‘କୁଲ୍’ ଇମେଜ୍ ପାଇଁ ଅଧିକାଂଶ ଯୁବପିଢ଼ି ସିଗାରେଟ୍ ଟାଣନ୍ତି
ଦେଶର ୫୦ ପ୍ରତିଶତରୁ ଅଧିକ ଯୁବପିଢ଼ି ସିଗାରେଟ୍ ସେବନ କରନ୍ତି। ଏହାର କାରଣ ଧୂମପାନ କରିବା ଦ୍ବାରା ଚାପ ଦୂର ହୁଏ ବୋଲି ସେମାନେ ଭାବନ୍ତି। ଏଥିସହିତ ଅଧିକାଂଶ ଯୁବପିଢ଼ି ଭାବନ୍ତି ସିଗାରେଟ୍ ଟାଣିଲେ ନିଜ ସାଙ୍ଗମାନଙ୍କ ସମ୍ମୁଖରେ ‘କୁଲ୍’ ଇମେଜ୍ ସୃଷ୍ଟି ହୁଏ। ଏକ ଗବେଷଣା ଫଳାଫଳରୁ ଜଣାପଡ଼ିଛି ୫୨ ପ୍ରତିଶତରୁ ଅଧିକାଂଶ କିଶୋର କିଶୋରୀ ଭାବନ୍ତି ଯେ ଧୂମପାନ କରିବା ଦ୍ବାରା ଏକାଗ୍ରତା ବୃଦ୍ଧି ପାଇବାରେ ସହାୟତା ମିଳିଥାଏ। ସେହିପରି ଗବେଷଣାରେ ୯୦ ପ୍ରତିଶତ ଯୁବପିଢ଼ି କହିଥିଲେ ଯେ ଯଦି ତାଙ୍କ ମା’ ବାପା ନ ଆପତ୍ତି ନ କରନ୍ତେ ତେବେ ସେମାନେ ଧୂମପାନ ଜାରି ରଖନ୍ତେ। ସେହିପରି ୮୦ ପ୍ରତିଶତରୁ ଅଧିକ ଯୁବପିଢ଼ି କହିଥିଲେ ଯେ ଥରେ ଦୁଇଥର ଧୂମପାନ କରିବାରେ କୌଣସି ଅସୁବିଧା ନାହିଁ।
ଦେଶର ୬ଟି ରାଜ୍ୟର ୧,୯୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସେମାନଙ୍କ ସାଙ୍ଗ ସିଗାରେଟ୍ ଟାଣି ବଢ଼ାଇବାବେଳେ ତାଙ୍କୁ ମନା କରିବା କଷ୍ଟକର ହୁଏ ବୋଲି ସର୍ଭେରେ ସାମିଲ ହୋଇଥିବା ୭୫ ପ୍ରତିଶତ ଛାତ୍ରଛାତ୍ରୀ କହିଥିଲେ। ସେହିପରି ୪୬ ପ୍ରତିଶତ ଛାତ୍ରଛାତ୍ରୀ ସାଙ୍ଗମାନଙ୍କ ସମ୍ମୁଖରେ ‘କୁଲ୍’ ଦେଖାଯିବା ଲାଗି ସିଗାରେଟ୍ ଟାଣିବା ଆରମ୍ଭ କରିଥିଲେ ବୋଲି କହିଥିଲେ।
ଫୋର୍ଟିସ୍ ହସ୍ପିଟାଲର ମାନସିକରୋଗ ବିଭାଗର ଡାକ୍ତର ସମୀର ପାରିଖ କହିଛନ୍ତି ଯେ ଯୁବପିଢ଼ିଙ୍କ ଧୂମପାନ ଅଭ୍ୟାସ ଏବଂ ଧୂମପାନକୁ ନେଇ ସେମାନଙ୍କ ଧାରଣାକୁ ବୁଝିବା ଲାଗି ଏହି ସର୍ଭେ କରାଯାଇଥିଲା। ସର୍ଭେରେ ସାମିଲ ହୋଇଥିବା ୮୭ ପ୍ରତିଶତ ସ୍କୁଲ୍ ପିଲା ଅଭିନେତାମାନେ ଧୂମପାନକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି କହିଥିଲେ। ୮୯ ପ୍ରତିଶତ ପିଲା କହିଥିଲେ ଯେ ସେମାନଙ୍କ ବାପା ଧୂମପାନ କରିବା ଯଦି ଠିକ୍ ତେବେ ସେମାନେ କାହିଁକି କରି ପାରିବେ ନାହିଁ। ସେଲିବ୍ରିଟି ଓ ଜଣାଶୁଣା ବ୍ୟକ୍ତି ଧୂମପାନ ନିରୋଧୀ ଅଭିଯାନରେ ସାମିଲ ହେବାରୁ ସେମାନଙ୍କୁ ଧୂମପାନ ଛାଡ଼ିବାରେ ସହାୟତା ମିଳୁଛି ବୋଲି ୭୮ ପ୍ରତିଶତ ଛାତ୍ରଛାତ୍ରୀ କହିଥିଲେ।


