ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା) ପ୍ରଥମ ବୈଠକ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା)ର ପ୍ରଥମ ବୈଠକ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଜିଲ୍ଲାପାଳ ସମର୍ଥ ବର୍ମା,ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଜିଲ୍ଲାର ସମନ୍ୱିତ ଶିଶୁ ବିକାଶ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ପ୍ରଥମେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ ସମନ୍ୱିତ ଶିଶୁ ବିକାଶ ଯୋଜନା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନକରି ଅଙ୍ଗନଓା୍ୱଡି କେନ୍ଦ୍ର ଗୁଡିକରେ ପୁଷ୍ଟିକର ଖାଦ୍ୟ ଯୋଗାଣ, ଟୀକାଦାନ, ଗର୍ଭବତୀ ମହିଳାମାନଙ୍କୁ ଯତ୍ନ,ମା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପୋଷଣ ଅଭିଯାନ, ଶିଶୁମାନଙ୍କୁ ପ୍ରାକ ବିଦ୍ୟାଳୟ ଶିକ୍ଷା ପ୍ରଦାନ, ସଚେତନତା କାର୍ଯ୍ୟକ୍ରମ, ଅଙ୍ଗନଓା୍ୱଡି କେନ୍ଦ୍ର ଓ ମିଶନଶକ୍ତିର କାର୍ଯ୍ୟଧାରା ପ୍ରଭୃତି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାରେ ଅଙ୍ଗନଓା୍ୱଡି କେନ୍ଦ୍ର ଗୁଡିକୁ ଯେଉଁ ଛତୁଆ ଯୋଗାଣ ହେଉଛି ତାହା ପୁଷ୍ଟିକର ହୋଇନଥିବାରୁ ମା’ ଓ ଶିଶୁମାନେ ତାକୁ ନଖାଇ ଗାଇଗୋରୁଙ୍କୁ ଦିଆଯାଉଛି ବୋଲି କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଏସମ୍ପର୍କରେ କହିଥିଲେ ଯେ ଯଦି ଶତ ପ୍ରତିଶତ ସରକାରୀ ଆଇନକୁ କଡାକଡି ଧରାଯାଏ ତେବେ ଛତୁଆ ପ୍ରସ୍ତୁତ କାରୀ ଗୋଟିଏ ବି ସ୍ୱୟଂ ସହାୟିକା ଗୋଷ୍ଠି ସେଥି ନିମନ୍ତେ ରହିପାରିବେ ନାହିଁ । କିନ୍ତୁ ୫୦ଭାଗରୁ ଅଧିକ ପୁଷ୍ଟିକର ଛତୁଆ ପ୍ରସ୍ତୁତ କରୁଥିବା ଗୋଷ୍ଠି ଗୁଡିକୁ ଏଥିପାଇଁ ସୁଯୋଗ ଦିଆଯିବା ସହିତ ତାହାଠୁ କମ ପରିମାଣର ପୁଷ୍ଟିକର ଛତୁଆ ପ୍ରସ୍ତୁତ କରୁଥିବା ଗୋଷ୍ଟିକୁ ଅଭିଯୋଗ ଆସିବା ପରେ ତଦନ୍ତ ପୂର୍ବକ ସେଥିରୁ ବାଦ ଦିଆଯାଇଛି । ଏହାପରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ଓ ସମଗ୍ର ଶିକ୍ଷା ଅଭିଯାନରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମମାନର ସ୍କୁଲ ଡ୍ରେସ ଯୋଗାଣ ଉପରେ ସାଂସଦ ଶ୍ରୀ ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ମୋ-ସରକାର ଯୋଜନାରେ ମିଶନଶକ୍ତି କାର୍ଯ୍ୟକ୍ରମକୁ ତ୍ୱରୋନ୍ୱିତ କରିବା ଓ ଛତୁଆର ମାନ ବୃଦ୍ଧି କରିବା,ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ସହ ସେଠାରେ ପାନୀୟ ଜଳ ଯୋଗାଣ,ବିଦ୍ୟୁତ ବ୍ୟବସ୍ଥା ଓ ପାଇଖିନାର ବ୍ୟବସ୍ଥା କରିବାକୁ ସାଂସଦ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ସର୍ଭେ କରି ଯେଉଁ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଜଳ ଯୋଗାଣ ବ୍ୟବସ୍ଥା ଓ ପାଇଖିନା ନାହିଁ ସେଠାରେ ଉନ୍ନୟନ ଅର୍ଥର ସୁଧବାବଦରେ ଥିବା ଅର୍ଥରୁ ତୁରନ୍ତ ସେସବୁ କାର୍ଯ୍ୟ ସମାପନ କରିବାକୁ ନିର୍ଦେଶ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ପ୍ରସ୍ତାବ କ୍ରମେ ଜିଲ୍ଲାରେ ଥିବା ୧୪୬ଟି ଓଭରଲୋଡ ପାଣିଟାଙ୍କି ମଧ୍ୟରୁ ୧୪୩ଟି କାର୍ଯ୍ୟକ୍ଷମ ଥିବା ପାଣିଟାଙ୍କି ଗୁଡିକ ଯଥାଶୀଘ୍ର ସଫେଇ କରିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ବନ୍ତଳା ଗ୍ରାମ ପଂଚାୟତର ଧାମରା ଓ ହରିପୁର ପାନୀୟ ଜଳ ଯୋଗାଣ ପ୍ରକଳ୍ପର ତୁରନ୍ତ ମରାମତି କରାଯିବା,ପାଖଡ ପଂଚାୟତର ବାମରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଖଡିଅଂଟା ପଂଚାୟତର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରିତା ଦିଗରେ ତୁରନ୍ତ ପଦକ୍ଷେପ ପାଇଁ ସାଂସଦ ନିର୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ଖଣ୍ଡ -୧ ଅଧିନରେ ୨୨୫ଟି ପ୍ରକଳ୍ପ ମଧ୍ୟରୁ ୧୭୭ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ଅନ୍ୟପ୍ରକଳ୍ପ ଗୁଡିକର କାର୍ଯ୍ୟ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ସାଂସଦ ନିର୍ଦେଶ ଦେଇଥିଲେ । ସେହିଭଳି ଗ୍ରାମ୍ୟ ଉନ୍ନୟନ ଖଣ୍ଡ -୨ ଅଧିନରେ ୧୯୩ଟି ପ୍ରକଳ୍ପ ମଧ୍ୟରୁ ୭୭ଟିର କାର୍ଯ୍ୟ ଶେଷ ହୋଇଥିବା ବେଳେ ଅବଶିଷ୍ଟ ପ୍ରକଳ୍ପ ଗୁଡିକର କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ସାଂସଦ ନିର୍ଦେଶ ଦେଇଥିଲେ । ଏଥିସହିତ କୋଇଲିପୁର ପଂଚାୟତର ଘରଭଞ୍ଜା କୋଲାପୁର ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଖୋଲାସ୍ଥାନରେ ପାଠପଢୁଥିବା, ଲୋକନାଥପୁର ହରିଜନ ସାହି ସ୍କୁଲ, ବନ୍ତଳା ପଂଚାୟତ ମାହାର୍ଘ୍ୟ ସ୍କୁଲ, ବନ୍ଧପାଟଣା ସ୍କୁଲ,ଏମ.ଜି.ସ୍କୁଲ, କେଶବାନନ୍ଦ ବାଳିକା ସ୍କୁଲର ସମସ୍ୟା ସମ୍ପର୍କରେ ସମୀକ୍ଷା କରିଥିଲେ । ଷ୍ଟାଡିୟମ ଗୁଡିକର ଉନ୍ନତିକରଣ,ମହାନଙ୍ଗଳ ସଂଯୋଗୀକରଣ ରାସ୍ତା,ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା ଗୁଡିକ ସମ୍ପର୍କରେ ସମୀକ୍ଷା କରିଥିଲେ । ଗ୍ରାମ ଉନ୍ନୟନ ଡିଭିଜନ କରୁଥିବା କେତେକ ରାସ୍ତାର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେବାରୁ ସେହିକାର୍ଯ୍ୟଗୁଡିକ ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ମହାନ୍ତିଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ସମସ୍ତ ବିଭାଗୀୟ ଅଧିକାରୀମାନେ ନିଷ୍ଠା,ଆନ୍ତରିକତା ଓ ସ୍ୱଛତାର ସହିତ କାର୍ଯ୍ୟ ଓ ଦାଇତ୍ୱ ସମ୍ପାଦନ କରିବାକୁ ସାଂସଦ ଶ୍ରୀ ମହାନ୍ତି ନିର୍ଦେଶ ଦେଇଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଂଟର ଯନ୍ତ୍ରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ