ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ସ୍କୁଲ ତାଲା ପକାଇ ଅଭିଭାବକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ଆଜି ଶତାଧିକ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ପାଚିକାକୁ ପୁନଃ ନିଯୁକ୍ତି କରିବାକୁ ବହୁବାର ଧମକ ଚମକ ଦେବାପରେ ସଫଳ ନହେବାରୁ ରାଜନେତାଙ୍କ ପ୍ରରୋଚନାରେ ବିଇଓଙ୍କୁ ନିଲମ୍ବିତ କରିଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବାନୁଯାଇ ପୁର୍ବରୁ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଥିବାରୁ ସରକାରଙ୍କ ନିୟମାନୁଯାଇ ତୃତୀୟ ରୋଷେୟା ଭାବେ ସଶ୍ମିତା ଦେହୁରୀକୁ ତୃତୀୟ ପାଚିକା ପଦବୀରେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୁଇଶହରୁ କମିଯିବାରୁ ବିଦ୍ୟାଳୟ ପରିଚାଳନା କମିଟି ସଶ୍ମିତାଙ୍କୁ ପାଚିକା ପଦବୀରୁ ବାହାର କରିଦେଲା । ଏନେଇ ବିଦ୍ୟାଳୟ ପକ୍ଷରୁ ଚିଠିନଂ ୧୩୭ ତା ୧/୮/୨୦୧୯ରେ ବିଇଓଙ୍କ କାର୍ୟ୍ୟାଳୟକୁ ଜଣାଇ ଦିଆଯାଇଥିଲା । କିନ୍ତୁ ସେ ବିଭିନ୍ନ ରାଜନେତାଙ୍କ ଶରଣାପର୍ଣ୍ଣ ହୋଇ ତାଙ୍କ ପତ୍ନୀଙ୍କୁ ପାଚିକା ଭାବେ ପୁନଃର୍ବାର ନିଯୁକ୍ତି ଦେବାକୁ ଦାବି କରି ଆସୁଥିଲେ । ଏପରିକି ଏଥିପାଇଁ ବିଇଓ ସ୍କୁଲ କମିଟି ସଦସ୍ୟ ମାନଙ୍କୁ ହଦଗଡ ପଞ୍ଚାୟତ କାର୍ୟ୍ୟାଳୟକୁ ଡାକି ଏକ ବୈଠକ କରିିଥିଲେ ମଧ୍ୟ ସେଠାରେ କୌଣସି ନିଷ୍ପତି ନହୋଇ ପାରିବାରୁ ପୁନର୍ବାର ସ୍କୁଲକୁ ସମସ୍ତ ପିତାମାତାଙ୍କୁ ଡାକିଥିଲେ । କିନ୍ତୁ ସେ ନିଜେ ଏହି ବୈଠକକୁ ଆସି ନଥିଲେ । ଫଳରେ ବିଦ୍ୟାଳୟର ଅଭିଭାବକ ଅଭିଭାବିକା ମାନେ ଏକ ରେଜୁଲେସନ କରି ବିଇଓଙ୍କୁ ଅବଗତ କରାଇଥିଲେ । କିନ୍ତୁ ଗତକାଲି ବ୍ଲକ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ଅଫିସକୁ ଡାକି ତାଙ୍କୁ ବେନିୟମ ଭାବେ କାର୍ୟ୍ୟରୁ ନିଲମ୍ବିତ କରିଛନ୍ତି । ଯାହାକି ରାଜନୈତିକ ଉଦ୍ଦ୍ୟୋ ପ୍ରଣୋଦିତ ବୋଲି କହିବା ସହ ବର୍ତ୍ତମାନର ବିଇଓ ବିଦ୍ୟାଳୟରେ ରାଜନୀତି ପୁରାଇ ବିଦ୍ୟାଳୟଟିକୁ ନଷ୍ଟ କରିବାକୁ ବସିଛନ୍ତିବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପାଚିକାକୁ ରଖିବା କି ବାହାର କରିବାର ସମସ୍ତ କ୍ଷମତା ସ୍କୁଲ ପରିଚାଳନା କମିଟିର ହୋଇ ଥିବାବେଳେ ପ୍ରଧାନ ଶିକ୍ଷକଙ୍କୁ ଏଥିପାଇଁ କାହିଁକି ନିଲମ୍ବିତ କରାଗଲା ବୋଲି କମିଟି ସଭାପତି ଚକ୍ରଧର ହୋ, ଉପାଧ୍ୟକ୍ଷା ଅବଳା ନାଏକ, ପାଗଳ ନାଏକ, ସୁରେଶ ନାଏକ, ସୁରୁ ହୋ, ସୁରୁ ମହାକୁଡ, ଚାନ୍ଦୁ ହୋ, ବାଗୁନୁ ହୋ, ଲଦର ହୋ, ଜୟରାମ ମହାକୁଡ ପ୍ରମୁଖ ଅଭିଯୋଗ କରିଛନ୍ତି । ଏହାକ ୁନେଇ ଗ୍ରାମରେ ଅଶାନ୍ତି ସୃଷ୍ଟି ହୋଇଥିବାବେଳେ ଆଜି ସକାଳୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀମାନେ ସ୍କୁଲ ଫାଟକରେ ତାଲା ପକାଇ ବସିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ପାରିନଥିବାବେଳେ ଶିକ୍ଷକ ମାନେ ମଧ୍ୟ ବାହାରେ ବସିବସି ଘରକୁ ଫେରିଥିଲେ । ବର୍ତ୍ତମାନର ବିଇଓ ଆମ କମିଟି ସଦସ୍ୟ କିମ୍ବା ଗ୍ରାମବାସୀଙ୍କ କଥା ନଶୁଣି ରାଜନେତାଙ୍କ ଚାପରେ ଆମ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ସେହିପରି ଜଣେ ବହିସ୍କୃତ ପାଚିକାକୁ ଆଜି ପର୍ୟ୍ୟନ୍ତ ମାସିକ ପାରିଶ୍ରମିକ ଦେଇ ଚାଲିଛନ୍ତି କାହା ସ୍ୱାର୍ଥରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଯଦି ଉକ୍ତ ଉକ୍ତ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ନକରନ୍ତି ତେବେ ବିଦ୍ୟାଳୟର ତାଲା ଖୋଲିବୁ ନାହିଁ ବୋଲି ପାଣ୍ଡା ହୋ, ମେଙ୍କ ପ୍ରଧାନ, ସବିତା ପ୍ରଧାନ, ବାଗୁନୁ ହୋ, କାଳନ୍ଦୀ ନାଏକ, ସନ୍ତ ଗିରି, ଜଲେ ହୋ, ବୁଡେନ ସିଂ ପୁର୍ତ୍ତି, ଜୟା ହୋ, ରେଗା ହୋ, ବିଜୟ ହୋ, ତୁରାମ ହୋ, ସୁଧାକର ପ୍ରଧାନ, ଦାଶରଥି ପ୍ରଧାନ, ସୋମବାରୀ ହୋ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସେମାନେ କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଡିପିସି ଓ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି ।


