ଆତଙ୍କ ଖେଳାଉଛି କରୋନା ଭୂତାଣୁ
ଭୁବନେଶ୍ବର: ସାରା ବିଶ୍ୱରେ ଆତଙ୍କ ଖେଳାଉଥିବା କରୋନା ଭୂତାଣୁକୁ ନେଇ ମଙ୍ଗଳବାର ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । କରୋନା ଭୂତାଣୁ ନେଇ ସମସ୍ତ ଜିଲ୍ଲା ମେଡିକାଲରେ କିପରି ଭାବରେ ପ୍ରସ୍ତୁତି ରହିଛି ଓ ଯଦି କରୋନା ଲକ୍ଷଣ କାହାଠାରେ ଦେଖାଦିଏ ତେବେ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଛି ।ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଆଜି ସୁଦ୍ଧା ୧୨ଟି ଦେଶରୁ ୪ ହଜାର ୫୬୫ ସମ୍ଭାବ୍ୟ ସଂକ୍ରମଣ ସୂଚନା ଆସିଛି । କେବଳ ଚୀନରେ ୧୦୬ ଜଣ ମରିଛନ୍ତି । ୯୮ ପ୍ରତିଶତ ମୃତ୍ୟୁ ଖବର ଚୀନରୁ ଆସିଛି । ପୁଣି ଅଧିକାଂଶ ଉହାନ ସହରରୁ । ଚୀନରୁ ଫେରିଥିବା କାକଟପୁର ଯୁବକଙ୍କ ଶରୀରରେ କେବଳ ଥଣ୍ଡା ଲକ୍ଷଣ ଦେଖାଯାଇଛି । ଏହାବ୍ୟତୀତ ଅଧିକ କିଛି ମିଳିଲାନାହିଁ । କୌଣସି ଔଷଧ ନଥିବାରୁ ଏ ନେଇ ପ୍ରତିଷେଧମୂଳକ ଭାବେ ସତର୍କ ରହିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।


