କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ଆପଣାନ୍ତୁ ମେଡିଟେରେନିଅନ୍‌ ଡାଏଟ୍‌

ଏକ ଗବେଷଣା ମୁତାବକ ଗତ ୧୦ ବର୍ଷରେ ଯେତେସବୁ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଛି, ସେମାନଙ୍କ ମଧ୍ୟରୁ ୫୪ ପ୍ରତିଶତ ଲୋକଙ୍କ ପାଇଁ ଏହି ପ୍ରତିରୋପଣ ସୁଖଦ ରହିଛି। ସେମାନେ ତାଙ୍କ ଜୀବନକୁ ସୁଖରେ ବିତାଉଛନ୍ତି। ସେହିପରି ୨୦ ପ୍ରତିଶତରୁ କମ୍‌ ଲୋକ କୌଣସି ନା କୌଣସି ସମସ୍ୟାର ଶିକାର ହେଉଥିବାରୁ ପୁଣିଥରେ ସେମାନଙ୍କୁ କିଡ୍‌ନୀ ପ୍ରତିରୋପଣ କରିବାକୁ ପଡ଼ିଥାଏ। ବିଶେଷଜ୍ଞଙ୍କ କହିବାନୁସାରେ କିଡ୍‌ନୀ ପ୍ରତିରୋପଣ ପରେ ଯଦି ରୋଗୀ ମେଡିଟେରେନିଅନ୍‌ ଡାଏଟ୍‌ ଗ୍ରହଣ କରୁଛନ୍ତି, ତେବେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ପରେ ହେଉଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ।
ବିଶେଷଜ୍ଞଙ୍କ କହିବାନୁସାରେ ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ କିଡ୍‌ନୀ ପ୍ରତିରୋପଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଆଗାମୀ ୧୦ ବର୍ଷ ଭିତରେ କିଡ୍‌ନୀ ସହିତ ଜଡ଼ିତ କୌଣସି ନା କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ କିଡ୍‌ନୀ ପ୍ରତିରୋପଣ କରିବାର ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ଲୋକଙ୍କଠାରେ କୌଣସି ଅଙ୍ଗରେ ସମସ୍ୟାର ସାମ୍ନା କରିବାକୁ ପଡ଼ି ନ ଥାଏ ଓ କିଡ୍‌ନୀ ପ୍ରତିରୋପଣ ସଫଳତା ହାର ବହୁତ ଅଧିକ ରହିଛି। ଏପରିସ୍ଥଳେ ପ୍ରଶ୍ନ ଉଠିଥାଏ ଯେ କେଉଁ କାରଣ ପାଇଁ ପରେ ଏଭଳି ସମସ୍ୟା ଉପୁଜି ଥାଏ।
ଆମେରିକାନ୍‌ ସୋସାଇଟି ଅଫ୍‌ ନେଫ୍ରୋଲୋଜିର କ୍ଲିନିକାଲ ଜର୍ଣ୍ଣାଲରେ ପ୍ରକାଶିତ ନିକଟରେ ହୋଇଥିବା ଗବେଷଣାର ଫଳାଫଳରେ କୁହାଯାଇଛି ଯେ କିଡ୍‌ନୀ ପ୍ରତିରୋପଣ ପରେ ଯଦି ରୋଗୀ ମେଡିଟେରେନିଅନ୍‌ (ଭୂମଧ୍ୟ ସାଗରୀୟ) ଡାଏଟ୍‌ ନେଉଛନ୍ତି, ତେବେ ସେମାନଙ୍କୁ ଏଭଳି ସମସ୍ୟାରୁ ମୁକ୍ତି ମିଳିପାରେ। ଏଥିସହିତ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ କିଡ୍‌ନୀ ପ୍ରତିରୋପଣ କରିବା ପରେ ଲୋକଙ୍କୁ ଦୁଗ୍ଧ ଜାତୀୟ ପଦାର୍ଥ ଓ ମାଂସ ଖାଇବାଠାରୁ ଦୂରେଇ ରହିବା ଉଚିତ। ଗବେଷକ ଟିମ୍‌ର କହିବାନୁସାରେ କିଡ୍‌ନୀ ପ୍ରତିରୋପଣ ପରେ ନିଜ ଡାଏଟିସିଆନ୍‌ଙ୍କ ଦେଖାଶୁଣାରେ ମେଡିଟେରେନିଅନ୍‌ ଡାଏଟ୍‌ ଗ୍ରହଣ କରିବା ଉଚିତ। ଏଥିସହିତ ଏହି ଦିଗରେ ଲୋକଙ୍କ ମେଡିଟେରେନିଅନ୍‌ ଡାଏଟ୍‌ ଡାଏଟ୍‌ର ଭୂମିକାକୁ ଆହୁରି ଗଭୀରତାରୁ ଜାଣିବା ପାଇଁ ଗବେଷଣା ଜାରି ରହିବା ଉଚିତ ବୋଲି ଗବେଷକମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ