ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ନିର୍ବାଚନ ଲଢିବେ କଂଗ୍ରେସ ର ଅଜୟ ରାୟ
ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି । ମୋଦୀଙ୍କ ବିପକ୍ଷରେ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ଏଠାରେ ଅଜୟ ରାୟଙ୍କ ଉପରେ ପୁଣି ଥରେ ଦଳ ଭରସା କରିଛି ।
କଂଗ୍ରେସ ଆଜି ଦୁଇଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାରଣାସୀ ଓ ଗୋରଖପୁର ପାଇଁ ପ୍ରାର୍ଥୀ ଦେଇଛି ଦଳ । ବାରଣାସୀରୁ ମୋଦୀଙ୍କ ବିରୋଧରେ ଅଜୟ ରାୟ ଲଢ଼ିବାକୁ ଯାଉଥିବାବେଳେ ଗୋରଖପୁରରୁ ମଧୁସୂଦନ ତିୱାରି ମୁଇଦାନକୁ ଓହ୍ଲାଇଛନ୍ତି । ମଧୁସୂଦନ ଜଣେ ଜଣାଶୁଣା ଆଇନଜୀବୀ । ସେ ଗୋରଖପୁର ବାର ଆସୋସିଏସନ୍ର ଏକାଧିକ ଥର ସଭାପତି ରହିସାରିଛନ୍ତି ।
ଗତ ୨୦୧୪ ନିର୍ବାଚନରେ ଅଜୟ ରାୟ ମୋଦୀଙ୍କ ବିପକ୍ଷରେ ଛିଡ଼ା ହୋଇ ହାରିଥିଲେ । ସେ ମାତ୍ର ୭୬ ହଜାର ପାଇଥିଲେ । କିନ୍ତୁ ମୋଦୀ ୫ ଲକ୍ଷ ୮୧ ହଜାର ଭୋଟ ପାଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨.୯ ଲକ୍ଷ ଭୋଟ ପାଇ ଦ୍ୱିତୀୟରେ ଥିଲେ ।