ହିଞ୍ଜିଳିକାଟୁରେ ପୁୂଣି ଚୋର ଆତଙ୍କ : ୩ ଟି ମନ୍ଦିରରୁ ଲୁଟିଲେ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ ): ହିଂଜିଳି ଥାନା ଅଂଚଳରେ ପୁଣି ଥରେ ଲୁଟେରାଙ୍କ ପାର୍ଦୁଭାବ ଦେଖାଦେଇଛି । ଗତ ୪ ଦିନ ମଧ୍ୟରେ ହିଂଜିଳିକାଟୁ ପୌରାଂଚଳର ୩ଟି ମନ୍ଦିରରୁ ଲୁଟେରା ମାନେ ଠାକୁରଙ୍କ ଅସ୍ତ୍ର ସମେତ ପିତଳ ମୂର୍ତି ଚୋରୀ କରି ନେବାରେ ସକ୍ଷମ ହୋଇଛନ୍ତି । ଶୁକ୍ରବାର ରାତିରେ ହିଂଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା କପିଳେଶ୍ୱର ମନ୍ଦିର ମଧ୍ୟରୁ ଠାକୁର ଶିବଙ୍କ ପିତଳ ମୂର୍ତି ଚୋରୀ ହୋଇଥିବା ବେଳେ ରବିବାର ଥାନା ଠାରୁ ମାତ୍ର ଶହେ ମିଟର ଦୂର ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରୁ ମଧ୍ୟ ଠାକୁର ଶିବଙ୍କ ପିତଳ ମୂର୍ତି ଚୋରୀ ଓ ବାରାହୀ ପାହାଡ଼ରେ ଅବସ୍ଥାପିତ ମା’ କନକଦୁର୍ଗା ମନ୍ଦିରରୁ ଠାକୁରଙ୍କ ଅସ୍ତ୍ର (ଖଣ୍ଡା) ଚୋରୀ କରି ଲୁଟେରା ମାନେ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ତେବେ ଏ ନେଇ ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ହିଂଜିଳି ଥାନା ଅଂଚଳରେ ବାରମ୍ବାର ଚୋରୀ ଘଟୁଥିବାରୁ ସ୍ଥାନୀୟ ପୋଲିସ ପ୍ରଶାସନ ପ୍ରତି ଅଂଚଳବାସୀଙ୍କ ବିଶ୍ୱାସ ତୁଟିବାରେ ଲାଗିଛି । ପ୍ରକାଶ ଥାଉକି, ଆଙ୍କୋରଡ଼ା କପିଳେଶ୍ୱର ମନ୍ଦିରରେ ଶୁକ୍ରବାର ରାତିରେ ପୂଜାରୀ ଠାକୁରଙ୍କ ପହଡ଼ି କରିବା ପରେ କବାଟ ବନ୍ଦ କରି ଘରକୁ ଫେରିଥିଲେ, ହେଲେ ଶନିବାର ଭୋରରୁ ପୂଜାରୀ ମନ୍ଦିର ଦ୍ୱାର ଖୋଲିଲା ବେଳକୁ ମନ୍ଦିର ମଧ୍ୟରୁ ହର, ଗୌରୀଙ୍କ ପିତଳ ମୂର୍ତି ମଧ୍ୟରୁ ଠାକୁରଙ୍କ ମୂର୍ତି ଗାଏବ ହୋଇଯାଇଥିଲା । ସେହିପରି ରବିବାର ସନ୍ଧ୍ୟାରେ ପୂଜାରୀ ଠାକୁରଙ୍କ ସନ୍ଧ୍ୟା ଆଳତି କରିବା ସମୟରେ ମନ୍ଦିର ମଧ୍ୟରେ ହର, ଗୌରୀଙ୍କ ପିତଳ ମୂର୍ତି ରହିଥିବା ବେଳେ ରାତିରେ ଠାକୁରଙ୍କ ପହଡ଼ ଲାଗି କରିବା ବେଳକୁ ଠାକୁରଙ୍କ ପିତଳ ମୂର୍ତି ଗାଏବ ହୋଇଯାଇଥିବା ଦେଖି ପୂଜାରୀ ମନ୍ଦିର ପ୍ରଶାସନକୁ ଜଣାଇଥିଲେ । ସେହପରି ମା’ କନକଦୁର୍ଗା ମନ୍ଦିରରୁ ଠାକୁରଙ୍କ ଅସ୍ତ୍ର (ଖଣ୍ଡା) ଚୋରୀ ହୋଇଯାଇଥିବା ଜଣାପଡ଼ିଛି । ଲୁଟେରା ମାନେ ପରିଶେଷରେ ମଣିଷ ନିଜର ଅସୁବିଧା ଦୂର କରିବା ପାଇଁ ପୂଜା କରୁଥିବା ଠାକୁରଙ୍କୁ ମଧ୍ୟ ଲୁଟ କରିବାକୁ ଲୁଟେରା ମାନେ ପଛାଉନଥିବା ଦେଖିବାକୁ ମିଳିଛି । ଅଂଚଳରେ ବାରମ୍ବାର ଏଭଳି ଲୁଟ୍ ହେଉଥିବା କାରଣରୁ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହ ଲୁଟେରା ମାନଙ୍କୁ ପୋଲିସ କେବେ ଧରିବାରେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କର ନଜର ।


