ଶେଖ ହାସିନା ଓ ଭାରତ

ଗତ ସପ୍ତାହରେ ବଙ୍ଗଳା ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ଫଳାଫଳ ନେଇ ବିସ୍ମିତ ହେବାର କିଛି କାରଣ ନାହିଁ । ବଙ୍ଗଳା ଦେଶର ମୁଖ୍ୟ ବିରୋଧିଦଳ ବର୍ଜନ କରିଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନେତୃତ୍ୱରେ ପରିଚାଳିତ । ଆୱାମୀ ଲିଗ୍ୟୁ ୩୦୦ ସଦସ୍ୟ ବିଶିଷ୍ଟ ପାର୍ଲିଆମେଂଟରେ ୨୨୨ଟି ଆସନରେ ବିଜୟୀ ହୋଇ କ୍ରମାଗତ ଚତୁର୍ଥ ଥର ପାଇଁ ଦେଶରେ ଶାସନ ଡୋରି ଧରିଛନ୍ତି । ନିର୍ବାଚନକୁ ବର୍ଜନ କରିଥିବା ମୁଖ୍ୟ ବିରୋଧି ଦଳ ବଙ୍ଗଳା ଦେଶ ଜାତୀୟ ବାଦୀ ପାର୍ଟି (ବିଏନପି) ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହାସିନାଙ୍କ ଇସ୍ତଫା ଦାବି କରି ସାଧାରଣ ଧର୍ମଘଟ ପାଇଁ ଆହ୍ୱାନ ଦେଇଛି । ୧୯୯୧ ରେ ସ୍ୱାଧୀନ ବଙ୍ଗଳାଦେଶ ଜନ୍ମନେବା ପର ଠାରୁ ନିର୍ବାଚନ ବର୍ଜନ । ସରକାରର ଇସ୍ତଫା ଦାବି, ସାଧାରଣ ଷ୍ଟ୍ରାଇକ କିଛି ନୂଆ କଥା ନୁହେଁ । ପ୍ରତି ଥରର ସାଧାରଣ ନିର୍ବାଚନ ପରେ ବିରୋଧି ଦଳଗୁଡିକ ପକ୍ଷରୁ ଯାହା ଘଟିଥାଏ, ଏବେ ହି ତା’ର କେବଳ ପୁନରାବୃତି ଘଟିଛି । ମୁଖ୍ୟ ବିରୋଧି ଦଳ ବିଏନପିର ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚ୍ୟାଲେଞ୍ଜ ଦିଆ ଏବେ ଜେଲରେ ନଜରବନ୍ଦୀ ଥିବାବେଳେ ଦଳର କାର୍ଯ୍ୟକାରୀ ତଥା ପୁଅ ତାରିକ୍ ରହମନ ଏବେ ଲଣ୍ଡନରେ ନିର୍ବାସନରେ ଅଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଚଳିତ ନିର୍ବାଚନରେ ବଙ୍ଗଳାଦେଶରେ ଯେତିକି ଭୋଟଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି, ତାହା ୧୯୯୧ରେ ଗଣତାନ୍ତ୍ରୀକ ଶାସନ ବ୍ୟବସ୍ଥା ପୁନଃବାହଲ୍ ହେବା ପରେ ଦ୍ୱିତୀୟ ସବୁଠାରୁ କମ୍ ମତଦାନ ହାର ଥିଲା । ଉଲ୍ଳେଖ କରାଯାଇପାରେ ଯେ, ମୁଖ୍ୟ ବିରୋଧି ଦଳ ବିଏନପିର ନିର୍ବାଚନ ବର୍ଜନ ଓ ସାଧାରଣ ଷ୍ଟ୍ରାଇକ୍ ଆହ୍ୱାନ ପରିପ୍ରେକ୍ଷୀରେ ମତଦାନ ହାର ସର୍ବନିମ୍ନ ରହିଥିଲା । ଗତ ୨୦୧୯ ପାର୍ଲିଆମେଂଟ ନିର୍ବାଚନରେ ଦେଶରେ ମତଦାନ ହାର ୮୦ ପ୍ରତିଶତ ଥିବାବେଳେ ଏଥର ତାହା ୪୦ ପ୍ରତିଶତକୁ ହ୍ରାସ ପାଇଥିଲା । ତେବେ ସେ ଯାହା ହେଉନା କାହିଁକି, ଭାରତ ହେଉଛି ବଙ୍ଗଳା ଦେଶର ବିଶ୍ୱାସୀ ବନ୍ଧୁ ବୋଲି ନିର୍ବାଚନ ଦିନ ଟେଲିଭିଜନ ଚ୍ୟାନେଲଗୁଡିକ ସମ୍ମୁଖରେ ପ୍ରକାଶ କରିବା ଭାରତ ପ୍ରତି ତାଙ୍କର ଆସ୍ଥା ଓ ବିଶ୍ୱାସକୁ ପ୍ରତିପାଦିତ କରିଛି ବୋଲି ନିସନ୍ଦେହରେ କୁହାଯାଇପାରିବ । ଉଲ୍ଳେଖଯୋଗ୍ୟ ଯେ, ଭାରତର ପଡୋଶୀ ତଥା ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁସମ୍ପର୍କ ଏବଂ ସହଯୋଗିତା ବୃଦ୍ଧି ନେଇ ଅଶୀ ଦଶକରେ ଜନ୍ମ ନେଇ ଦକ୍ଷିଣ ଏସିଆ ଆଂଚଳିକ ସହଯୋଗ ସମିତି (ସାର୍କ)ର ସାତ ସଦସ୍ୟଙ୍କ ମଧ୍ୟରୁ ଏବେ ପାକିସ୍ଥାନ, ନେପାଳ, ଶ୍ରୀଲଙ୍କା, ମାଳଦୀପ, ଆଫଗାନିସ୍ଥାନ ସହ ଭାରତର ସମ୍ପଦ ଏବେ ଭଲ ନାହିଁ । ଦେଶ ସ୍ୱାଧୀନ ହେବା ପରଠାରୁ ପାକିସ୍ଥାନ ଭାରତ ସହ ଶତ୍ରୃତା ଆଚରଣ କରି ଆସିଛି । ଏପରିକି ଦୁଇ ଦେଶ ମଧ୍ୟରେ ଚାରି ଚାରି ଥର ପ୍ରତ୍ୟକ୍ଷ ଯୁଦ୍ଧ ଲାଗିଛି । ଏବେ ବି ସୀମା ପାର ଆତଙ୍କବାଦ ଦ୍ୱାରା ଭାରତ ବରୁଦ୍ଧରେ ପାକିସ୍ଥାନ ଛାୟା ଯୁଦ୍ଧ ଜାରି ରଖିଛି । ସେହିପରି ଭାରତର ଶତ୍ରୃ ରାଷ୍ଟ୍ରଭାବେ ପରିଚିତ ଚୀନ’ର ନିକଟତର ହୋଇ ଏବେ ନେପାଳ, ଶ୍ରୀଲଙ୍କା, ମାଳଦୀପ ଖୋଲାଖୋଲି ଆହ୍ୱାନ ସୃଷ୍ଟି କରିଛନ୍ତି । ଯଥାର୍ଥରେ କହିବାକୁ ଗଲେ ପଡୋଶୀ ରାଷ୍ଟ୍ରମାନଙ୍କ ସହ ଭାରତର ସମ୍ପର୍କ ଏବେ ଭଲ ନାହିଁ । ଏପରି ଏକ ସମୟରେ ନିର୍ବାଚନ ପରିପ୍ରେକ୍ଷୀରେ ବୈଦ୍ୟୁତିକ ଗଣମାଧ୍ୟମଗୁଡିକ ସମ୍ମୁଖରେ ଭାରତ ଆମର ବିଶ୍ୱାସୀ ବନ୍ଧୁ ରାଷ୍ଟ୍ର ବୋଲି କହି ପ୍ରଶଂସା କରିବା ଆଶ୍ୱସ୍ତିର କାରଣ ହୋଇଛି ସତ । କିନ୍ତୁ ବଙ୍ଗଳାଦେଶ ଏବେ ଯେପରି ଚୀନର ନିକଟତର ହେବାରେ ଲାଗିଛି, ତାହା ଚିନ୍ତାର କାରଣ ହେବା ସ୍ୱାଭାବିକ । ଚୀନର ବେଲଟ ଆଣ୍ଡ ରୋଡ ଇନିସିଏଟିଭ(ବିଆର୍‌ଆଇ) ପ୍ରକଳ୍ପକୁ ଭାରତ ଦୃଢ ବିରୋଧି କରିବା ସହ ପ୍ରତ୍ୟାଖ୍ୟାନ କରିଥିବାବେଳେ ପ୍ରଧାନମନ୍ତ୍ରୀ ହାସିନା ପ୍ରଶଂସା କରିବା ସହ ଏହା ତାଙ୍କ ଦେଶ ପାଇଁ ବିକାଶର ନୂଆ ଦରଜା ଖୋଲି ଦେଇଛି ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ଗଲା ବର୍ଷ ଚୀନ ଓ ବଙ୍ଗଳା ଦେଶ ମଧ୍ୟରେ ଅଧିକାରୀ ସ୍ତରୀୟ ଏବଂ ସାଂସ୍କୃତିକ ବିନିମୟ ଅଧିକ ତ୍ୱରାନ୍ୱିତ ହୋଇଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ଭାବେ ଉଭା ହୋଇଛି । ସେହିପରି ବଙ୍ଗଳା ଦେଶରେ ଚୀନ ବ୍ୟାପକ ପୁଞ୍ଜି ନିବେଶ କରିଥିବା ବେଳେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହା ନିଶ୍ଚିତ ଯେ, ବିସ୍ତାରବାଦୀ ନୀତି ଯୋଗୁଁ ଉତରପୂର୍ବାଚଂଳ ଠାରୁ ଆରମ୍ଭ କରି ଜାମ୍ମୁ କାଶ୍ମୀର ଏବଂ ଲଦାଖ, ସିକିମ୍ ସୀମାନ୍ତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚୀନ ବାରମ୍ବାର ପ୍ରୟାସ କରିଆସିଛି । ଅନ୍ୟପକ୍ଷରେ ଚୀନ ସହ ଭାରତର ସମ୍ପର୍କ ଦିନକୁ ଦିନ ବିଗିଡିବାରେ ଲାଗିଛି । ସେହିପରି ପଡୋଶୀ ରାଷ୍ଟମାନଙ୍କ ସହ ଭାରତର ସୁସମ୍ପର୍କରେ ଅବନତି ଘଟୁଥିବାବେଳେ ସେହି ଦେଶଗୁଡିକ ଏବେ ଡ୍ରାଗନର କବଜାରେ । ଯଦି ବଙ୍ଗଳାଦେଶ ଡ୍ରାଗନରେ ପଡେ, ତେବେ ଭାରତ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଅନ୍ୟପକ୍ଷରେ ବଙ୍ଗଳା ଦେଶ ଚୀନର ନିକଟତର ହେଉଥିବରବେଳେ ଭାରତକୁ ସର୍ବସମ୍ମୁଖରେ ବିଶ୍ୱାସୀ ବନ୍ଧୁ ରାଷ୍ଟ୍ର କହି ପ୍ରଶଂସା କରିବା ଘଟଣାରେ ଭାରତ ଉଲ୍ଲସିତ ନହୋଇ ସତର୍କ ରହିବା ବିଜ୍ଞତାର ପରିଚାୟକ ହେବ ।

ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ