ଚୟନ କରନ୍ତୁ ଖାଇବା ବାସନ

ଚୟନ କରନ୍ତୁ ଖାଇବା ବାସନ
ଆୟୁର୍ବେଦରେ ରୋଷେଇ ଘରକୁ ଉତ୍ତମ ସ୍ବାସ୍ଥ୍ୟର ପ୍ରଥମ ଶିଡ଼ି ବୋଲି ଗ୍ରହଣ କରାଯାଏ। ଏଠାରେ ଖାଦ୍ୟରେ ବ୍ୟବହାର କରାଯାଉଥିବା ମସଲାଠାରୁ ଆରମ୍ଭ କରି ବାସନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ପାଇଁ ସମସ୍ତ କାରକ ରହିଛି। ପୁରୁଣା ସମୟରେ ଲୋକେ ଖାଦ୍ୟ ରାନ୍ଧିବା ଓ ଖାଦ୍ୟ ଖାଇବା ପାଇଁ କାଠ, ମାଟି, ତମ୍ବା ଭଳି ବାସନର ବ୍ୟବହାର କରିଥାନ୍ତି। କିନ୍ତୁ ସମୟ ବଦଳିବା ସହିତ ଏହି ସବୁ ବାସନର ସ୍ଥାନ ଆଲୁମିନିୟମ, ଷ୍ଟିଲ୍‌ ଓ ଲୁହା ନେଇସାରିଛି। ଚାଲନ୍ତୁ ଜାଣିବା କେଉଁ ବାସନରେ ଖାଇଲେ ଶରୀର ଉପରେ କ’ଣ ପ୍ରଭାବ ପଡ଼ିଥାଏ।
ତମ୍ବା ବାସନ : ତମ୍ବା ବାସନରେ ପାଣି ପିଇବା ବହୁତ ଲାଭଦାୟକ ହୋଇଥାଏ। ଆପଣ ଏଥିରେ ଖାଦ୍ୟ ରାନ୍ଧିବା ସହିତ ଖାଇପାରିବେ ମଧ୍ୟ। କିନ୍ତୁ ତମ୍ବା ବାସନରେ ଖଟା ଜିନିଷ ଖାଇବାରୁ ଦୂରେଇ ରହନ୍ତୁ। ଏପରି କଲେ ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ।
ଆଲୁମିନିଅମ ବାସନ : ଏହି ବାସନରେ ଖାଦ୍ୟ ତିଆରି କଲେ, ଏଥିରେ ଆଲୁମିନିୟମର କିଛି ମାତ୍ରା ମିଶି ଯାଏ। ଯାହାଫଳରେ ଅଲ୍‌ଝାଇମର, ପେଟ ସହିତ ଜଡ଼ିତ ସମସ୍ୟା, ହାଡ଼ ଦୁର୍ବଳ ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।
ଷ୍ଟିଲ୍‌ ବାସନ : ଷ୍ଟିଲ୍‌ ବାସନର ବ୍ୟବହାର ପ୍ରାୟ ସମସ୍ତଙ୍କ ଘରେ ହୋଇଥାଏ। ସୂଚନାଯୋଗ୍ୟ ଯେ ଷ୍ଟିଲ୍‌ ବାସନ କୌଣସି ବି ଜିନିଷ ସହିତ ମିଶି ପ୍ରତିକ୍ରିୟା କରି ନ ଥାଏ। ଏହା ଶରୀର ପାଇଁ କୌଣସି ପ୍ରକାରର ଲାଭଦାୟକ ହୋଇ ନ ଥିଲେ ମଧ୍ୟ କୌଣସି ପ୍ରକାରର କ୍ଷତି ମଧ୍ୟ ହୋଇ ନ ଥାଏ।
ଲୁହା ବାସନ : ଲୁହା ବାସନରେ ଖାଦ୍ୟ ଖାଇବାରେ କୌଣସି ସମସ୍ୟା ନ ଥିଲେ ମଧ୍ୟ ଖାଦ୍ୟ ରାନ୍ଧିବା କ୍ଷତିକାରକ ହୋଇପାରେ। ଏହା ଖଟା ବା ଏସିଡ୍‌ଯୁକ୍ତ ଖାଦ୍ୟ ସହିତ ମିଶି ପ୍ରତିକ୍ରିୟା ଦେଇଥାଏ। ଯାହା ସ୍ବାସ୍ଥ୍ୟ ପାଇଁ ଠିକ୍‌ ନୁହେଁ। ଏପରିସ୍ଥଳେ ଲୁହା ବାସନରେ କଢ଼ି, ସାମ୍ଭର କିମ୍ବା ଟମାଟୋଯୁକ୍ତ ଖାଦ୍ୟ ତିଆରି କରନ୍ତୁନି। ଏହାବ୍ୟତୀତ ଏଥିରେ ଅଧିକ ଦିନ ପାଣି ମଧ୍ୟ ରଖନ୍ତୁ ନାହିଁ।
ମାଟି ବାସନ : ମାଟି ବାସନରେ କେବଳ ଖାଦ୍ୟ ଖାଇବା ନୁହେଁ, ରାନ୍ଧିବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭୋଜନ ରାନ୍ଧିବା ଫଳରେ ଶରୀରକୁ ବହୁତ ପୋଷକତତ୍ତ୍ବ ମିଳିଥାଏ, ଯାହାଫଳରେ ଆପଣ ରୋଗରୁ ରକ୍ଷା ପାଇପାରିବେ। ସେହିପରି ମାଟି ବାସନରେ ଖାଦ୍ୟ ରାନ୍ଧିବା ଫଳରେ ଖାଦ୍ୟରେ ଥିବା ଏସିଡ୍‌ ସହିତ ପ୍ରତିକ୍ରିୟା କରିବା ସହିତ ପିଏଚ୍‌କୁ ନିୟନ୍ତ୍ରଣ କରିଥାଏ। ଏହା ଶରୀରର ଏସିଟିକ୍‌ କୋଷିକାକୁ ବଢ଼ିବାରେ ରୋକିଥ।ଏ। ଯାହାଫଳରେ କ୍ୟାନ୍‌ସର ହେବା ଆଶଙ୍କା ବହୁତ କମିଯାଏ।
ପିତ୍ତଳ ବାସନ : ଏଥିରେ ଖାଦ୍ୟ ରାନ୍ଧିବା ମଧ୍ୟ ଶରୀର ପାଇଁ ଲାଭଦାୟକ। ଆୟୁର୍ବେଦ ଅନୁସାରେ ପିତ୍ତଳ ବାସନରେ ଖାଦ୍ୟ ଖାଇବା ଦ୍ବାରା କୃମି ରୋଗ, କଫ୍‌ ଓ ବାୟୁଦୋଷ ରୋଗ ହୋଇ ନ ଥାଏ। ଏଥିସହିତ ଶରୀରକୁ ଅନେକ ପୋଷକତତ୍ତ୍ବ ମଧ୍ୟ ମିଳିଥାଏ।
କାଠ ବାସନ : ପୁରୁଣା କାଳରେ ଲୋକେ ଖାଦ୍ୟ ରାନ୍ଧିବା ଲାଗି କାଠ ବାସନ ବ୍ୟବହାର କରୁଥିଲେ। ଯଦି ଆପଣ ଏଥିରେ ଖାଦ୍ୟ ରାନ୍ଧି ପାରୁ ନାହାନ୍ତି, ତେବେ ଭୋଜନ ପରଷିବା ଲାଗି ଏହାକୁ ବ୍ୟବହାର କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ