ବିଜେପି ବଞ୍ଚୋ ମଣ୍ଡଳ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ହାଟଡିହି, (ଓ୍ବାଇଏନଏସ): ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବା ଉଦ୍ଦେଶ୍ୟରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ଭାରତୀୟ ଜନତା ପାର୍ଟିର ବଞ୍ଚୋ ମଣ୍ଡଳ ପକ୍ଷରୁ ଏକ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର ଦ୍ୱାରା ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଥିଲା। ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପସଭାପତି ଜ୍ଞାନରଞ୍ଜନ ସାମନ୍ତସିଂହାର ଓ ଯୁଧିଷ୍ଠିର ମଲ୍ଲିକଙ୍କ ନେତୃତ୍ୱରେ ଅଣା ମଠଠାରୁ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଏହି ସଚେତନତା ଅଭିଯାନରେ ସାମିଲ ହୋଇଥିଲେ। କାର୍ଯ୍ୟକର୍ତ୍ତାମାନେ ‘ସ୍ୱଚ୍ଛ ଭାରତ, ପ୍ଲାଷ୍ଟିକ ମୁକ୍ତ ଭାରତ’ ଆଦି ସ୍ଲୋଗାନ ଦେଇ ଅଣା ଛକ, ଛେନାପଦି ଛକ ଦେଇ ଶାସଙ୍ଗ ଛକ ପର୍ଯ୍ୟନ୍ତ ଯାଇଥିଲେ। ଏହି ଅବସରରେ ରାସ୍ତାପାର୍ଶ୍ୱରେ ଥିବା ଦୋକାନୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାରର କୁପରିଣାମ ବିଷୟରେ ବୁଝାଇବା ସହ ପରିବେଶ ସୁରକ୍ଷା ଦିଗରେ ସଚେତନ ହେବାକୁ ଆହ୍ୱାନ ଦିଆଯାଇଥିଲା। ପ୍ଲାଷ୍ଟିକ ଦ୍ରବ୍ୟର ଅବାଧ ବ୍ୟବହାର ଓ ଏହାର ଅବ୍ୟବସ୍ଥିତ ନିଷ୍କାସନ ଆଜି ପରିବେଶ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ପ୍ଲାଷ୍ଟିକ ମାଟିର ଉର୍ବରତାକୁ ପ୍ରଭାବିତ କରିବା ସହ ନାଳନର୍ଦ୍ଦମା ଓ ଜଳପଥକୁ ଅବରୋଧ କରୁଛି। ଏହାଦ୍ୱାରା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେବା ସହ ଜଳଜୀବ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ତେଣୁ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ଭବ ମାତ୍ରାରେ କମାଇବା, ବାରମ୍ବାର ବ୍ୟବହାର ଯୋଗ୍ୟ ବ୍ୟାଗ୍‌ ବ୍ୟବହାର କରିବା ଏବଂ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗିବା ଉପରେ ଗୁରୁତ୍ୱ ଦେବାକୁ ଏହି ଅଭିଯାନରେ ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଦୀନେଶ ସେଠୀ, ରବୀନ୍ଦ୍ର ଜେନା, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସମିତି ସଭ୍ୟ ତାରିଣୀ ସେନାପତି, ବିଜେପି ନେତା ହରମୋହନ ଶାସିନୀ, ସୁଶାନ୍ତ ଜେନା, ନିରଞ୍ଜନ ସାହୁ, ମିନତୀ ମହାପାତ୍ର, ଦୀପ୍ତିମୟୀ ଖୁଣ୍ଟିଆ, ତୃପ୍ତିମୟୀ ଜେନା, ତପସ୍ୱିନୀ ମହାପାତ୍ର, ଶଶିକାନ୍ତ ରାଉତ, ସୁରେଶ ମହାନ୍ତି, ସୁନୀଲ ନାୟକ, ଚନ୍ଦନ ପଣ୍ଡା, ରୁଦ୍ରପ୍ରସାଦ ଜେନା, ଭୀମସେନ ପେରେଇ, ସୁରେନ୍ଦ୍ର ବିଶ୍ୱାଳ, ଚତୁର୍ଭୁଜ ସ୍ୱାଇଁ, ସୁଧାଂଶୁ ବିଶ୍ୱାଳ, ସୁରେନ୍ଦ୍ର ସାହୁ, ମଣ୍ଡଳ ସଭାପତି ଜଗନ୍ନାଥ ବାରିକ ଓ ହରେକୃଷ୍ଣ ସ୍ୱାଇଁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା କେବଳ ପ୍ରଶାସନ କିମ୍ବା କୌଣସି ଗୋଟିଏ ସଂଗଠନର ଦାୟିତ୍ୱ ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ କର୍ତ୍ତବ୍ୟ। ଏଥିପାଇଁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର କମାଇବା ସହ ନିଜ ଘର, ଗାଁ ଓ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ