଯୱାର୍କର ସମସ୍ୟା ରହୁଥିଲା । ଯାହା କି ମୋଟାମୋଟି କହିବାକୁ ଗଲେ ଅନଲାଇନ ଶିକ୍ଷାଦାନ ସେତେଟା ଫଳପ୍ରଦ ହୋଇ ପାରିନଥିଲା । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଜାନୁୟାରୀ ୮ ତାରିଖ ଠାରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀ ମାନଙ୍କ ସକାଶେ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା । ବିଦ୍ୟାଳୟରେ ବନ୍ଦ ରହିବା ସମୟରେ ଅଭିଭାବକ ମାନେ ସେମାନଙ୍କ ଶିଶୁଙ୍କ ପାଠପଢାକୁ ନେଇ ଯେତିକି ଚିନ୍ତିତ ନଥିଲେ ବର୍ତମାନ ବିଦ୍ୟାଳୟରେ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷାଦାନ ଆରମ୍ଭ କରାଯିବା ପରେ ପାଠପଢାକୁ ନେଇ ସଂପୃକ୍ତ ଶ୍ରେଣୀର ଶିକ୍ଷାର୍ଥୀ ମାନେ ଅଧିକ ଚିନ୍ତାରେ ରହିଥିବା ଜଣାପଡ଼ିଛି । ଗୋଟିଏ ପଟେ ନିଜ ପିଲାମାନଙ୍କ ସୁରକ୍ଷା ଚିନ୍ତା ରହିଥିବା ବେଳେ ଅନ୍ୟପଟେ ଶିକ୍ଷାର୍ଥୀଙ୍କ ନିକଟରେ ପାଠପଢାର ଚାପ ରହିଥିବା ଦେଖିବାକୁ ମିଳିଛି । ଗତ ୮ ତାରିଖ ଠାରୁ ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପରେ କିଛି ଜିଲ୍ଲାରେ ଶିକ୍ଷକ ଓ ଶିକ୍ଷାର୍ଥୀ ମାନେ କରୋନାରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେି ଅଭିଭାବକଙ୍କ ଚିନ୍ତା ଦ୍ୱିଗୁଣିତ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ପ୍ରାୟତଃ କରୋନା ମୁକ୍ତ ହୋଇଥିବା ଜଣାପଡ଼ିଛି । ଯାହାରି ଫଳରେ ଗଞ୍ଜାମ ଜିଲ୍ଲାବାସୀ ସାମାନ୍ୟ ଆଶସ୍ତ ଅନୁଭବ କରୁଛନ୍ତି । ସରକାରଙ୍କ ସମସ୍ତ ପ୍ରକାର କୋଭିଡ଼-୧୯ ନିୟମାନୁସାରେ ଶିକ୍ଷାର୍ଥୀ ମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରି ବିଦ୍ୟାଳୟକୁ ଶିକ୍ଷା ଅଧ୍ୟୟନ କରିବା ସକାଶେ ଯାଉଛନ୍ତି । ବିଦ୍ୟାଳୟ ଖୋଲିବା ପରେ ଶ୍ରେଣୀ ଗୃହରେ ଶିକ୍ଷାଦାନ ଆରମ୍ଭ କରାଯିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ମାତ୍ର ୯ମାସର ପାଠ ପାଇଁ ୩ମାସର ସମୟ ଧାର୍ଯ୍ୟ କରାଯାଇଥିବା ଯୋଗୁଁ ଶିକ୍ଷାର୍ଥୀ ମାନେ ଚାପଗ୍ରସ୍ତ ହୋଇ ପଡ଼ିଥିବା ଜଣାପଡ଼ିଛି । ବର୍ତମାନ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର୍ଥୀ ମାନଙ୍କ ଉପସ୍ଥାନ ସ୍ୱାଭାବିକ ରହିଥିବା ଜଣାପଡ଼ିଛି । ଚଳିତ ଶିକ୍ଷାବର୍ଷର ଶିକ୍ଷାର୍ଥୀ ମାନେ ୧୦୦ମାର୍କ ପରିବର୍ତେ ୮୦ମାର୍କ ଲାଗି ପରୀକ୍ଷା ଦେବେ । ସେଥିମଧ୍ୟରୁ ୫୦ମାର୍କ ଅବଜେକ୍ଟିଭ ରହିଥିବା ବେଳେ ୩୦ ମାର୍କ ସବଜେକ୍ଟିଭ ରହିବ ବୋଲି ସୂଚନା ମିଳିଛି ।


