ସ୍ୱାମୀ ବ୍ରହ୍ମାନନ୍ଦଙ୍କ ୧୦୮ତମ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର (ଓ୍ବାଇଏନଏସ) : ଓଡ଼ିଶାରେ ଗୁରୁକୂଳ ଓ ଆର୍ଯ୍ୟସମାଜ ଆନ୍ଦୋଳନର ଅଗ୍ରଦୂତ ତଥା ବୈଦିକ ଗୁରୁକୂଳ ଆଶ୍ରମ ବେଦବ୍ୟାସର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୧୦୮ତମ ଜୟନ୍ତୀ ଉତ୍ସବ, ଆର୍ଯ୍ୟସମାଜ ଓଡ଼ିଶା ଓ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ମିଳିତ ଭାବେ ଚନ୍ଦ୍ରଶେଖରପୁର ଶ୍ରୀ ଅରବିନ୍ଦନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ସଭାଗୃହରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ବ୍ରହ୍ମାତ୍ୱରେ ବୈଦିକ ଶାନ୍ତି ଯଜ୍ଞ ପରେ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ଓଡ଼ିଶାରେ ଆର୍ଯ୍ୟସମାଜ ଓ ମହର୍ଷି ଦୟାନନ୍ଦଙ୍କ ବିଚାରଧାରାକୁ ସାଧାରଣ ଜନତା ନିକଟରେ ପହଞ୍ଚାଇବା ପାଇଁ ତାଙ୍କର ଜୀବନବ୍ୟାପୀ ସାଧନାର ପଟ୍ଟାନ୍ତର ନାହିଁ। ସେ ଆର୍ଯ୍ୟସମାଜ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲେ। ଧାରା ଶ୍ରୀରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଯିଏ ସ୍ୱାମିଜୀଙ୍କ କାର୍ଯ୍ୟଧାରାକୁ ନ ଦେଖିଛି, ସିଏ ସ୍ୱାମିଜୀଙ୍କ କାର୍ଯ୍ୟକ୍ରମର ମୂଲ୍ୟାୟନ କରିପାରିବ ନାହିଁ।
ମୁଖ୍ୟବକ୍ତା ବିଶିଷ୍ଟ ବୁଦ୍ଧିଜୀବୀ ରମେଶ ଚନ୍ଦ୍ର ପାତାଳସିଂହ ସ୍ୱାମୀ ବ୍ରହ୍ମାନନ୍ଦଙ୍କୁ ଜଣେ ସଂସ୍କାରକ ଭାବେ ବର୍ଣ୍ଣନା କରି କହିଲେ ଯେ, ସ୍ୱାମିଜୀ ପ୍ରକୃତରେ ଥିଲେ ମହର୍ଷି ଦୟାନନ୍ଦଙ୍କର ଜଣେ ସଚ୍ଚା ଦାୟାଦ। ସାମାଜିକ ଜାତି ବ୍ୟବସ୍ଥାର ଉର୍ଦ୍ଧ୍ୱରେ ରହି ସେ କାର୍ଯ୍ୟ କରୁଥିଲେ। ଆଦିବାସୀ ମାଳ ଅଞ୍ଚଳରେ ଗୁୁରୁକୂଳମାନ ପ୍ରତିଷ୍ଠା କରି ତଳେ ପଡ଼ିଥିବା ମଣିଷମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମିଶ୍ର ସ୍ୱାଗତ ଭାଷଣରେ ସ୍ୱାମିଜୀଙ୍କର ସାମଗ୍ରୀକ ଅବଦାନ, ଓଡ଼ିଆ ଜାତି ମୂଲ୍ୟାୟନ କରିପାରି ନାହିଁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ରେଣୁବାଳା ମିଶ୍ର ଓ ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର ସ୍ୱାମିଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ଟ୍ରଷ୍ଟି ନଳିନୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଜନ୍ମେଜୟ ନାୟକ ଓ ବରୁଣରାଜ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ