ଆଜି ଯାଜପୁରରେ ସମସ୍ତ ସ୍କୁଲରେ ପାଠପଢ଼ା ବନ୍ଦ

ଯାଜପୁର,(ପ୍ରଦୀପ କୁମାର ମଲ୍ଲିକ): ଯାଜପୁର ଜିଲ୍ଲାର କେତେକ ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ସାଙ୍ଗକୁ ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅଗଷ୍ଟ ୧୭ ତାରିଖରେ ଶ୍ରେଣୀ ଶିକ୍ଷାଦାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ, ଯାଜପୁରଙ୍କ ପକ୍ଷରୁ ଜାରି ଅଫିସ୍ ଅର୍ଡର ନମ୍ବର ୯୬୦୩, ତାରିଖ ୧୬.୦୮.୨୦୨୬ ଅନୁଯାୟୀ, ଏହି ନିର୍ଦ୍ଦେଶ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ପାଇଁ ଲାଗୁ ହେବ। ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହିତ ଓଏଭି (OAV) ଓ ଓଏମଏଭି (OMAV) ଗୁଡ଼ିକରେ ମଧ୍ୟ ୧୭ ଅଗଷ୍ଟରେ ଶ୍ରେଣୀ ଶିକ୍ଷା କାର୍ଯ୍ୟକ୍ରମ ସ୍ଥଗିତ ରହିବ। ତେବେ ଏହି ନିଷ୍ପତ୍ତିର ଅର୍ଥ ବିଦ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବା ନୁହେଁ। ଆବଶ୍ୟକତା ପଡ଼ିଲେ ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ପାଇଁ ବିଦ୍ୟାଳୟଗୁଡ଼ିକୁ ଖୋଲା ରଖି ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ। ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ, ଯାଜପୁରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ନିର୍ଦ୍ଦେଶର ଅନୁପାଳନ ସହ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ବର୍ତ୍ତମାନର ବନ୍ୟା ଓ ବର୍ଷାଜନିତ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ