ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଭାନ, ଥାନାରେ ଅଭିଯୋଗ
ଯୋଡ଼ା- କେନ୍ଦୁଝର ଜିଲା ଯୋଡ଼ା ସହରର ବନେଇକଳା ଠାରେ ରହୁଥିବା ପ୍ରମୋଦ କୁମାର ସାହୁ ନାମକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉନ୍ଟରୁ ଟଙ୍କା ଉଭାନ ହୋଇଥିବା ନେଇ ଯୋଡ଼ା ଥାନାରେ ଅଭିଯୋଗ ହୋଇଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡ଼ିଛି ଯେ,ବନେଇକଳା ଠାରେ ରହୁଥିବା ପ୍ରମୋଦ କୁମାର ସାହୁଙ୍କ ଯୋଡ଼ାସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉନ୍ଟ ଅଛି । ଗତ ତା୨୦/୦୧/୨୦୨୦ରିଖରେ ତାଙ୍କ ଆକାଉନ୍ଟରୁ ୯ହଜାର ୯ଶହ ୯୯ଟଙ୍କା ଉଠାଯାଇଥିବା ନେଇ ତାଙ୍କ ମୋବାଇଲ ନମ୍ବରକୁ ପ୍ରଥମେ ଏକ ମେସେଜ ଆସିଥିଲା ଏବଂ ଉକ୍ତ ମେସେଜରେ ଗ୍ରାହକ ସେବା ନମ୍ବର ରହିଥିଲା । ପ୍ରମୋଦ ଗ୍ରାହକ ସେବା ନମ୍ବରରେ ଯୋଗାଯୋଗ କରିବାବେଳେ ପୁନର୍ବାର ୯ହଜାର ୯ଶହ୯୯ଟଙ୍କା ଉଠାଯାଇଥିବା ନେଇ ମେସେଜ ଆସିଥିଲା ।ଏହି ମେସେଜ ପାଇବା ପରେ ଆକାଉଣ୍ଟ ଧାରୀ ପ୍ରମୋଦ ସାହୁ ବ୍ୟାଙ୍କ ସହ ଯୋଗାଯୋଗ କରି ଆକାଉଣ୍ଟ କୁ ବନ୍ଦ କରାଇଥିଲେ ଏବଂ ଏ ନେଇ ବୁଧବାର ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଯୋଡ଼ା ପୋଲିସ ଅଭିଯୋଗ ପାଇବା ପରେ କେଶ ନଂ ୧୯/୨୦୨୦ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ରାଇସେନ ମୂର୍ମୂ ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ,ଗତ କିଛି ଦିନ ପୂର୍ବେ ଏହିପରି ଜଣେ ବ୍ୟକ୍ତିଙ୍କ ଆକାଉଁଣ୍ଟରୁ ଟଙ୍କା ଉଭାନ ଅଭିଯୋଗରେ ଯୋଡ଼ା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯୋଡ଼ା ସହରରେ ଦିନକୁ ଦିନ ବ୍ୟାଙ୍କ ଆକାଉଣ୍ଟରୁ ଗ୍ରାହକଙ୍କ ଟଙ୍କା ଉଭାନ ଘଟଣା ବୃଦ୍ଧି ପାଇବାରେ ଲାଗିଛି ।ଏହି ଘଟଣାରେ ଘରୋଇ ବ୍ୟାଙ୍କଗୁଡ଼ିକ ପୋଲିସକୁ ତଥ୍ୟ ଦେଉଥିଲେ ହେଁ ସରକାରୀ ବ୍ୟାଙ୍କ ଟଙ୍କା ଉଭାନର ତଥ୍ୟ ପୋଲିସକୁ ଦେବାରେ ବିଳମ୍ବ କରୁଥିବାରୁ ଚୋରମାନେ ଧରାପଡ଼ୁ ନ ଥିବା ଅଭିଯୋଗ ହୋଇଛି । ଏଣୁ ବ୍ୟାଙ୍କଗୁଡ଼ିକ ଉଚିତ ସମୟରେ ତଥ୍ୟ ପ୍ରଦାନ କରି ଚୋରଙ୍କୁ ଧରିବାରେ ପୋଲିସକୁ ସହଯୋଗ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।