ପୋଷାକ ଇସ୍ତ୍ରୀ କରୁଥିଲେ…
ସଫା ସୁତୁରା ଇସ୍ତ୍ରୀ ଦିଆ ପୋଷାକ ପିନ୍ଧିବାକୁ ଭଲ ଲାଗେ। ଆପଣ ନିଜ ପୋଷାକ ସବୁବେଳେ ଆଇରନ୍ କରୁଥିବେ। ମାତ୍ର ଅଜାତରେ ଆପଣ ଏହି ସମୟରେ କେତେକ ଭୁଲ୍ କରି ବସିଥାନ୍ତି। ପୋଷାକର ଚମକ କାଏମ ରଖିବା ଲାଗି ଏହାକୁ ଇସ୍ତ୍ରୀ ଦେବା ଦରକାର। ମାତ୍ର ଆପଣଙ୍କ ଭୁଲ୍ ପାଇଁ ପୋଷାକ ଖରାପ ମଧ୍ୟ ହୋଇପାରେ। ଏଠାରେ ଏମିତି କେତେକ ଟିପ୍ସ ଦିଆଯାଉଛି ଯାହାଫଳରେ ଆପଣ ଆରାମରେ ନିଜ କପଡ଼ାକୁ ଇସ୍ତ୍ରୀ କରିପାରିବେ। ଏହାଦ୍ବାରା ଆପଣଙ୍କ ପୋଷାକ ଚମକ ରହିବା ସହିତ କପଡ଼ା ନଷ୍ଟ ମଧ୍ୟ ହେବ ନାହିଁ।
ଇସ୍ତ୍ରୀ କରୁଥିବା ଟେବଲ ଉପରେ କମ୍ବଳ ରଖନ୍ତୁ : କେତେକ ଲୋକେ କପଡ଼ା ଇସ୍ତ୍ରୀ କରିବା ସମୟରେ ଟେବଲ ଉପରେ କମ୍ବଳ ରଖନ୍ତି ନାହିଁ। ଏହି ଭୁଲ୍ ପାଇଁ ଆପଣଙ୍କ ପୋଷାକ ନଷ୍ଟ ହୋଇଯାଇପାରେ। ଏଥିସହିତ ଠିକ୍ରେ ଇସ୍ତ୍ରୀ ମଧ୍ୟ ନ ହୋଇପାରେ। ଯେଉଁ ସ୍ଥାନରେ ଆପଣ ଇସ୍ତ୍ରୀ କରୁଛନ୍ତି ତାହା ନରମ ରହିବା ଦରକାର। ତେଣୁ ଆଇରନ୍ କରୁଥିବା ଟେବଲ ଉପରେ ସବୁବେଳେ ମୋଟା କମ୍ବଳ ବିଛାନ୍ତୁ।
ପାଣି ସିଞ୍ଚନ୍ତୁ : ଯେତେବେଳେ ଇସ୍ତ୍ରୀ କରୁଛନ୍ତି କିଛି ସମୟ ପୂର୍ବରୁ କପଡ଼ା ଉପରେ ପାଣି ସିଞ୍ଛି ଛାଡ଼ି ଦିଅନ୍ତୁ। ଏହାଦ୍ବାରା ବହୁତ ଲୋଚାକୋଚା ହୋଇଯାଇଥିବା କପଡ଼ା ମଧ୍ୟ ସିଧା ହୋଇଯିବ। ଆପଣ ଚାହିଲେ ଏମିତି ଆଇରନ୍ ମଧ୍ୟ କିଣି ପାରିବେ, ଯେଉଁଥିରେ ପାଣି ଭରି ଆଇରନ୍ କରାଯାଇପାରିବ। ଏଭଳି ଆଇରନ୍ରେ ଆପଣଙ୍କୁ ଆଉ ପାଣି ସିଞ୍ଚିବାକୁ ପଡ଼ିବ ନାହିଁ।
ହିଟ୍ ସେଟିଙ୍ଗ : ପ୍ରତ୍ୟେକ କପଡ଼ା ଗୋଟିଏ ପ୍ରକାରର ହିଟ୍ରେ ଇସ୍ତ୍ରୀ ହୋଇପାରିବ ନାହିଁ। ପ୍ରତ୍ୟେକ କପଡ଼ାକୁ ଭିନ୍ନ ଭିନ୍ନ ହିଟ୍ର ଆବଶ୍ୟକତା ରହିଛି। ତେଣୁ ଯେଉଁ କପଡ଼ାର ସୂତା ବହୁତ ମୁଲାୟମ ତାହାକୁ କମ୍ ହିଟ୍ରେ ଇସ୍ତ୍ରୀ କରନ୍ତୁ। ସେହିଭଳି ମୋଟା ସୂତାର ପୋଷାକକୁ ଉଚ୍ଚ ତାପମାତ୍ରାରେ ଇସ୍ତ୍ରୀ କରିପାରିବେ।
ଆଇରନ୍ ସଫା କରନ୍ତୁ : ପୋଷାକ ଇସ୍ତ୍ରୀ କରିବା ପୂର୍ବରୁ ଆପଣ ଏହାକୁ ସଫା କରିବା ଆବଶ୍ୟକ ବୋଲି ମନେ କରନ୍ତି ନାହିଁ। ମାତ୍ର ଏହାଦ୍ବାରା ପୋଷାକରେ ଦାଗ ପଡ଼ି ଯାଇପାରେ। ତେଣୁ ଆଇରନ୍ କରିବା ପୂର୍ବରୁ ଓ ପରେ ଆଇରନ୍କୁ ଭଲ ଭାବେ ସଫା କରନ୍ତୁ।


